Categories: ଜାତୀୟ

ମହୁଆଙ୍କୁ ବହିଷ୍କାର ନିଷ୍ପତ୍ତି ପୂର୍ବରୁ ଆଲୋଚନା ହେଉ

ନୂଆଦିଲ୍ଲୀ,୫ା୧୨(ପି.ଟି.): ପ୍ରଶ୍ନ ପାଇଁ ଲାଞ୍ଚ ମାମଲାରେ ଟିଏମ୍‌ସି ଏମ୍‌ପି ମହୁଆ ମୋଇତ୍ରଙ୍କୁ ଲୋକ ସଭାରୁ ବହିଷ୍କାର କରିବା ଲାଗି ଏଥିକ୍ସ କମିଟି ସୁପାରିସ୍‌ କରିଥିଲା। ଉକ୍ତ ରିପୋର୍ଟ ଉପରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଗୃହରେ ଆଲୋଚନା କରିବା ନିମନ୍ତେ ବିରୋଧୀ ସଦସ୍ୟମାନେ ସୋମବାର ଦାବି କରିଛନ୍ତି। ଲୋକ ସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ଅଧ୍ୟକ୍ଷତାରେ ବିଜ୍‌ନେସ ଆଡଭାଇଜରୀ କମିଟି ବୈଠକ ଚାଲିଥିବାବେଳେ ବିରୋଧୀ ସଦସ୍ୟ ଉପରୋକ୍ତ ଦାବି ଉଠାଇଥିଲେ। ମହୁଆଙ୍କ ଉପରେ ଏଥିକ୍ସ କମିଟି ରିପୋର୍ଟ ମଙ୍ଗଳବାର ଲୋକ ସଭାରେ ଉପସ୍ଥାପନ ହେବା ଆଶା କରାଯାଉଛି। ଉପନିବେଶ ସମୟର ଅପରାଧ ଆଇନ ସ୍ଥାନରେ ଅଣାଯାଇଥିବା ୩ ବିଲ୍‌ ଉପରେ ଆଲୋଚନା ପାଇଁ ୧୨ ଘଣ୍ଟା ସମୟ ଦେବାକୁ ଆଡଭାଇଜରି କମିଟି ନିଷ୍ପତ୍ତି ନେଇଛି। ସେହିପରି ମୁଖ୍ୟ ନିର୍ବାଚନ କମିଶନ ଏବଂ ଅନ୍ୟ ନିର୍ବାଚନ କମିଶନଙ୍କ (ନିଯୁକ୍ତି, ସେବା ନିୟମ ଓ ସର୍ତ୍ତାବଳୀ) ବିଲ୍‌ ଉପରେ ୩ ଘଣ୍ଟା ଆଲୋଚନା କରିବାକୁ ସ୍ଥିର ହୋଇଛି। ଭାଜପା ଏମ୍‌ପି ବିନୋଦ ସୋଙ୍କରଙ୍କ ଅଧ୍ୟକ୍ଷତାରେ ଗଠିତ ଲୋକ ସଭା ଏଥିକ୍ସ କମିଟି ରିପୋର୍ଟ ନଭେମ୍ବର ୯ରେ ଗୃହୀତ ହୋଇଥିଲା। କ୍ୟାଶ୍‌ ଫର୍‌ କ୍ୱେରି ଅଭିଯୋଗରେ ମହୁଆଙ୍କୁ ନିମ୍ନ ସଦନରୁ ବହିଷ୍କାର କରିବା ପାଇଁ ଏଥିରେ ସୁପାରିସ କରାଯାଇଛି। ଉକ୍ତ ରିପୋର୍ଟ ସପକ୍ଷରେ ଗୃହ ଭୋଟ ଦେଲେ ମହୁଆଙ୍କୁ ବହିଷ୍କାର କରାଯିବ।

Share