ଆସ ରାସ୍ତାରୋକୋ କରିବା

ଡ. ଚିନ୍ତାମଣି ପଣ୍ଡା

 

ସକାଳୁ ଉଠି ଦେଖିବାବେଳକୁ ପଞ୍ଝାଏ ତଥାକଥିତ ଅତି ସଚେତନ ନାଗରିକ ମୁଖ୍ୟ ରାସ୍ତାଟିକୁ ଅବରୋଧ କରି ସର୍ବସାଧାରଣଙ୍କ ଯାତାୟାତକୁ ସମ୍ପୂର୍ଣ୍ଣ ଠପ୍‌ କରିଦେଇଛନ୍ତି। ଘଟଣା କ’ଣ ବୁଝୁବୁଝୁ ଜଣାପଡ଼ିଲା ଯେ, ବର୍ଷା ଠିକ୍‌ ଭାବରେ ନ ହୋଇ ଫସଲ ମରୁଥିବାରୁ ବାଘ ଦଳର ମୁଖିଆ ବନ୍ଦ ଡାକରା ଦେଇଛନ୍ତି। ସେଦିନ ସନ୍ଧ୍ୟାବେଳକୁ ଟାୟାର ଜଳା, ରାସ୍ତାରୋକୋ, ସର୍ବସାଧାରଣଙ୍କୁ ଆକ୍ରମଣ ଇତ୍ୟାଦିକୁ ଟିଭି ମାଧ୍ୟମରେ ପ୍ରଚାର କରାଇ ଦଳପତି ମହୋଦୟ ବୀର ଦର୍ପରେ ଗଳାଫଟାଇ ଗର୍ଜୁଥାନ୍ତି ”ଠିକ୍‌ ସମୟରେ ବର୍ଷା ହେଉନି। ଚାଷୀକୁଳ ହନ୍ତସନ୍ତ। ଏ ସରକାର ରହି ଲାଭ କ’ଣ ? ତେଣୁ ଶତକଡ଼ା ଅଶୀଭାଗ ଜନତା ଆମକୁ ସ୍ବତଃସ୍ଫୂର୍ତ୍ତ ସମର୍ଥନ ଜଣାଇ ଏ ବନ୍ଦ ପାଳନକୁ ସମ୍ପୂର୍ଣ୍ଣ ସଫଳ କରାଇଛନ୍ତି।
ପରଦିନ ସକାଳବେଳକୁ ପୁଣି ରାସ୍ତାବନ୍ଦ, ଶୋଭାଯାତ୍ରା, ସ୍ଲୋଗାନ ଇତ୍ୟାଦିରେ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ। କଥା’କଣ ବୁଝିଲାବେଳକୁ ଜଣାପଡ଼ିଲା, ଗତକାଲି ଏକ ନିର୍ଦ୍ଦିଷ୍ଟ ଦଳର ନେତାମାନେ (ବାଘଦଳ) ଆମ ଦଳର କିଛି ଆଗଧାଡ଼ିଆ ଛାମୁଆଁ କର୍ମୀଙ୍କୁ ପ୍ରଲୋଭିତ କରି ବିଷାକ୍ତ ମଦ୍ୟପାନ ଦ୍ୱାରା ହତ୍ୟା ଉଦ୍ୟମ କରିଛନ୍ତି। ତେଣୁ ଆମ୍ଭେ ସରକାରରେ ଥାଇ କି ଲାଭ? ଅତଏବ ପ୍ରତିଶୋଧ ସ୍ବରୂପ ଆଜି ଆମେ ଛଅ ଘଣ୍ଟିଆ ଚକାଜାମ୍‌ ଆନ୍ଦୋଳନ କରି ସନ୍ଧ୍ୟାବେଳକୁ ସମସ୍ତ ଆନ୍ଦୋଳନକାରୀଙ୍କୁ ଆକଣ୍ଠ ବିଶୁଦ୍ଧ ସୁରାପାନରେ ଆପ୍ୟାୟିତ କରିବୁ। କାରଣ ଆମେ ଦଳପ୍ରେମୀ।
ତହିଁ ପରଦିନ ଦେଖିବାବେଳକୁ ପୁଣି ରାସ୍ତାରୋକୋ। ଏଥର କିନ୍ତୁ ପଞ୍ଝାଏ ତେଲ ବ୍ୟବସାୟୀ ଆନ୍ଦୋଳନ କରି ରାଜରାସ୍ତାକୁ ଓହ୍ଲାଇ ଥାଆନ୍ତି। ଚାଲିଥାଏ ରାଜପଥର ଛାତିରେ ଗଣଧାରଣା। କାରଣ ତେଲ ଦର ହୁ ହୁ ହୋଇ ବଢ଼ୁଥିବାରୁ ଜନସାଧାରଣ ଆକ୍‌ତା ମାକ୍‌ତା ହୋଇଗଲେଣି, ଆମେ ସେମାନଙ୍କୁ ସେବା ଯୋଗାଇ ପାରୁନାହଁୁ। ରନ୍ଧନ ଗ୍ୟାସ ଓ ଖାଇବା ତେଲର ଅହେତୁକ ଦରବୃଦ୍ଧି। ଗୃହିଣୀମାନେ ରୋଷେଇ ଘରେ ଏକପ୍ରକାର ସନ୍ତୁଳି ହେଉଛନ୍ତି। ତେଣୁକରି ସେମାନଙ୍କ ସମର୍ଥନରେ ଆମର ଏ ଦରଦୀ ରାସ୍ତାରୋକୋ। କହିବା ବାହୁଲ୍ୟ ଯେ, ଏହି ଅଦିନ ଦରଦୀ ବନ୍ଧୁଗଣ ଦେଶ ସେବା ପରିପ୍ରେକ୍ଷୀରେ ନିଜ ନିଜ ପେଟ୍ରୋଲ ପମ୍ପ ତରଫରୁ ଯୋଗାଇ ଦିଆଯାଉଥିବା ‘ମାଗଣା ସେବା’ ଯଥା ପାଣି (ପିଇବା ପାଣି), ପବନ (ଚକାହାଓ୍ବା) ଓ ଶୌଚାଳୟ ସୁବିଧାସବୁ କେବେଠୁ ଅକାମୀ କରି ପକାଇଛନ୍ତି। କିନ୍ତୁ ଏବେ ଠିକଣା ବେଳକୁ ଜନସାଧାରଣଙ୍କ ସେବାର ନଁା ନେଇ ଯେଉଁ ଆନ୍ଦୋଳନର ଡାକରା ଦେଇଛନ୍ତି ତା’ ପ୍ରତି ତାଙ୍କର ଅକୁଣ୍ଠ ସମର୍ଥନ ରହିଥିବାର ବାହୁସ୍ଫୋଟ ମାରି ବନ୍ଦକୁ ସଫଳ କରାଉଛନ୍ତି। କାରଣ ଏମାନେ ଦେଶପ୍ରେମୀ।
ତା’ ପରଦିନ ଦେଖିବାବେଳକୁ ପରିବେଶପ୍ରେମୀ ବୋଲାଉଥିବା ପଞ୍ଝାଏ ଉଦ୍‌ଭ୍ରାନ୍ତ ଯୁବକ ରାସ୍ତାରୋକୋ କରି ଗମନାଗମନ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି। କାରଣ ଓଡ଼ିଶାର ସବୁ ପ୍ରାନ୍ତରେ ବନାଗ୍ନି ଲକ୍ଷ ଲକ୍ଷ ହେକ୍ଟର ପରିମିତ ଜଙ୍ଗଲ ସମ୍ପଦକୁ ଜାଳି ପୋଡ଼ି ଭସ୍ମ କରିଦେଲାଣି। ବିଚରା ସାଧାରଣ ଜନତା ଆଉ ଯାଏ କୁଆଡେ? ନିତିଦିନିଆ ବନ୍ଦ ପାଳନରେ ଅତିଷ୍ଠ ହୋଇ ନିଜର ଜୀବନ ଜୀବିକା ହରାଇ ଦେଶାନ୍ତର ଗମନ କରିବା ଛଡ଼ା ଆଉ ଗତି ନାହିଁ ବୋଲି ଭାବୁଥିବା ବେଳେ ସ୍ବେଚ୍ଛାସେବୀ ବାହିନୀର ହାବୁଡ଼ରେ ପଡ଼ିଯାଏ। ସେମାନେ ମାଓବାଦୀଙ୍କ ପରି ତାକୁ ଘରୁ ଟାଣି ନେଇ ହାତୀଘୋଡ଼ା ଦେବାର ପ୍ରଲୋଭନରେ ସାଦାକାଗଜରେ ତା’ର କିଛି ଦସ୍ତଖତ ସହ ଆଧାର କାର୍ଡ କି ଭୋଟର ପରିଚୟ ପତ୍ର ନେଇ ଯା’ନ୍ତି। କିଛି ଦିନ ପରେ ସେ ଶୁଣେ ତା’ ନଁାରେ କୋଟି କୋଟି ଟଙ୍କାର ଟିକସ ଫାଙ୍କି ନୋଟିସ ଆସେ। ସେ ପାନ ଦୋକାନରେ କିମ୍ବା ପରିବା ଦୋକାନରେ ବସି ଏହା କିପରି ସମ୍ଭବ ହେଲା ଭାବୁଥାଏ। ସେ ବୁଝିପାରେନି ଏତେ ସ୍ବେଚ୍ଛାସେବୀ, ଯୁବକର୍ମୀ ପ୍ରତି ଦଳରେ ଭରି ରହିଥିବା ବେଳେ ଏମାନେ ଭୋଟ ସରିଗଲେ ଯା’ନ୍ତି କୁଆଡେ? କରନ୍ତି କ’ଣ? କାହିଁ କେଉଁ ବାତ୍ୟା, ବନ୍ୟା କି ଭୂକମ୍ପ ପରି ଦୈବିଦୁର୍ବିପାକ ବେଳେ ତ ଏମାନଙ୍କର ଦେଖା ନ ଥାଏ। ଏମାନେ ପରା ମାନବପ୍ରେମୀ! ପ୍ରତି ବର୍ଷ ଆମ ରାଜ୍ୟରେ ବିଭିନ୍ନ ସାମାଜିକ ଅପରାଧ ଯଥା ଯୌତୁକ ହତ୍ୟା, ନାରୀ ନିର୍ଯାତନା, ଲିଙ୍ଗ ବୈଷମତା ଇତ୍ୟାଦି ତଥା ଭୋଟର ସଚେତନତା, ପରିବେଶ ସୁରକ୍ଷା, ବନ୍ୟପ୍ରାଣୀ ସୁରକ୍ଷା ଆଦି ବିବିଧ ଦାୟିତ୍ୱ ଓ କର୍ତ୍ତବ୍ୟର ଠିକ୍‌ ସମ୍ପାଦନା ନିମିତ୍ତ ଅନେକ ଶୋଭାଯାତ୍ରା, ରାସ୍ତାବନ୍ଦ, ଆନ୍ଦୋଳନ ଇତ୍ୟାଦି ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଏ। ଏହାଠାରୁ ଆଉ ପାଦେ ଆଗକୁ ଯାଇ ଜନସାଧାରଣଙ୍କ ଅର୍ଥରେ ପରିପାଳିତ ସରକାରୀ ତଥା ବେସରକାରୀ ସଂସ୍ଥାମାନେ ବିଭିନ୍ନ ତାରକା ହୋଟେଲରେ କର୍ମଶାଳା, ସଚେତନତା ଶିବିର ଆୟୋଜିତ କରି ଅଜସ୍ର ସରକାରୀ ଅର୍ଥ ଶ୍ରାଦ୍ଧ କରିଥାନ୍ତି। କିନ୍ତୁ ଏହାର ସୁଫଳ କେତେ ପରିମାଣରେ ସର୍ବସାଧାରଣଙ୍କ ପାଖରେ ପହଞ୍ଚିଥାଏ। ତା’ର ହିସାବ କେହି ରଖେ ନାହିଁ। ବରଂ ପୁଣି ପରବର୍ତ୍ତୀ ବର୍ଷକୁ ଅଧିକ ଜାକଜକମରେ ସଚେତନତା ଶିବିର ଆୟୋଜନରେ ଲାଗିଯାନ୍ତି। ଯେଉଁ ରାଜ୍ୟରେ ଏବେ ବି ଡାହାଣୀ ସନ୍ଦେହରେ ନରହତ୍ୟା କରାଯାଏ, ଯେଉଁଠି ଚା’ରେ ନିଶା ଦେଇ ଲୁଟେରାମାନେ ପଥଚାରୀଟିର ସର୍ବସ୍ବ ଲୁଟିବାକୁ ପଛାନ୍ତି ନାହିଁ, ଆଉ ଯେଉଁଠି ସମାଜର ଉଚ୍ଚସ୍ତରରେ ଥିବା ବୁଦ୍ଧିଜୀବୀଟିଏ ସାଇବର ଠକମାନଙ୍କ ଦ୍ୱାରା ନିଜର କଷ୍ଟୋପାର୍ଜିତ ସମ୍ପତ୍ତି ହରାଇ ସର୍ବସ୍ବାନ୍ତ ହୋଇଥାଏ ସେଠି ସଚେତନତା ନାଁରେ ରାସ୍ତାରୋକୋ, ଆନ୍ଦୋଳନ ଇତ୍ୟାଦି ଏକ ପ୍ରହସନ ପରି ଲାଗେ ନାହିଁ କି? ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଟିକୁ ସହାୟତା କରିବା ବଦଳରେ ଆମେ ତା’ ସହିତ ସେଲ୍ଫି ଉଠାଇ ଗର୍ବରେ ସୋସିଆଲ ମିଡ଼ିଆରେ ପ୍ରସାରିତ କରାଉ। ଖାଲଖମାରେ ଭର୍ତ୍ତି ରାସ୍ତାରେ ହମ୍ପସ ତିଆରି କରିବା ପାଇଁ ଗୋଡ଼ିବାଲି ଯୋଗାଡ଼ କରୁ ଆଉ ଜଙ୍ଗଲରେ ଲାଗିଥିବା ନିଆଁକୁ ଲିଭାଇବା ପରିବର୍ତ୍ତେ ଏଥିପାଇଁ ଆନ୍ଦୋଳନ କରୁ। ଏପ୍ରକାର ମାନସିକତା କ’ଣ ଜଣେ ସଚେତନ ନାଗରିକର କି? ଅତଏବ ନିଜର ଅସ୍ମିତାକୁ ବଜାୟ ରଖିବାକୁ ଯାଇ ଯଦି ଆମେ ଏସବୁର ପ୍ରକୃତ କାରଣକୁ ନିଜେ ସଚେତନ ହୋଇ ଖୋଜି ପାରନ୍ତେ ତେବେଯାଇ ତା’ର ନିରାକରଣ ସହଜ ସୁଗମ ହେବା ସହ ଦେଶ ଓ ଦଶର ମଙ୍ଗଳ ସାଧିତ ହୋଇପାରନ୍ତା।
ପ୍ରାଧ୍ୟାପକ, କୃଷି ମହାବିଦ୍ୟାଳୟ, ଭୁବନେଶ୍ୱର
ମୋ: ୯୪୩୭୧୮୫୧୭୫


Enter your email to get our daily news in your inbox.

All Right Reserved By Dharitri.Com

ଶିଖାନ୍ତୁ ଫୋନ ଶିଷ୍ଟାଚାର

ଜଗତ୍‌ସିଂହପୁର ଜୟବଡ଼ ଗ୍ରାମର ୨୨ ବର୍ଷୀୟ ଛାତ୍ର ସୂର୍ଯ୍ୟକାନ୍ତ ମୋବାଇଲ ଫୋନ୍‌ରେ ଅନ୍‌ଲାଇନ ଗେମ ଖେଳୁଥିଲା। ଏଥିପ୍ରତି ଆସକ୍ତ ଯୋଗୁ ସେ ନିଜର ସବୁ ଦାୟିତ୍ୱ...

କିଛି ଗୋପନୀୟ ରହିବ ନାହିଁ

ଆଦିମ ଅବସ୍ଥାରେ ଆମେ ଲଙ୍ଗଳା ଥିଲୁ, ମଣିଷମାନେ ଅନ୍ୟ ପ୍ରାଣୀ ଭଳି ଜୀବନଯାପନ କରୁଥିଲେ, ଲଜ୍ଜା ଧାରଣା ନ ଥିଲା। ଏବେ ଏକବିଂଶ ଶତାବ୍ଦୀର ତୃତୀୟ...

ଭୂତଳ ଜଳ ଚିନ୍ତା

କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ଦ୍ୱାରା ପ୍ରସ୍ତୁତ ଗ୍ରାଉଣ୍ଡ ଓ୍ବାଟର କ୍ୱାଲିଟି ଇନ୍‌ ଶାଲୋ ଆକ୍ୱିଫାୟର୍ସ ଅଫ୍‌ ଇଣ୍ଡିଆ ସର୍ଭେ ରିପୋର୍ଟ ୨୦୨୩ରେ ପ୍ରକାଶ ପାଇଛି ଯେ,...

ଅଜ୍ଞାନତା ଦୁଃଖର କାରଣ

ଶିକ୍ଷା ମଣିଷକୁ ପଶୁତ୍ୱରୁ ମାନବତ୍ୱକୁ ଉନ୍ନୀତ କରେ। ଆମେରିକାର ଦାର୍ଶନିକ ଜନ୍‌ ଡୁୱେ କହିଲେ, ”ଶିକ୍ଷା ଜୀବନର ପ୍ରସ୍ତୁତି ନୁହେଁ, ଶିକ୍ଷା ହେଉଛି ଜୀବନ।“ ଶିକ୍ଷାର...

ଆମ ଦୃଷ୍ଟିକୋଣ ଆମ ଜୀବନ

ଆଖି ରୂପବାନକୁ ଦେଖିଲାବେଳେ ମନ ରୂପହୀନକୁ ଦେଖିଥାଏ। ବୁଦ୍ଧି ଅରୂପ ବିଷୟରେ ବିଚାର କରିଥାଏ। ଦୃଷ୍ଟିକୋଣ ହେଉଛି ”ଏକ ସୁଶିକ୍ଷିତ ପ୍ରବୃତ୍ତି, ଯାହା ଏକ ନିର୍ଦ୍ଦିଷ୍ଟ...

ଏଟିଏମ୍‌ ଯିବ

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ଅଟୋମେଟେଡ୍‌ ଟେଲର ମେଶିନ (ଏଟିଏମ୍‌)ରୁ ଅର୍ଥ ଉଠାଣ ଉପରେ ଆସନ୍ତା ମେ’ ପହିଲାରୁ ଫି’ ବୃଦ୍ଧି ହେବା ନେଇ ଘୋଷଣା...

ଏଇ ଭାରତରେ

ଉତ୍ତରପ୍ରଦେଶ ଲକ୍ଷ୍ନୌର ଚାରୁ ଖାରେ ନାମକ ଜଣେ ବ୍ୟକ୍ତି ପ୍ରାଣୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଦେଇଛନ୍ତି। ଚାକିରିରୁ ସମୟ ବାହାର କରି ଅସହାୟ ପ୍ରାଣୀଙ୍କ ସୁରକ୍ଷାରେ...

ବିଶ୍ୱାସର କଣ୍ଠରୋଧ

କୌଣସି ବ୍ୟକ୍ତି, ବସ୍ତୁ, ବିଷୟ ଓ ବ୍ୟବସ୍ଥା ପ୍ରତି ଆମର ଆସ୍ଥା ଓ ଭରସାକୁ ବିଶ୍ୱାସ କୁହାଯାଏ। ଏସବୁର ସତ୍ୟତାକୁ ସନ୍ଦେହ କରିବା ହେଉଛି ଅବିଶ୍ୱାସ।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image