ଏକ ଭିନ୍ନ ଧରଣର ପ୍ରେମ କାହାଣୀକୁ ନେଇ ନିର୍ମିତ ହୋଇଛି ଓଡ଼ିଆ ସିନେମା ‘ଚାଲ୍ ଟିକେ ପ୍ରେମ କରିବା’। ଏହାର ପ୍ରଯୋଜନା କରିବା ସହ ଫିମେଲ୍ ଲିଡ୍ରେ ଅଭିନୟ କରିଛନ୍ତି ଚିନ୍ମୟୀ ପ୍ରିୟଦର୍ଶିନୀ। ଦେବକୀ ଫିଲ୍ମ ବ୍ୟାନରରେ ନିର୍ମିତ ଏହି ଫିଲ୍ମର ସମସ୍ତ କାମ ଶେଷ ହେବା ସହ ରିଲିଜ ଅପେକ୍ଷାରେ ରହିଛି। ଦେବକୀ ସାହୁଙ୍କ କାହାଣୀକୁ ଆଧାର କରି ସଂଳାପ ରଚନା କରିଛନ୍ତି ଆଶୁତୋଷ ବାରିକ। ସଂଯୋଜିତ ଗୀତଗୁଡ଼ିକୁ ସ୍ବର ଦେଇଛନ୍ତି ବିଭୂତି ଭୂଷଣ। ଏହି ଫିଲ୍ମର ନାୟକ ସାଜିଛନ୍ତି ଦେବରାଜ। ‘ତୋ ପ୍ରେମରେ ପଡ଼ିଗଲା ପରେ’ ସିନେମାରେ ଦେବରାଜ-ଚିନ୍ମୟୀ ଯୋଡ଼ିକୁ ପ୍ରଥମଥର ପାଇଁ ଦେଖିବାକୁ ମିଳିଥିଲା। ତେବେ ଏଥର ମଧ୍ୟ ଚିନ୍ମୟୀ ପୁଣି ଥରେ ଏକ ପ୍ରେମକାହାଣୀକୁ ଆଧାରକରି ଚିତ୍ରଟିଏ ପ୍ରସ୍ତୁତ କରିଛନ୍ତି। ଏଥିରେ ଦୁହେଁ ନିଜ ନିଜ ଭୂମିକାକୁ ନେଇ ବେଶ୍ ଆଶାବାଦୀ ଅଛନ୍ତି। ଅନ୍ୟପକ୍ଷରେ ଏହାର ନିର୍ଦ୍ଦେଶକ ସରୋଜ କାନ୍ତଙ୍କର ଏହା ହେଉଛି ପଞ୍ଚମ ଚଳଚ୍ଚିତ୍ର। ଦେବରାଜ-ଚିନ୍ମୟୀଙ୍କ ବ୍ୟତୀତ ଏହି ଫିଲ୍ମରେ ଲିପ୍ସା ମିଶ୍ର, ପ୍ରଜ୍ଞା, ଗୁଡ୍ଡୁ, ବୀରେନ୍ ମିଶ୍ର ଏବଂ ପରଲୋକଗତ ସଲିଲ ମିତ୍ର ପ୍ରମୁଖ କଳାକାର ଅଭିନୟ କରିଛନ୍ତି। ଫିଲ୍ମଟି ଚଳିତ ମାସ ଶେଷ ସପ୍ତାହରେ ପରଦା ଉପରକୁ ଆସିବ ବୋଲ ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।