ବଜାର ହାଟରେ ହାଉଯାଉ

ଭୁବନେଶ୍ୱର, ୨୩।୩(ବ୍ୟୁରୋ): ଯାହା ଆଶଙ୍କା କରାଯାଉଥିଲା, ଶେଷରେ ସେୟା ହେଲା। ପୁଣି ବଢ଼ିଲା ସଂକ୍ରମଣ। କଟକ ପରେ ଏବେ ଭୁବନେଶ୍ୱରରେ କରୋନା ମହାମାରୀ ପୁଣି ଉଗ୍ର ହୋଇଉଠୁଥିବାବେଳେ ଇତିମଧ୍ୟରେ ଶତାଧିକ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଗତ ୪ଦିନ ଭିତରେ ସହରରେ ସଂକ୍ରମଣ ହଠାତ୍‌ ବୃଦ୍ଧି ପାଇବା ପରେ ପ୍ରଶାସନର ଚିନ୍ତା ବଢ଼ିଛି। ଭୁବନେଶ୍ୱରସ୍ଥିତ ଜାଭିଅର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜମେଣ୍ଟ (ଏକ୍ସଆଇଏମ୍‌ବି) କ୍ୟାମ୍ପସ୍‌ରୁ ୪୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବାରୁ ଏବେ ଛାତ୍ରୀଛାତ୍ରଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। ଏପଟେ ମନ୍ଦିରକୁ ମଧ୍ୟ ସଂକ୍ରମଣ ପଶିଲାଣି। ପ୍ରଶାସନ କଟକଣା ଓ ସତର୍କ ସୂଚନା ଜାରି କରି ଚୁପ୍‌ ବସୁଥିବାରୁ ଲୋକେ କିଛି ବି ମାନୁ ନାହାନ୍ତି। ହାଟ ବଜାରରେ ହାଉଯାଉ ଭିଡ଼। ସାମାଜିକ ଦୂରତ୍ୱ କଥା ଦୂରେ ଥାଉ, ପାଦ ପକାଇବାକୁ ମଧ୍ୟ ଜାଗା ମିଳୁନି। ହସ୍ପିଟାଲର ସ୍ଥିତି ନ କହିଲେ ଭଲ। କାହା ମୁହଁରେ ମାସ୍କ ନାହିଁ ତ ଆଉ କିଏ ମାସ୍କକୁ କାନରେ ଝୁଲାଇ ଭିଡ଼ରେ ଭିଡି ହେଉଥିବା ଦେଖିବାକୁ ମିଳୁଛି। ଏହି ଢ଼ିଲା କଟକଣା ଓ ନିଷ୍କ୍ରିୟ ଗାଇଡ୍‌ଲାଇନ୍‌ ଏବେ ସଂକ୍ରମଣ ବୃଦ୍ଧିକୁ ସୁଯୋଗ ଦେଉଥିବା ବାରିହୋଇପଡୁଛି। ସ୍ଥିତି ବିଗୁଡୁଥିବାବେଳେ ଭୁବନେଶ୍ୱର ମହାନଗର ନିଗମର ଚେତା ପଶିଛି। ଏପଟେ କରୋନା ଲଢ଼େଇରେ ସାବାସି ନେଇଥିବା କମିଶନରେଟ ପୋଲିସ ମଧ୍ୟ ସେପରି କଡ଼ା ଆଭିମୁଖ୍ୟ ଗ୍ରହଣ କରୁ ନ ଥିବାରୁ ଏହା ମଧ୍ୟ ସଂକ୍ରମଣକୁ ସୁହାଉଥିବା କୁହାଯାଉଛି। ପୋଲିସର ନିଦ ଭାଙ୍ଗିବା ବେଳକୁ ସହରକୁ କରୋନା ପୁଣି ଗିଳି ସାରିଥିବ ବୋଲି ବର୍ତ୍ତମାନର ସ୍ଥିତିରୁ ଜଣାପଡୁଛି।
ସେବାୟତଙ୍କ ସମେତ ପରିବାରର ୪ ପଜିଟିଭ୍‌
ଲିଙ୍ଗରାଜ ମନ୍ଦିରର ଜଣେ ସେବାୟତ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏଥିସହ ତାଙ୍କ ପରିବାରର ଅନ୍ୟ ୩ଜଣ ମଧ୍ୟ ସଂକ୍ରମିତ ହୋଇଥିବା ଜଣାପଡିଛି। ସଂକ୍ରମିତଙ୍କୁ ସଙ୍ଗରୋଧରେ ରଖାଯିବା ସହ କଣ୍ଟାକ୍ଟ ଟ୍ରେସିଂ ଚାଲିଛି। କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ମନ୍ଦିରରେ ନିୟମକୁ କଡ଼ାକଡ଼ି ପାଳନ କରିବା ପାଇଁ ବ୍ୟବସ୍ଥା କରାଯାଉଛି। ତେବେ ମନ୍ଦିରରେ ଆଉ କେଉଁମାନେ ସଂକ୍ରମିତ ହୋଇଛନ୍ତି ତା’ର ମଧ୍ୟ ଅନୁଧ୍ୟାନ କରାଯାଉଛି ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

Share