Categories: ଜାତୀୟ

‘ନିରପେକ୍ଷ ରହିବୁ ସବୁ ସଦସ୍ୟ’

ନୂଆଦିଲ୍ଲୀ,୨୦ା୧(ପି.ଟି.): କେନ୍ଦ୍ରର କୃଷି ଆଇନ ଉପରେ ସମୀକ୍ଷା କରିବା ପାଇଁ ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ବିଶେଷଜ୍ଞ କମିଟି ସଦସ୍ୟମାନେ ନିରପେକ୍ଷ ରହିବେ ଓ ନିଜ ବ୍ୟକ୍ତିଗତ ମତ ଉପସ୍ଥାପନ କରିବେ ନାହିଁ। ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା ବେଳେ ସେମାନଙ୍କ ମତାମତକୁ ପ୍ରତିବନ୍ଧକ ସାଜିବାକୁ ଦେବେ ନାହିଁ ବୋଲି କମିଟି ସଦସ୍ୟ ଅନିଲ ଘନ୍‌ଓ୍ବତ୍‌ ସ୍ପଷ୍ଟ କରିଛନ୍ତି। ମଙ୍ଗଳବାର ବିଶେଷଜ୍ଞ କମିଟିର ପ୍ରଥମ ବୈଠକ ବସିବା ପରେ ସେ ଏହା କହିଛନ୍ତି।
୧୨ରେ ସୁପ୍ରିମକୋର୍ଟ କୃଷି ଆଇନର କାର୍ଯ୍ୟକାରିତା ଉପରେ ସ୍ଥଗିତାଦେଶ ଜାରି କରିବା ସହ ୪ ଜଣିଆ ବିଶେଷଜ୍ଞ କମିଟି ଗଠନ କରିଥିଲେ। ଏଥିରେ ରାଜ୍ୟ ସଭାର ପୂର୍ବତନ ସଦସ୍ୟ ତଥା ଅଲ୍‌ ଇଣ୍ଡିଆ କିଷାନ କୋଅର୍ଡିନେଶନ କମିଟି (ଏଆଇକେସିସି) ଚେୟାରମ୍ୟାନ୍‌ ଏସ୍‌. ଭୂପିନ୍ଦର ସିଂ ମାନ୍‌ଙ୍କ ସମେତ କୃଷି ଅର୍ଥନୀତିଜ୍ଞ ଅଶୋକ ଗୁଲାଟି, ଦକ୍ଷିଣ ଏସିଆ ଅନ୍ତର୍ଜାତୀୟ ଖାଦ୍ୟ ନୀତି ଗବେଷଣା ସଂସ୍ଥା ନିର୍ଦ୍ଦେଶ ଡକ୍ଟର ପ୍ରମୋଦ କୁମାର ଜୋଷୀ, ମହାରାଷ୍ଟ୍ରର ଶେତ୍‌କେରି ସଙ୍ଗଠନ ମୁଖ୍ୟ ଅନିଲ ଘନ୍‌ଓ୍ବତ୍‌ଙ୍କୁ ରଖାଯାଇଥିଲା। ୪ ସଦସ୍ୟ କେନ୍ଦ୍ରର କୃଷି ଆଇନ ସପକ୍ଷବାଦୀ ବୋଲି ବିବାଦ ସୃଷ୍ଟି ହେବା ପରେ ଗତ ୧୪ ତାରିଖରେ ଉକ୍ତ କମିଟିରୁ ଭାରତୀୟ କିଷାନ ୟୁନିୟନ୍‌ (ବିକେୟୁ) ରାଷ୍ଟ୍ରୀୟ ଅଧ୍ୟକ୍ଷ ଏସ୍‌. ଭୂପିନ୍ଦର ସିଂ ମାନ୍‌ ଓହରିଯାଇଥିଲେ। ଏହା ପରେ ଅନ୍ୟ ସଦସ୍ୟମାନଙ୍କୁ ଉକ୍ତ କମିଟିରୁ ବାହାର କରିବା ପାଇଁ ବିକେୟୁ ଲୋକ ଶକ୍ତି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି।
ନୂଆଦିଲ୍ଲୀରେ ମଙ୍ଗଳବାର ଉକ୍ତ କମିଟିର ପ୍ରଥମ ବୈଠକ ବସିଛି। ବୈଠକ ପରେ ଘନ୍‌ଓ୍ବତ୍‌ କହିଛନ୍ତି, କୃଷକ ଓ ଅନ୍ୟ ପକ୍ଷମାନଙ୍କ ସହ ଗୁରୁବାର ପ୍ରଥମ ପର୍ଯ୍ୟାୟ ଆଲୋଚନା ହେବ। କମିଟି ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ହେଉଛି ଆନ୍ଦୋଳନରତ ଚାଷୀଙ୍କୁ ବୁଝାଇ ଆଲୋଚନା ପାଇଁ ରାଜି କରାଇବା। ଏଥିଲାଗି ଆମେ ଯଥାସାଧ୍ୟ ଉଦ୍ୟମ କରିବୁ। କେନ୍ଦ୍ର ତଥା ରାଜ୍ୟ ସରକାରମାନଙ୍କ ସହ ଚାଷୀଙ୍କ ମତାମତ ଲୋଡ଼ିବୁ। ସୁପ୍ରିମକୋର୍ଟରେ ଦାଖଲ କରାଯିବାକୁ ଥିବା ରିପୋର୍ଟ ପ୍ରସ୍ତୁତ ବେଳେ କମିଟିର କୌଣସି ସଦସ୍ୟ କୃଷି ଆଇନ ଉପରେ ନିଜ ମତାମତକୁ ଏହା ଭିତରକୁ ଆଣିବେ ନାହିଁ। ଭୂପିନ୍ଦରଙ୍କ ସ୍ଥାନରେ କାହାକୁ ନିଯୁକ୍ତ କରାଯିବ ତାହା ସୁପ୍ରିମକୋର୍ଟଙ୍କ ଉପରେ ନିର୍ଭର କରେ। ଆମକୁ ଦିଆଯାଇଥିବା ଦାୟିତ୍ୱ ଆମେ ଭଲ ଭାବେ ତୁଲାଇବୁ। ଆମେ କୌଣସି ଦଳ ବା ସରକାରଙ୍କ ପକ୍ଷରୁ ପ୍ରତିନିଧିତ୍ୱ କରୁନାହୁଁ। ତେଣୁ କୃଷକମାନେ କମିଟି ସହ ଆଲୋଚନା କରନ୍ତୁ ବୋଲି ଘନ୍‌ଓ୍ବତ୍‌ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷେ ମଙ୍ଗଳବାର କେନ୍ଦ୍ର ସରକାର ଓ କୃଷକ ସଙ୍ଗଠନଗୁଡ଼ିକ ମଧ୍ୟରେ ହେବାକୁ ଥିବା ନବମ ପର୍ଯ୍ୟାୟ ଆଲୋଚନାକୁ ଗୁରୁବାର ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି।

 

Share