Categories: ଜାତୀୟ

ଅନ୍ତର୍ଜାତୀୟ ବଜାରରୁ ଟିକା କିଣିବା ସହ ୯ ପ୍ରସ୍ତାବ ଦେଲେ ବିରୋଧୀ

ନୂଆଦିଲ୍ଲୀ, ୧୨।୫: ଦେଶରେ କରୋନାର ଦ୍ୱିତୀୟ ଲହର ପ୍ରବଳ ବେଗରେ ମାଡ଼ିଚାଲିଥିବା ବେଳେ ହସ୍ପିଟାଲଗୁଡ଼ିକରେ ରୋଗୀ ଚିକିତ୍ସା ପାଇଁ ବେଡ୍‌ ମିଳୁନି। ପ୍ରତିଦିନ ହଜାର ହଜାର ଲୋକ ପ୍ରାଣ ହରାଉଛନ୍ତି। ଏହାକୁ ସର୍ବନାଶକାରୀ ମାନବୀୟ ଦୁଃଖ ଭାବେ ଅଭିହିତ କରି ଏହାକୁ ରୋକିବା ଦିଗରେ ତୁରନ୍ତ ପଦକ୍ଷେପ ନେବା ପାଇଁ ଦେଶର ୧୨ ପ୍ରମୁଖ ବିରୋଧୀ ଦଳ ଦାବି କରିଛନ୍ତି। ବିରୋଧୀ ଦଳଗୁଡ଼ିକ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖି ସମସ୍ତଙ୍କୁ ମାଗଣାରେ ଟିକା ଦେବା ସହ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ୯ଟି ପ୍ରସ୍ତାବ ଦେଇଛନ୍ତି। ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପ କାର୍ଯ୍ୟ ବନ୍ଦ କରିବା ଏବଂ କୃଷି ଆଇନ ପ୍ରତ୍ୟାହାର କରିନେବା ପାଇଁ ମଧ୍ୟ ସେମାନେ ପରାମର୍ଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କୁ ବ୍ୟକ୍ତିଗତ ଭାବେ ଓ ମିଳିତ ଭାବେ ଏକାଧିକ ଥର ବିଭିନ୍ନ ପ୍ରସ୍ତାବ ଓ ପରାମର୍ଶ ଦିଆଗଲାଣି। ତେବେ ଦୁର୍ଭାଗ୍ୟର କଥା ସରକାର ଏହାକୁ ଅଣଦେଖା କରୁଛନ୍ତି । ଫଳରେ ଦେଶ ଆଜି ଏଭଳି ସ୍ଥିତିରେ ପହଞ୍ଚତ୍ଛି ବୋଲି ଚିଠିରେ କୁହାଯାଇଛି। ବିଏସ୍‌ପି ଏବଂ ଆମ୍‌ ଆଦ୍‌ମୀ ପାର୍ଟି ବ୍ୟତୀତ ଅନ୍ୟ ପ୍ରମୁଖ ବିରୋଧୀ ଦଳର ପ୍ରତିନିଧି ଉକ୍ତ ପତ୍ରରେ ସ୍ବାକ୍ଷର କରିଛନ୍ତି।

ବିରୋଧୀ ଦଳ ଦେଇଥିବା ପ୍ରସ୍ତାବ:

-ଘରୋଇ ସମେତ ଅନ୍ତର୍ଜାତୀୟ ବଜାରରୁ କେନ୍ଦ୍ର ସରକାର ଟିକା କିଣନ୍ତୁ

-ତୁରନ୍ତ ମାଗଣା ଓ ସାର୍ବଜନିନ ଗଣ ଟିକାକରଣ ଅଭିଯାନ ଆରମ୍ଭ ହେଉ

-ଘରୋଇ ଟିକା ଉତ୍ପାଦନ ବୃଦ୍ଧି ପାଇଁ ବାଧ୍ୟତାମୂଳକ ଲାଇସେନ୍ସ

-ଟିକାକରଣ ପାଇଁ ବଜେଟରେ ବ୍ୟୟବରାଦ ହୋଇଥିବା ୩୫,୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଉ

– ସେଣ୍ଟ୍ରାଲ ଭିଷ୍ଟା ନିର୍ମାଣ ବନ୍ଦ କରି ସେହି ଅର୍ଥକୁ ଅକ୍ସିଜେନ ଓ ଟିକା ପାଇଁ ବ୍ୟବହାର କରାଯାଉ

-ହିସାବ ବହିର୍ଭୁକ୍ତ ଘରୋଇ ଟ୍ରଷ୍ଟ ଫଣ୍ଡ ଏବଂ ପିଏମ୍‌ କେୟାର୍ସ ପାଣ୍ଠିରେ ଟିକା, ଅକ୍ସିଜେନ୍‌ ଏବଂ ମେଡିକାଲ ଉପକରଣ କିଣାଯାଉ

– ବେରୋଜଗାରୀମାନଙ୍କୁ ମାସିକ ୬୦୦୦ ଟଙ୍କା ଦିଆଯାଉ

-ଗରିବଙ୍କୁ ମାଗଣାରେ ଖାଦ୍ୟ ଯୋଗାଇ ଦିଆଯାଉ

-ଚାଷୀମାନଙ୍କୁ କରୋନା କବଳରୁ ବଞ୍ଚାଇବା ପାଇଁ ନୂଆ କୃଷି ଆଇନ ପ୍ରତ୍ୟାହାର କରାଯାଉ

Share