କୋକସରା,୭ା୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ଓ୍ବେ ଦର୍ଲିପଡ଼ା ଛକରୁ ଡୁଡୁକାଠେଙ୍ଗା ପଞ୍ଚାୟତ ମୁନୁଗା ପଦର ଓ ଧବେନ ଚଞ୍ଚରା ୭ କିଲୋମିଟର ରାସ୍ତା ଅତି ଶୋଚନୀୟ ଅବସ୍ଥାରେ ପଡ଼ିରହିଛି। ଫଳରେ ଏହି ପଞ୍ଚାୟତର ଜଙ୍ଗଲ ପାଦଦେଶରେ ରହୁଥିବା ଅନେକ ଗାଁର ଲୋକେ ପଞ୍ଚାୟତ ଓ ବ୍ଲକ ମୁଖ୍ୟାଳୟକୁ ଯିବା ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନେକ ସମୟରେ ନିର୍ବାଚିତ ଜନପ୍ରତିନିଧି ଓ ପ୍ରଶାସନିକ ଅଧିକାରୀଙ୍କୁ ରାସ୍ତା ନିର୍ମାଣ ପାଇଁ ଅଭିଯୋଗ କରାଯାଇଛି। ହେଲେ ଅଦ୍ୟାବଧି ରାସ୍ତା ନିର୍ମାଣ ହୋଇ ପାରିନାହିଁ। ଫଳରେ ବର୍ଷା ହେଲେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଏହି ପଞ୍ଚାୟତର ମୁନୁଗା ପଦର ଓ ଧୋବେନ ଚଞ୍ଚରା ଗ୍ରାମବାସୀ। ପଞ୍ଚାୟତକୁ ପିଡିଏସ୍ ସାମଗ୍ରୀ ଆଣିବାକୁ ହେଉ ଅବା ଅନ୍ୟ କୌଣସି କାର୍ଯ୍ୟରେ ବ୍ଲକ କାର୍ଯ୍ୟାଳୟକୁ ଯିବା ଆସିବା ପାଇଁ ହଇରାଣ ହେଉଛନ୍ତି। ଏନେଇ ଡୁଡୁକାଠେଙ୍ଗା ପଞ୍ଚାୟତ ସରପଞ୍ଚ ହରିପ୍ରିୟା ନାଗ ପଞ୍ଚାୟତରେ ଏକ ରେଜୁଲେଶନ କରି ଧର୍ମଗଡ଼ ଗ୍ରାମ୍ୟ ଉନ୍ନୟନ ବିଭାଗୀୟ ଅଧିକାରୀଙ୍କୁ ଦର୍ଲିପଡ଼ା ଛକରୁ ମୁନୁଗା ପଦର ଓ ଧୋବେନ ଚଞ୍ଚରା ୭ କିଲୋମିଟର ରାସ୍ତା ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା କିମ୍ବା ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ସାମିଲ କରିବାକୁ ଚିଠି ଲେଖିଛନ୍ତି।