ଆସ ଗଛ ସହ ବନ୍ଧୁ ବାନ୍ଧିବା

ପୁରୁଣା ଭୁବନେଶ୍ୱର, ୧।୮: ଅଗଷ୍ଟ ପ୍ରଥମ ରବିବାରକୁ ଅନ୍ତର୍ଜାତୀୟ ବନ୍ଧୁତା ଦିବସ ରୂପେ ପାଳନ କରାଯାଉଥିବାବେଳେ ପରିବେଶବିତ୍‌ ତଥା ଯୁବ ସାମାଜିକ କର୍ମୀ ସୁଶାନ୍ତ ସାହୁ ପତ୍ର ଓ ମୁରୁଜରେ ବୃକ୍ଷ ତିଆରି କରି ବନ୍ଧୁତ୍ୱର ନିଆରା ବାର୍ତ୍ତା ଦେଇଛନ୍ତି। ମଣିଷ ତଥା ପୂରା ଜୀବଜଗତ ପାଇଁ ଗଛ କିପରି ବନ୍ଧୁଠାରୁ ଆହୁରି ଅଧିକ ଉପକାରୀ ତାହା ସେ ଦର୍ଶାଇଛନ୍ତି। ଭୁବନେଶ୍ୱର ପୋଖରୀପୁଟ ଇନ୍ଦ୍ରପ୍ରସ୍ଥ କଲୋନୀ ଫେଜ-୨ରେ ରହୁଥିବା ସୁଶାନ୍ତ ତିଆରି କରିଥିବା ଗଛରେ ଶୁଦ୍ଧ ଅମ୍ଳଜାନ, ପ୍ରଦୂଷଣ ନିୟନ୍ତ୍ରଣ, ତାପମାନ ନିୟନ୍ତ୍ରଣ, ସୁନ୍ଦରତା, ଜଳସ୍ତର ନିୟନ୍ତ୍ରଣ, ମୃତ୍ତିକା ସଂରକ୍ଷଣ, ଜୈବ ବିବିଧତାର ବିକାଶ, ଶବ୍ଦ ନିୟନ୍ତ୍ରଣ, ଔଷଧ, ଫୁଲ, ଫଳ, ଖାଦ୍ୟ, ବସ୍ତ୍ର, ବାସଗୃହ, ବନ୍ୟାରୁ ସୁରକ୍ଷା, ପଶୁପକ୍ଷୀଙ୍କ ନିବାସ, ଛାୟା, କାଗଜ, କାଠ ଇତ୍ୟାଦିକୁ ସ୍ଥାନିତ କରି ‘ଆସ ଗଛ ସହ ବନ୍ଧୁ ବାନ୍ଧିବା’ର ବାର୍ତ୍ତା ରଖିଛନ୍ତି। ଏହି ଅବସରରେ ସେ ବିଶ୍ୱବାସୀଙ୍କୁ ବୃକ୍ଷ ଉପହାର ଦେଇଛନ୍ତି। ବୃକ୍ଷ ତା’ର ଜୀବନକାଳ ମଧ୍ୟରେ ମଣିଷର ଅନ୍ତୁଡ଼ିଶାଳରୁ ମଶାଣି ପର୍ଯ୍ୟନ୍ତ ନିଃସ୍ବାର୍ଥପର ଭାବେ ଏକ ଅନ୍ତରଙ୍ଗ ବନ୍ଧୁ ପରି ପାଖେ ପାଖେ ରହି ସେବା ଯୋଗାଇ ଆସିଥାଏ। କଥାରେ ଅଛି ବିପଦର ବନ୍ଧୁ ପ୍ରକୃତ ବନ୍ଧୁ। ଠିକ୍‌ ଗଛ ବିପଦର ବନ୍ଧୁ ପରି ସମସ୍ତ ବିପଦ ଆପଦରେ ମଣିଷ ପାଖରେ ଠିଆ ହୋଇଥାଏ। ବିଶ୍ୱ ବନ୍ଧୁତା ଦିବସରେ ବିଶ୍ୱବାସୀ ଗଛ ସହ ବନ୍ଧୁ ବାନ୍ଧିବାର ଭାବନା ପ୍ରଦର୍ଶିତ କରନ୍ତୁ ବୋଲି ସୁଶାନ୍ତ ଏହି ଅବସରରେ ନିବେଦନ କରିଛନ୍ତି। ସୁଶାନ୍ତଙ୍କ ଏଭଳି ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା ସହ ସ୍ବାଗତ କରାଯାଇଛି।

Share