ଟିକା ପାଇଁ ଚିଠି

ଭୁବନେଶ୍ୱର,୩୦ା୪(ବ୍ୟୁରୋ): କୋଭିଡ୍‌-୧୯ ସଂକ୍ରମଣ ଦ୍ରୁତଗତିରେ ବଢ଼ିଚାଲିଛି। ରାଜ୍ୟରେ ଏପ୍ରିଲ୍‌ ମାସରେ ଏଯାବତ୍‌ ୯୪,୫୯୬ ସଂକ୍ରମଣ ଚିହ୍ନଟ ହେଲେଣି। ଏଭଳି ସ୍ଥିତିରେ ରାଜ୍ୟ ସରକାର ଟିକାକରଣ ଉପରେ ଅଧିକ ଗୁରୁତ୍ୱ ଦେଇଛନ୍ତି। ବହୁମାତ୍ରାରେ ଟିକା ଆବଶ୍ୟକ ଥିବାରୁ ରାଜ୍ୟ ସରକାର ୨ ଟିକା ଉତ୍ପାଦନକାରୀ ସଂସ୍ଥାକୁ ଚିଠି ଲେଖିଛନ୍ତି। କେଉଁ ପର୍ଯ୍ୟାୟରେ କେତେ ଟିକା ଦରକାର, ସେନେଇ ଗୁରୁବାର ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ(ଏସିଏସ୍‌) ପ୍ରଦୀପ୍ତ କୁମାର ମହାପାତ୍ର ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ପରିଚାଳନା ନିର୍ଦ୍ଦେଶକ ଏବଂ ଭାରତ ବାୟୋଟେକ୍‌କୁ ଚିଠି ଲେଖିଛନ୍ତି। ଉଭୟ ସଂସ୍ଥାରୁ ରାଜ୍ୟ ସରକାର ମୋଟ ୨ କୋଟି ୩୦ଲକ୍ଷ ୩୪ ହଜାର ଟିକା ଆଣିବାକୁ ଅର୍ଡର ଦେଇଛନ୍ତି। ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରୁ ସରକାର ମେ’ ମାସ ପାଇଁ ୪୦ ଲକ୍ଷ, ଜୁନ୍‌, ଜୁଲାଇ ଏବଂ ଅଗଷ୍ଟ ପାଇଁ ମାସିକ ୬୦ ଲକ୍ଷ ଡୋଜ୍‌ କୋଭିଶିଲ୍ଡ କିଣିବାକୁ ନିଷ୍ପତ୍ତି ନେଇଛନ୍ତି। ସେହିପରି ଭାରତ ବାୟୋଟେକ୍‌ଠାରୁ ୧୦ଲକ୍ଷ ୩୪ ହଜାର ଡୋଜ୍‌ କୋଭାକ୍ସିନ ସରକାର କ୍ରୟ ଆଦେଶ ଦେଇଛନ୍ତି। ମେ’ ୩୧ ସୁଦ୍ଧା ୫ ଲକ୍ଷ ଏବଂ ବାକି ୫.୩୪ ଲକ୍ଷ କୋଭାକ୍ସିନ ଡୋଜ୍‌ ଜୁନ୍‌ ୧୫ ସୁଦ୍ଧା ଯୋଗାଇ ଦେବାକୁ ଏସିଏସ୍‌ ଭାରତ ବାୟୋଟେକ୍‌କୁ ଚିଠି ଲେଖି ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ, ମେ’ ପହିଲାରୁ ୧୮ରୁ ୪୪ ବର୍ଷ ବର୍ଗଙ୍କୁ ମାଗଣା ଟିକା ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାର ଟିକା ଯୋଗାଡ଼ ପାଇଁ ପ୍ରସ୍ତୁତି ଚଳାଇଛନ୍ତି।

Share