କ’ଣ ତଦନ୍ତ ହୋଇଛି ୬ ସପ୍ତାହରେ ଜଣାଅ

ପାରଳାଖେମୁଣ୍ଡି,୨୫ା୮(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ୪୪ଦିନ ବିତିଗଲାଣି। ତଥାପି ପୋଲିସ ପାଖରେ ଉତ୍ତର ନାହିଁ। ଏହା ଭିତରେ କ’ଣ ତଦନ୍ତ ହୋଇଛି ୬ ସପ୍ତାହ ମଧ୍ୟରେ ତା’ର ରିପୋର୍ଟ ମାଗିଛନ୍ତି ଜାତୀୟ ମାନବାଧିକାର କମିଶନ (ଏନ୍‌ଏଚ୍‌ଆର୍‌ସି)। ଏନେଇ ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ପାରଳାଖେମୁଣ୍ଡି ଏସିଏଫ୍‌ ସୌମ୍ୟ ଜୁଲାଇ ୧୨ରେ ପୋଡ଼ି ହୋଇ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ପରେ କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ସୌମ୍ୟଙ୍କ ମୃତ୍ୟୁ ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ବୋଲି ପରିବାର ଲୋକ ଅଭିଯୋଗ କରିଥିଲେ। ଏ ନେଇ କିଛି ବନବିଭାଗ କର୍ମଚାରୀ, ଡାକ୍ତର ଓ ରୋଷେୟା ମନ୍ମଥ କୁମ୍ଭ, ଗୁରାଣ୍ଡି ଥାନା ଅଧିକାରିଣୀ ମମତା ପଣ୍ଡା ଓ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କୁ ଜେରା କରାଯାଇଥିଲା। କିନ୍ତୁ ତତ୍କାଳୀନ ଗଜପତି ଏସ୍‌ପି ତପନ କୁମାର ପଟ୍ଟନାୟକ ତଦନ୍ତ ନ ସରୁଣୁ ପାରଳା ଡିଏଫଓ, ରୋଷେୟା ଏବଂ ଗୁରାଣ୍ଡି ଥାନା ଅଧିକାରିଣୀଙ୍କୁ କ୍ଲିନଚିଟ୍‌ ଦେଇଥିଲେ। ଏହି ଘଟଣାର ୨୪ଘଣ୍ଟା ନ ପୁରୁଣୁ ଏସ୍‌ପି ପଟ୍ଟନାୟକ ୟୁଟର୍ନ ନେଇ ମାମଲାର ଘଟଣାର ତଦନ୍ତ ଜାରି ରହିଛି ବୋଲି କହିଥିଲେ।

ପରେ ରାଜ୍ୟ ସରକାର ଏହି ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିଥିଲେ। କ୍ରାଇମବ୍ରାଞ୍ଚ ପାରଳାଖେମୁଣ୍ଡିଠାରେ ୮ ଦିନ ମଧ୍ୟରେ ପାରଳା ଡିଏଫଓ, ୨ ଡାକ୍ତର, ତହସିଲଦାର, ଗୁରାଣ୍ଡି ଥାନା ଅଧିକାରିଣୀଙ୍କ ସମେତ ୧୪ଜଣଙ୍କୁ ଜେରା କରି ବୟାନ ରେକର୍ଡ କରିଛି। ଏହା ପରେ ପାରଳାରେ ତଦନ୍ତ କରୁଥିବା ୪ ଜଣିଆ କ୍ରାମବ୍ରାଞ୍ଚ ଟିମ୍‌ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ସମସ୍ତ ରିପୋର୍ଟ ପ୍ରଦାନ ପାଇଁ ମୁଖ୍ୟ କାର୍ଯ୍ୟାଳୟକୁ ଫେରିଥିଲେ। ତଥାପି ସୌମ୍ୟ ମୃତ୍ୟୁର କୌଣସି ରହସ୍ୟ ଉନ୍ମୋଚନ ହୋଇପାରି ନାହିଁ। ମାମଲାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ଗତ ୩ ତାରିଖରେ ଭାରତୀୟ ବିକାଶ ପରିଷଦ ଜଗତସିଂହପୁର ଜିଲା ସଭାପତି ସୁବ୍ରତ ଦାସ ଏନ୍‌ଏଚ୍‌ଆର୍‌ସିଙ୍କ ଦ୍ବାରସ୍ଥ ହୋଇଥିଲେ। ଏଥିରେ ଜାତୀୟ ମାନବାଧିକାର କମିଶନ ମାମଲା ରୁଜୁ କରି ଆକ୍ସନ ଟେକନ ରିପୋର୍ଟ ମାଗିଛନ୍ତି। ୬ ସପ୍ତାହ ମଧ୍ୟରେ ଘଟଣାର ସବିଶେଷ ରିପୋର୍ଟ ପ୍ରଦାନ ପାଇଁ କମିଶନ ନିର୍ଦ୍ଦେଶ ଦେଇଛନ୍ତି।

Share