ଗୋଟେ ଦମ୍ଭର ନାଁ, ଗୋଟେ ଅହଙ୍କାରର ନାଁ, ଗୋଟେ ଆଶ୍ରାର ନାଁ, ଗୋଟେ ନିରୀହ ଭଲପାଇବାର ନାଁ ବାପା। ହେଲେ କୌଣସି ସନ୍ତାନ କ’ଣ ସତରେ ବାପାଙ୍କୁ ଠିକ୍ ଭାବରେ ବୁଝି ପାରନ୍ତି! କେହି କେହି ବୁଝନ୍ତି ଯେତେବେଳେ ସେ ନିଜେ ବାପା ହୁଅନ୍ତି। ବୁଝନ୍ତି, ହେଲେ କହିପାରନ୍ତି ନାହିଁ, ଆଉ କେହି ବୁଝିବା ବେଳକୁ ବାପା ତାଙ୍କୁ ଛାଡି ଚାଲି ଯାଇଥାନ୍ତି ବହୁ ଦୂରକୁ । ଏକଥା ଊଣାଅଧିକେ ପ୍ରାୟ ପ୍ରତ୍ୟେକ ସନ୍ତାନଙ୍କ କ୍ଷେତ୍ରରେ ଘଟିଥାଏ । ଏଥର ପ୍ରଚ୍ଛଦରେ ଏମିତି କେତେଜଣ ସନ୍ତାନ ଅଛନ୍ତି ଯିଏ ତାଙ୍କ ମନର କଥା ଅବସୋସର କଥା, ଭଲପାଇବାର କଥା ଚିଠି ମାଧ୍ୟମରେ ଜଣାଇଛନ୍ତି ତାଙ୍କ ବାପାଙ୍କୁ…
ପୃଥିବୀ ମାଆ ହେଲେ ବାପା ହେଉଛନ୍ତି ଆକାଶ। ଏମିତି ଶୁଣି ଆସିଛେ ଆମେ କାହିଁ କେବେଠାରୁ। ସତ କହିବାକୁ ଗଲେ ମାଆର ମମତାରେ ଆସ୍ଥା ହୋଇ ଠିଆ ହୁଅନ୍ତି ବାପା। ମୁଣ୍ଡରେ ବାପାଙ୍କର ହାତ ଅଛି ଭାବିଦେଲେ ସନ୍ତାନ କ’ଣ କେବେ କେଉଁଠି ଡରିଯାଏ! ପିଢ଼ିଗତ ବ୍ୟବଧାନ ଦେଖେଇଛି ଆଜି କେତେ ଅନ୍ତରଙ୍ଗ, କେତେ ବନ୍ଧୁଭାବାପନ୍ନ ଆଜିର ପିତା ଓ ସନ୍ତାନର ସମ୍ପର୍କ। କିନ୍ତୁ କେଇ ଦଶନ୍ଧି ତଳେ ବାପାଙ୍କୁ କିଛି କହିବା ପାଇଁ ପିଲାଟିଏ ସାହାରା ନେଉଥିଲା ମାଆର ପଣତ। ଏବେ ମାଆ ନୁହେଁ ବାପା ହିଁ ପ୍ରଥମ ମଣିଷ, ଯାହାଙ୍କ ସହ ପିଲାଟିଏ ବେଶ୍ ଆରାମରେ ଯେକୌଣସି କଥା କହିପାରୁଛି। ଅତୀତ ହେଉ କି ବର୍ତ୍ତମାନ ବ୍ୟବହାରର ମୋଡ଼ ବଦଳିଛି ସତ କିନ୍ତୁ ବାପା ବାପା ହୋଇ ରହିଛନ୍ତି , ରହିଥିବେ ଈଶ୍ୱର ସମ ନିଜ ପିଲାଙ୍କ ପାଇଁ।
ଆପଣଙ୍କ ଅବର୍ତ୍ତମାନରେ ବୁଝୁଛି ଆପଣଙ୍କୁ
(କଣ୍ଠଶିଳ୍ପୀ ଗୀତା ଦାଶଙ୍କ ଚିଠି ନନା ହରିହର ମିଶ୍ରଙ୍କୁ)
ନନା, ଆଜି ଆପଣ ମୋ ପାଖରେ ନାହାନ୍ତି, କିନ୍ତୁ ଜାଣିଛି ଯୋଉଠି ଥିଲେ ବି ମୋ ଉପରେ ଆପଣଙ୍କର ଆଶୀର୍ବାଦ ରହିଛି। ଆଜି ମୁଁ ଯୋଉଠି ଅଛି ଆପଣଙ୍କର ଆଉ ବୋଉର ଆଶୀର୍ବାଦ ବିନା କେବେ ସମ୍ଭବ ହୋଇ ନ ଥାନ୍ତା। କିନ୍ତୁ ଜାଣିଛନ୍ତି ନନା, ମୋର ପିଲାବେଳୁ ଗୋଟେ ଅଭିମାନ ଥିଲା ଆପଣଙ୍କର ଉପରେ। ସବୁବେଳେ ଭାବୁଥିଲି ମୁଁ ଗୀତ ଗାଏ ବୋଲି ଏକଥା ଆପଣ ଚାହାନ୍ତିନି। ଭାବୁଥିଲି ଯେ,ଗୀତରେ ମୁଁ ଯୋଉଠି ପହଞ୍ଚିଛି ତା’ କେବଳ ବୋଉ ପାଇଁ। ଏକଥା ମୁଁ ଅନେକ ଥର ସର୍ବସମକ୍ଷରେ ସ୍ବୀକାର ବି କରିଛି। ଗୀତ ଥିଲା ମୋର ସବୁଠୁ ପ୍ରିୟ। ସେଇଥି ପାଇଁ ବୋଧେ ଅଭିମାନଟା ଟିକେ ଅଧିକ ଥିଲା। ହେଲେ ଆଜି ମୁଁ ବୁଝିପାରୁଛି ମୁଁ ଭୁଲ ଥିଲି। ଆପଣଙ୍କୁ ବୁଝିବାରେ ବୋଧହୁଏ ମୋର ଭୁଲ ରହି ଯାଇଥିଲା। ମନେ ଅଛି ନନା, ଯେତେବେଳେ ମୁଁ ଖୁବ୍ ଛୋଟ ଥିଲି ରେଡିଓ ଭିତରେ କିଏ ଗୀତ ଗାଉଛି ଦେଖିବି ବୋଲି ରେଡିଓକୁ ଭାଙ୍ଗି ଦେଇଥିଲି। ଆପଣ ମୋ ଉପରେ ଖୁବ୍ ରାଗିବା କଥା, କିନ୍ତୁ ଆଦୌ ରାଗି ନ ଥିଲେ। ପୁଣି ଗୋଟେ ରେଡିଓ କିଣିକି ଆଣିଥିଲେ। ଆଉ ମତେ କଟକ ରେଡିଓ ଷ୍ଟେଶନ ନେଇକି ଯାଇଥିଲେ ଦେଖେଇବା ପାଇଁ ଯେ, କେମିତି ରେଡିଓ ଚାଲୁଛି ବୋଲି। ଆମେ ସେଦିନ ଶିଶୁ ସଂସାର ଭିତରକୁ ଯାଇଥିଲେ କେମିତି କାର୍ଯ୍ୟକ୍ରମ ତିଆରି ହେଉଛି ଦେଖିବା ପାଇଁ। ପୁଣି ମୋ ପାଇଁ ସଙ୍ଗୀତ ଗୁରୁ ବି ଆପଣ ଠିକ୍ କରିଥିଲେ, ଆଉ ପ୍ରତି ମୁହୂର୍ତ୍ତରେ ଗାଇଡ୍ ମଧ୍ୟ କରୁଥିଲେ। ତେଣୁ ମୁଁ ଗୀତ ଗାଏ ବୋଲି ଆପଣ ଚାହୁଁ ନ ଥିଲେ ସେଇଟା ମୋର ଭାବିବା ଭୁଲ ଥିଲା। କେମିତି ମୁଁ ଭାବୁଥିଲି କେଜାଣି। ଆପଣ ନ ଚାହିଁଥିଲେ କ’ଣ ମୁଁ ଆଜି ଯେଉଁଠି ଅଛି ସେଠାରେ ପହଞ୍ଚି ପାରିଥାନ୍ତି ? ଆପଣଙ୍କ ଆଶୀର୍ବାଦ ବିନା ଯେ ଏସବୁ ଆଦୌ ସମ୍ଭବ ହୋଇ ନ ଥାନ୍ତା, ଏକଥା ଏବେ ଖୁବ୍ ବୁଝୁଛି। ଆପଣ ମୋ ପାଇଁ କ’ଣ ଥିଲେ ଆପଣଙ୍କ ଅବର୍ତ୍ତମାନରେ ଏବେ ବେଶି ବେଶି ଭାବୁଛି।
କ୍ଷମା କରିଦେବ ନନା (ସଂଳାପକାର ଡ. ରଜନୀ ରଞ୍ଜନଙ୍କର ଚିଠି ନନା ରବି ଦାଶ ଓରଫ କୌଶିକଙ୍କୁ)
ନନା ପ୍ରଣାମ ନେବ, ଆଉ ମତେ କ୍ଷମା କରିଦେବ, ବଞ୍ଚିଥିବା ଭିତରେ କ୍ଷମା ମାଗିବାର ସୁଯୋଗ ମିଳିଲାନି। ଯୋଉଥିପାଇଁ ମୁଁ ଭିତରେ ଭିତରେ ସବୁବେଳେ ଭାବି ହଉଛି। ନନା ତମକୁ ପ୍ରଥମେ କିନ୍ତୁ ବୁଝିବାରେ ମୋର ଭୁଲ ଥିଲା। କାହିଁକିନା, ପ୍ରଥମେ ପ୍ରଥମେ ମୁଁ ଯେତେବେଳେ ଗୀତ ଲେଖିଲି ତମେ ମତେ ବହୁତ ଗାଳି ଦେଉଥିଲ। ମୋ ଭାବନା ଥିଲା ଏୟା ଯେ ‘ବୋଧହୁଏ ତମେ ଭାବୁଥିଲ ତମ ସହ ମୁଁ ଗୀତ ଲେଖାରେ ପ୍ରତିନ୍ଦ୍ୱନ୍ଦିତା କରୁଛି।’ କାହିଁକିନା ମୋ ଗୀତକୁ ନେଇ ତମେ କେବେ ପ୍ରଶଂସା କରିବା ମୁଁ ଶୁଣି ନ ଥିଲି। ଏପରି ହୋଇଥିଲା ଗୋଟିଏ ଚଳଚ୍ଚିତ୍ରରେ ଆମେ ଦୁହେଁ ଏକାଠି ଗୀତ ଲେଖୁଥିଲୁ। କିନ୍ତୁ ସେଇ ଦିନ ମୋର ସେ ଧାରଣା ଦୂର ହେଲା ଯୋଉଦିନ ତମେ ଟିଭି ଇଣ୍ଟରଭ୍ୟୁରେ କହିଥିଲ ବୁଗୁଲା (ମୋ ଡାକ ନାଁ) ଦିନ ଥିଲା ତୁ ମୋ ପରିଚୟ ନେଇ ବଞ୍ଚିଥିଲୁ, ହେଲେ ଆଜି ମୁଁ ତୋ ବାପର ପରିଚୟ ନେଇ ଗର୍ବ କରୁଛି। ମୋ ଆଖିରେ ଲୁହ ଜକେଇ ଆସିଥିଲା। ଅନେକ ଗୀତରେ ମୁଁ ତମ ଗୀତର ଲାଇନକୁ ଚୋରି କରିଛି, ଭାବିଥିଲି ତମ ଋଣ ଶୁଝିଦେବି ବୋଲି। ହେଲେ ମତେ ସେ ସୁଯୋଗ ଦେଲନି। ତମ ଗୀତଗୁଡିକୁ ବହି କରି ଛପେଇ ପାରିଲିନି। ମୃତ୍ୟୁ ସମୟରେ ବି ହସ୍ପିଟାଲରେ ତମ ପାଇଁ ଖର୍ଚ୍ଚ କରିବାର ଅହଙ୍କାରକୁ ମୋର ଆଡେଇ ଦେଇ ଚୁପଚାପ୍ ଖସି ଚାଲିଗଲ।
ଚେଷ୍ଟା କରିବା ସତ୍ତ୍ୱେ ବି ‘ କୁହୁଡ଼ି ନଦୀର ମୀନମାନେ ଶୁଣ ଗଙ୍ଗା ବହୁଛି ଧୀରେ’ ପରି ତମ ଗୀତ ପଦେ ମୁଁ ଲେଖି ପାରିଲିନି। ତମକୁ ଅତିକ୍ରମ କରିପାରିଲି ନାହିଁ ବୋଲି ତ ତମେ ମୋ ନନା। ତମ ଋଣ ଶୁଝିବା ପାଇଁ ଆଉ ଗୋଟେ ଜନ୍ମ ଅପେକ୍ଷାରେ।
ତମେ ଥିବା ବେଳେ ଥିଲା ଅଭିମାନ, ଯିବା ପରେ କେବଳ ଶୂନ୍ୟତା (ଅଭିନେତ୍ରୀ ଭାସ୍ବତୀ ବସୁଙ୍କ ଚିଠି ବାବୁଜୀ ଅସୀମ ବସୁଙ୍କୁ)
ବାବୁଜୀ, ତୁମେ ତ ଜାଣ ଯେ ଚିଠି ଲେଖିବା ମୋ ପାଇଁ କେତେ କଷ୍ଟକର କାମ। କଲମ ଧରିବାକୁ କହିଲେ ମୋ ହାତ ବ୍ୟଥା ହୁଏ। ହେଲେ ଆଜି ତୁମ ପାଖକୁ ଲେଖୁଛି। ଲେଖୁଛି କାରଣ ମୁହଁ ଖୋଲି କେବେ କହି ପାରିନି। ଆମେ ପ୍ରଚୁର ଗପୁଥିଲେ, ସାରା ଦୁନିଆ ବିଷୟରେ, ଛୁଞ୍ଚିରୁ ହାତୀ ଯାଏଁ… ତଥାପି କେତେ କଥା ଅକୁହା ରହିଗଲା ନା! ମୁଁ କ’ଣ କେବେ କହିପାରିଲି ଯେ ତୁମ ଦେହର ବାସ୍ନା ମୋର କେତେ ପସନ୍ଦ ଥିଲା! ସିଗାରେଟ ଆଉ ଝାଳ ମିଶା ଗୋଟେ ପୁରୁଷାଳୀ ବାସ୍ନା। ସିଗାରେଟ ଛାଡ଼ିଦେଇଥିଲ ବହୁତ ବର୍ଷ ଆଗରୁ, ତଥାପି ମୁଁ ସିଗାରେଟ ବାସ୍ନା ପାଉଥିଲି। ବୋଧହୁଏ ଏଥିପାଇଁ ଯେ ସେଇଟା ମୋ ପିଲାଦିନର ସ୍ମୃତିର ବାସ୍ନା। ସେତେବେଳେ ତୁମେ ଅଲଗା ରହୁଥିଲ। ମୁଁ ପଚାରିନି କାହିଁକି ବୋଲି। ମନରେ ପ୍ରଶ୍ନ ଆସୁଥିଲା କିନ୍ତୁ ପଚାରିଲା ବେଳେ କେମିତି ଗୋଟେ ସଙ୍କୋଚ ପାଟିକୁ ମାଡ଼ି ଦଉଥିଲା। ତୁମ ପାଖରେ ଉତ୍ତର ବି ତ ନଥିଲା।
ଛାଡ଼ ସେକଥା। ମୋର ମନେ ଅଛି ମୁଁ ସୁଯୋଗ ପାଇଲା ମାତ୍ରେ ଛୁଟି ଯାଉଥିଲି ତୁମ ପାଖକୁ। ତୁମେ ବସାରେ ନଥିଲେ ତୁମ ଖଟ ଉପରେ ଶୋଇ ଅପେକ୍ଷା କରୁଥିଲି। ତୁମ ବିଛଣା ସାରା ବୋଳି ହେଇ ରହୁଥିଲା ତୁମର ବାସ୍ନା। ମତେ ଲାଗୁଥିଲା ସତେ ଯେମିତି ମୁଁ ତୁମ କୋଳରେ ଶୋଇଛି। ହେଲେ ତୁମ ସାଙ୍ଗରେ ଦେଖା ହେଇଗଲେ କେବେବି ତୁମ କୋଳକୁ ଯାଇ ପାରିନି। ଏଠି ବି ସେଇ ସଙ୍କୋଚ। ଛୋଟ ପିଲାଙ୍କ ଗହଣରେ ତୁମେ ଖୁବ୍ ପପୁଲାର ଥିଲ। ସବୁ ଛୁଆ ତୁମର ଫ୍ୟାନ ଥିଲେ। ତୁମେ ମ୍ୟାଜିକ କରି ଖାଲି ପାପୁଲିରେ ଆଣି ପାରୁଥିଲ ଚକୋଲେଟ। ବାଣ୍ଟି ଦଉଥିଲ ସେମାନଙ୍କ ଭିତରେ। ମୁଁ ଦୂରରୁ ଦେଖୁଥିଲି। ବିଶ୍ୱାସ କର, ଖୁବ୍ ଲୋଭ ଥିଲା ସେଇ ଚକୋଲେଟ ଉପରେ। କିନ୍ତୁ ମୁହଁ ଖୋଲି ମାଗିନି କେବେବି। ହସ ହସ ମୁହଁରେ କେବଳ ଦେଖିଛି।
ଦୁର୍ବଳ ସିଂକୁ ମନେ ଅଛି? ଖୁବ୍ ସୁନ୍ଦର ଦେଖିବାକୁ ଛୋଟିଆ ପିଲାଟିଏ। କିନ୍ତୁ ଏତେ ଦୁର୍ବଳ, ପତଳା ଯେ ଚାଲି ବି ପାରୁ ନ ଥିଲା। ତୁମକୁ ଦେଖିଲା ମାତ୍ରେ ତା’ ମୁହଁରେ ଚହଟି ଯାଉଥିଲା ହସ। ତୁମେ ହିଁ ତା’ ନାଁ ଦେଇଥିଲ ‘ଦୁର୍ବଳ ସିଂ’। ବାହାରୁ ଆସି ତାକୁ କୋଳରେ ଧରି ବସୁଥିଲ। କବିତା ଶୁଣଉଥିଲ। ମୁଁ ବି ସବଳ ନଥିଲି। ଇଚ୍ଛା ହଉଥିଲା ଆହୁରି ଦୁର୍ବଳ ହବା ପାଇଁ।
ଖୁବ୍ ଝାପ୍ସା ମନେ ପଡ଼େ, ଖୁବ୍ ସାନବେଳେ ମତେ ବହୁତ ଜ୍ୱର ହେଇଥିଲା। ପିଇସୀଙ୍କ ଘର ପାଖରେ ଡାକ୍ତର ଥିଲେ। ପିଇସା ମତେ ତାଙ୍କ ଘରକୁ ନେଇ ଗଲେ। ସଞ୍ଜ ବେଳେ ଯେବେ ଆଖି ଖୋଲିଲି ଭାରି କାନ୍ଦିଲି। କାହିଁକି କେଜାଣି, ମା’ ମା’ ନ କହି ବାବୁଜୀ ବାବୁଜୀ ହେଇ କାନ୍ଦିଲି। ତୁମ ପାଖକୁ ଖବର ଗଲା। ତୁମେ ଆସି ମତେ କୋଳରେ ଉଠେଇ କହିଲ -‘କଣ ହେଇଛି? କାହିଁକି କାନ୍ଦୁଛ?’ ମୁଁ ତୁମ କାନ୍ଧରେ ମୁହଁ ରଖି ଶୋଇଗଲି। ତୁମ କୋଳର ସ୍ମୃତି। ଏକମାତ୍ର ସ୍ମୃତି। ତୁମ ଜୀବନର ଶେଷ କିଛି ବର୍ଷ କିନ୍ତୁ ଆମେ ଖୁବ ପାଖାପାଖି ଥିଲେ। ନୁହଁ? ପୂଜା ପାଖେଇ ଆସିଲେ ଆସୁଥିଲା ପୂଜାସଂଖ୍ୟା। ମୁଁ କେବେବି କିଣୁନଥିଲି। ସେଇଟା ଥିଲା ତୁମ କାମ। ବହି ଆଣି ସାରି ମତେ ଫୋନ୍ କରୁଥିଲ -‘ତୋ ଖାଦ୍ୟ ଆସିଯାଇଛି। ଆ’।
ଆମେ ବହିତକ ଭାଗ ବାଣ୍ଟି ପଢ଼ୁଥିଲେ। ପଢ଼ି ସାରିଲା ପରେ ଚାଲୁଥିଲା ଆଲୋଚନା। ତୁମ ପାଖରେ ମୁଁ ସବୁ କହି ପାରୁଥିଲି। କିଛି ସଙ୍କୋଚ ନଥିଲା। ଥରେ ଜଣେ ବରିଷ୍ଠ ଅଭିନେତାଙ୍କ ପାଦ ଛୁଇଁଲା ପରେ ତାଙ୍କର ହାତ ଆଶୀର୍ବାଦ ଛଳରେ ଟିକେ ଅମାନିଆ ହେଇଥିଲା। କେତେ ସହଜରେ ମୁଁ ସେକଥା ତୁମକୁ କହିଥିଲି। ତୁମେ କହିଥିଲ -‘ଅଧିକାଂଶ ପୁରୁଷ ବୁଝନ୍ତିନି ଯେ ଝିଅମାନେ ସ୍ପର୍ଶ ଚିହ୍ନି ପାରନ୍ତି।’ ନାରୀମାନଙ୍କ ପ୍ରତି କି ଶ୍ରଦ୍ଧା ଥିଲା ତୁମର! ମତେ ଖୁବ୍ ଭଲ ଲାଗୁଥିଲା ତୁମର ଉଦାର ମନୋଭାବ। ବେଳେ ବେଳେ ଭାବେ ଏତେ ନିଃସଙ୍କୋଚରେ ମୁଁ ତୁମକୁ ଏତେ କଥା କହୁଥିଲି କିନ୍ତୁ ନିଜ ଅଭିମାନ ବିଷୟରେ ଏତେ ସଙ୍କୋଚ କାହିଁକି ଥିଲା? କାହିଁକି କେବେ ମୁହଁ ଖୋଲି କହିନି କିଛି? ହୁଏତ ମୁଁ ମୁହଁ ଖୋଲିଥିଲେ ତୁମେ ବି ହୃଦୟ ଖୋଲି ଥାଆନ୍ତ। ତୁମ ସାନ୍ନିଧ୍ୟ ସମ୍ପୂର୍ଣ୍ଣ ଭାବରେ ଅନୁଭବ କରିବା ବେଳେ, ତୁମ ପାଖାପାଖି ଆସିବା ବେଳେ ହିଁ ମୁଁ ତୁମକୁ ହରେଇ ଦେଲି। ମୋ ଆଖି ସାମ୍ନାରେ, ଶେଷ ଥର ପାଇଁ ମୋ ଆଖିରେ ଆଖି ମିଶେଇ ହଜିଗଲ ତୁମେ। ତୁମ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ମୁଁ ତୁମ ପାଖରେ ଥିଲି। ସେତକ ହିଁ ମୋର ପ୍ରାପ୍ତି। ତୁମେ ଥିଲା ବେଳେ ଖୁବ୍ ଅଭିମାନ ଥିଲା, ହେଲେ ତୁମେ ଯିବା ପରେ ରହିଗଲା କେବଳ ଶୂନ୍ୟତା। ଏ ଶୂନ୍ୟତାକୁ ଭରିବାର ଶକ୍ତି କାହାରି ପାଖରେ ନାହିଁ ବାବୁଜୀ। ଏ କେବଳ ତୁମ ମୋ ଭିତରର କଥା। ଭଲରେ ଥାଅ ବାବୁଜୀ। ପୁଣି ଥରେ ଜନ୍ମ ନିଅ। ଏବେଠାରୁ ଜନ୍ମ ନେଲେ ସିନା ମୁଁ ପୁଣି ଥରେ ତୁମ ଝିଅ ହେଇ ଜନ୍ମ ନେଇ ପାରିବି। ସେତେବେଳେ କିନ୍ତୁ ଆଉ ଚୁପ ରହିବିନି। ଏମିତି କାନ୍ଦିବି ଯେ ତୁମେ କୋଳକୁ ନବାକୁ ବାଧ୍ୟ ହବ।
ଥ୍ୟାଙ୍କ୍ ୟୁ ବାବା (ସାହିତି୍ୟକ କୃଷ୍ଣ ମହାନ୍ତିଙ୍କ ଚିଠି ବାବା ହରିପଦ ମହାନ୍ତିଙ୍କୁ)
ବାବା, ମୋର ପ୍ରଣାମ ନେବ। ଏ ଚିଠି ଲେଖିବାର ଅଭିପ୍ରାୟ କ’ଣ ମୁଁ ଜାଣେନା। କିନ୍ତୁ ମୋତେ ଚିଠିଟିଏ ଲେଖିବାର ଥିଲା। ଲେଖି ପାରୁନଥିଲି। କିନ୍ତୁ ମନ ଭିତରେ ସବୁବେଳେ ତୁମେ ଥାଅ, ଗୋଟେ ଭଲ ବାପା ହୋଇ। ବାସ୍। ବାବା ତୁମର ମନେଥିବ ଯେ ଆମର ସେ ପୁରୁଣା ଘରେ, ଯେଉଁଠି କେବଳ ତୁମ ମାଆ ରହୁଥିଲେ, ଆମ୍ବ ଓ କାଜୁର ବଗିଚା ଥିଲା ସେ ଜାଗା, ସେଠାକୁ ମୁଁ ଅଳି କରୁଥିଲି ଯିବି ବୋଲି। ତୁମେ ତ ମନା କରୁଥିଲ। କାରଣ ସେ ଘର ଆମେ ରହୁଥିବା ଘର ଠୁ ତିନି ଚାରି କିଲୋମିଟର ଦୂର ଥିଲା। ମୋତେ ସାଇକେଲରେ ବସେଇ ଏତେ ବାଟ ନେବାକୁ ତୁମେ ଚାହୁଁ ନଥିଲ। ମୁଁ ମୁହଁ ଶୁଖେଇ ବସୁଥିଲି। କିନ୍ତୁ ତୁମେ ପାଚିଲା ଆମ୍ବ ଅଖାରେ ପୂରେଇ ସାଇକେଲ୍ ପଛ କ୍ୟାରିୟରରେ ବାନ୍ଧି ଫେରୁଥିଲ। ସେତେବେଳେ ମୁଁ ବୁଝୁଥିଲି ମୋତେ ନେଇଥିଲେ ତୁମେ ହଇରାଣ ହୋଇଥାନ୍ତ। ତେବେ ବାଡିର ପାଚିଲା ଆମ୍ବର ବାସ୍ନାରେ ମୋ ମନର ଜମାଟବନ୍ଧା ଅଭିମାନ, ରାଗ ମେଘ ପରି ଉଭେଇ ଯାଉଥିଲା। ମୁଁ ଖୁସି ହେଇ ଯାଉଥିଲି। କିନ୍ତୁ କେବେ ଥ୍ୟାଙ୍କ୍ ୟୁ କହିପାରିନି ଯଦିଓ ଇଚ୍ଛା ହେଉଥିଲା। ଆଜି ଏ ଚିଠିରେ କହୁଛି, ଥ୍ୟାଙ୍କ୍ ୟୁ ବାବା। ମୁଁ ପିଲାବେଳେ ଦୁଷ୍ଟ ନଥିଲି। ତମେ କିନ୍ତୁ ଅନ୍ୟ ତିନି ପୁଅ ଅପେକ୍ଷା ମୋତେ ବେଶି ଭଲ ପାଉଥିଲ। ଏମିତି ମୋର ହୃଦ୍ବୋଧ ହେଉଥିଲା। ସତ ନା ? କିନ୍ତୁ ଅନେକ କଥାରେ ମୋ ପ୍ରତି ତୁମର ସଫ୍ଟ୍ କର୍ଣ୍ଣର ଥିବାର ମୁଁ ଦେଖିଛି। ତୁମେ କିନ୍ତୁ ନୀରବରେ ଏସବୁ କରୁଥିଲ। କାରଣ ତୁମର ଆଉ ତିନି ପୁଅ ବି ତ ଥିଲେ। ସେମାନେ ଟେର୍ ସୁଦ୍ଧା ନ ପାଆନ୍ତୁ ଯେ ତୁମର ମୋ ପ୍ରତି ଭଲପାଇବା ଅଧିକ ଅଛି। ମୋତେ କେବେ କେବେ ବଜାର ବୁଲେଇ ନେଉଥିଲ, ନିଜର ସେ ହର୍କୁଲେସ୍ ସାଇକେଲ୍ ପଛ କ୍ୟାରିଅରରେ ବସେଇ। ଦିନେ ଦେଖିଲା ବେଳକୁ ତୁମେ ସେ କ୍ୟାରିୟରକୁ ଚଟକା ମୋଟା ଲୁହାପିଢାରେ ବଦଳାଇ ଦେଇଛ। ସେଥିରେ ବସିବାକୁ ଆରାମ ହେଉଛି। ଘରୁ ବାଲେଶ୍ୱର ସହର ଯିବା ଆସିବା ୩୨ କିଲୋମିଟର ବାଟ। ମୁଁ ସାଇକେଲ୍ ସହ ମିଳୁଥିବା ରଡ୍ ବାଲା କ୍ୟାରିୟରରେ ବସିଲେ ପିଚା କାଟିବ ବୋଲି ତମେ ନିଜେ ଅଫିସରୁ ଏ ପ୍ରକାର ଏକ ଲୁହାପିଢା ବାଲା କ୍ୟାରିୟର୍ କରେଇଥିଲ, ପରେ ବୁଝିଲି ମୁଁ ଯେତେବେଳେ ସେ କ୍ୟାରିୟରରେ ବସି ଫରକ ଅନୁଭବ କଲି। ସେତେବେଳେ ସତ କହୁଛି ବାବା ପଛ ଆଡୁ ତମକୁ କୁଣ୍ଢେଇ ଥ୍ୟାଙ୍କ୍ ୟୁ କହିବାକୁ ଖୁବ୍ ଇଚ୍ଛା ହେଉଥିଲା। କିନ୍ତୁ ଡରୁଥିଲି ତୁମକୁ। ତେଣୁ ଆଜି ଏ ଚିଠିରେ ଲେଖୁଛି : ଥ୍ୟାଙ୍କ୍ ୟୁ ବାବା। ବାବା, ତୁମେ ଯେଉଁଦିନ ଦରମା ପାଉଥିଲ ସେଦିନ ମୋର ବହୁତ ଖୁସି। କାହିଁକି ଜାଣିଛ ? କାରଣ ମୁଁ କେତେଥର ତୁମର ମନିପର୍ସରୁ କଡକଡିଆ ନୋଟ୍ କାଢିଛି ଓ ଶୁଙ୍ଘିକି ରଖିଦେଇଛି। ମୋତେ ନୂଆ କଡକଡିଆ ନୋଟ୍ର ଗନ୍ଧ ବହୁତ ଭଲ ଲାଗୁଥିଲା। ଏବେ ବି ଲାଗେ। ଏ ପ୍ରକାର କରୁ କରୁ ଦିନେ ତମ ପର୍ସରୁ ଏକଟଙ୍କିଆ ଦଶଟି ନୋଟ୍ ବାହାର କରି ଶୁଙ୍ଘିଲି ସତ କିନ୍ତୁ ପର୍ସରେ ଓ୍ବାପସ୍ ରଖିଲି ନାହିଁ। ଭାବିଲି ଏତେ ଟଙ୍କା ଭିତରୁ ତୁମେ ଜାଣି ପାରିବନି। ସେଇଟା ମୋର ହେଇଯିବ। ସତକୁ ସତ ଦୁଇ ଚାରିଦିନ ବିତିଗଲା ପରେ ବି ତୁମେ ଖୋଜିଲନି। ମୁଁ ଖୁସି ହେଲି। ସ୍କୁଲ୍ ଖେଳଛୁଟିରେ ସେଦିନ ବୋନସ୍ ଖିଆ ହେଇଥିଲା। ସତ କହିଲ ବାବା, ତୁମେ କଣ ଜାଣି ପାରୁନଥିଲ ତୁମ ପକେଟରୁ ମୁଁ ଚୋରି କରିଛି ବୋଲି ନା ଜାଣି ମଧ୍ୟ ଚୁପ୍ ରହୁଥିଲ ? ଆଜି କିନ୍ତୁ ଖୁବ୍ ଖରାପ ଲାଗୁଛି ସେମିତି କାହିଁକି ମୁଁ କରୁଥିଲି। ତମେ ଆମର ଦଶ ଜଣିଆ ସଂଯୁକ୍ତ ପରିବାର ପ୍ରତିପୋଷଣ ପାଇଁ ଦରମା ଟଙ୍କା ସାରି ଆଉ କିଛି ଧାର୍ କରଜରେ ରହୁଥିଲ, ଏକଥା ବି ସେତେବେଳେ ମୁଁ ଦେଖୁଥିଲି। ତୁମେ କେବେ ହାର୍ ମାନିବା ଦେଖିନାହିଁ। ସଂସାରକୁ ଶେଷଯାଏଁ ସୁନ୍ଦର ଭାବେ ଚଳେଇଥିଲ। ତୁମର ସେଇ ପକେଟରୁ ଚୋରି କରିଥିବା କଥାଟି ଆଜି ବି ଭୁଲିନି ମୁଁ। ଆଜି କିନ୍ତୁ ଏ ଚିଠି ଲେଖା ମାଧ୍ୟମରେ କ୍ଷମା ଚାହୁଁଛି ବାବା : ମୋ ଭୁଲ୍ ମାଫ୍ କରିଦିଅ। ଥରେ ତୁମେ ଆମ ପଡୋଶୀ ଭୂଷଣ ଅଙ୍କଲଙ୍କ ପାଖରେ କାକୁସ୍ଥ ହୋଇ ପଚାଶଟି ଟଙ୍କା ମାଗିଥିଲ ମୋ ପାଇଁ। ସେଦିନ ଥିଲା ମୋ ମାଟ୍ରିକ ପରୀକ୍ଷା ଫର୍ମ ଫିଲପ୍ର ଶେଷ ତାରିଖ। ବାବା ତୁମ ପାଖରେ ୫୦ ଟଙ୍କା କମ୍ ଥିଲା। ତୁମେ ମୋ ପାଇଁ ଛୁଟି ଯାଇଥିଲ ସେଇ ଭୂଷଣ ଅଙ୍କଲଙ୍କ ପାଖକୁ। ସେ ଅବଶ୍ୟ ଦେଇଥିଲେ। ତାପରେ ତୁମେ ମୋତେ ସାଇକେଲ୍ରେ ବସେଇ ସ୍କୁଲ୍ ଯାଇଥିଲ। ବାଟସାରା ମୁଁ ଦୁଃଖୀ ହୋଇଥିଲି। ‘ଭଗବାନ ତୁମେ ମୋତେ ଏମିତି ଅଭାବୀ ବାପା ଦେଲ କାହିଁକି’ ବୋଲି ଭାବୁଥିଲି। କିନ୍ତୁ ବାବା ତୁମ ପରି କେୟାରିଂ ବାବା ଆଉ କେହି ହୁଅନ୍ତେ ନାହିଁ ମୁଁ ଜାଣେ। ଏବେ ତ କହିବି, ଏମିତି ବାପା ସବୁ ଜନ୍ମରେ ମିଳନ୍ତୁ। ସେଇ ଘଟଣା ପାଇଁ ଆଜି ଏଇ ଚିଠି ଲେଖା ମାଧ୍ୟମରେ ବାବା ତୁମକୁ ଥ୍ୟାଙ୍କ୍ ୟୁ କହୁଛି। ବାବା ତୁମେ ଶର୍ଟ ଟେମ୍ପର୍ଡ ଥିଲ। ଯେତେ ଶୀଘ୍ର ରାଗୁଥିଲ ସେତେ ଶୀଘ୍ର ଥଣ୍ଡା ପଡୁଥିଲ। ଅନୁଶାସନରେ ରଖୁଥିଲ। ଭୟ ଥିଲା ତୁମକୁ ଅସମ୍ଭବ। ଅନେକ କଥା କହି ପାରିନି। ନୀରବରେ ସେସବୁ କଥା ପଥର ପାଲଟି ଯାଇଛନ୍ତି। ତେବେ ବାବା ଗୋଟିଏ କଥା ମନେ ପଡୁଛି। ଆମେ ଖାଇବାକୁ ବସିଲା ବେଳେ ସାଙ୍ଗରେ ବସୁଥିଲୁ। ତମେ କିନ୍ତୁ ଆଗ ଖାଇ ସାରି ଉଠି ଯାଉଥିଲ। ମୁଁ ତୁମରି ସାଇଡରେ ବସୁଥିଲି। ତୁମେ ଉଠିଗଲା ମାତ୍ରେ ତୁମ ଥାଳିରେ ଟିକେ ତରକାରି ଛାଡି ଯାଉଥିଲ ଆଉ ମୁଁ ତାକୁ ଉଠେଇ ଆଣୁଥିଲି। ମୋ ପାଇଁ ହିଁ ତୁମେ ଜାଣିଶୁଣି ଛାଡି ଯାଉଥିଲ ତରକାରି। ମୁଁ ସେତେବେଳେ ଭାବୁଥିଲି ଖାଇପାରିନଥିବ ଛାଡି ଦେଇଗଲ। କିନ୍ତୁ ଏବେ ବୁଝୁଛି, ତମେ ମୋ ପାଇଁ ଛାଡୁଥିଲ। କେତେ ଖାଇଥିବି ମୁଁ। ସେପାଇଁ ବି ଆଜି ଥ୍ୟାଙ୍କ୍ ୟୁ କହୁଛି ବାବା। ୧୯୯୩ରେ ତୁମେ ଆଖି ବୁଜିଦେଲ ମୋରି ସାମ୍ନାରେ। ମୋ ହାତରୁ ଟୋପେ ପାଣି ପିଇଲ, ତାପରେ ନୀରବ। ମୁଁ ସେଦିନ ରାତିରେ ଅନୁଭବିଲି ତୁମକୁ। ଝରଝର ହୋଇ ଲୁହ ବୋହୁଥାଏ। ତୁମ ପାଇଁ ‘ମୃତ୍ୟୁ’ଶୀର୍ଷକ କବିତାଟେ ଲେଖିଥିଲି ସେଦିନ। ସେ କବିତା ଏବେବି ଅପ୍ରକାଶିତ। କାରଣ ସେ କବିତାକୁ ଆଉଁଷିଛି ତ ବାବା ତୁମକୁ ଅନୁଭବ କରିଛି। ତୁମର ବହିଭର୍ତ୍ତି ଘର ମୋତେ ପଢାପଢି ଭିତରକୁ ନେଇଛି। ମୁଁ ପ୍ରଚୁର ବହି ପାଇଛି ତମଠୁ। ତୁମେ ଲେଖକ ନଥିଲ, ପଢୁଥିଲ। ତୁମର ସୁନ୍ଦର ହ୍ୟାଣ୍ଡରାଇଟିଙ୍ଗ୍ ମୋର ଲୋଭ ବଢ଼ାଇଥିଲା। ମୁଁ ମଧ୍ୟ ଭଲ ହାତ ଅକ୍ଷର ଲେଖିବାକୁ ଆରମ୍ଭ କରିଥିଲି। ପଢାପଢିରୁ ଲେଖାଲେଖି ଭିତରକୁ ଆସିଗଲି। ମୋର ଲେଖା ପ୍ରକାଶ ପାଉଥିଲେ ତୁମକୁ ଦେଖାଉନଥିଲି, ଡରିକି। ଗାଳିଦେବ ବୋଲି। କିନ୍ତୁ ମାଆ ତୁମକୁ କହୁଥିଲେ ତ ମୁଁ ଶୁଣିଛି ତମେ କହୁଥିବାର : ଲେଖୁଛି ତ ଲେଖୁ। କିନ୍ତୁ ପଢୁ ସେ ବେଶି। ବାବା ତୁମର ଏତିକି କଥାରେ ମୁଁ ଖୁସି ହୋଇଯାଉଥିଲି। ତୁମର ମୋର ସାମ୍ନାସାମ୍ନି କେବେ କଥା ହେଇନୁ। କିନ୍ତୁ ଆମେ ବୁଝୁଥିଲୁ ପରସ୍ପରକୁ। ମୋତେ ଗୋଟେ ଭଲ ଉତ୍ତରାଧିକାରୀ ଦେଇଥିବାରୁ ‘ଥ୍ୟାଙ୍କ୍ ୟୁ ବାବା’।
ତୁମର ହାତ ମୋ ମୁଣ୍ଡରେ ଅଛି ସେହି ମୋର ଦମ୍ଭ (ବ୍ୟଙ୍ଗକାର ଅଭିଜ୍ଞାନ ସାହୁଙ୍କ ଚିଠି ବାବା ଶୈଳଜ ରବିଙ୍କୁ)
ବାବା, ମୋତେ ଚିଠି ଲେଖିବାକୁ କେବେ ପଡିନି ତୁମ ପାଇଁ। କିନ୍ତୁ ଦିନକେ ସହସ୍ର ସଂଳାପ ମୋ ମନରେ ତୁମ ଉଦ୍ଦ୍ୟେଶରେ ଥାଏ। ତୁମେ ଏଭଳି ଏକ ଉଚ୍ଚତାରେ ଥାଅ ଯେଉଁଠିକି ଆଖି ଉଠେଇ ଚାହିଁବାକୁ ମୋତେ ସାହସ ଖୋଜିବାକୁ ପଡ଼େ । ରେଭେନ୍ସାରେ ପଢ଼ୁଥିବା ସମୟରେ ମୁଁ ବ୍ୟବସାୟ କରିବାକୁ ଚାହେଁ ବୋଲି ତୁମେ ତୁମର ଜଣେ ବନ୍ଧୁଙ୍କ ଠାରୁ ଜାଣି ମୋତେ ଡାକି କହିଥିଲ, ”ଯଦି ବ୍ୟବସାୟ କରିବାକୁ ଇଚ୍ଛା ତେବେ ସେ ବିଷୟରେ ଏବେଠୁ ଚିନ୍ତା କରିବା ଉଚିତ।“ କଟକର ଏକ ସମ୍ଭ୍ରାନ୍ତ ବ୍ୟବସାୟୀ ପରିବାରର ପ୍ରାଚୁର୍ଯ୍ୟ ତୁମ ଜୀବନଶୈଳୀକୁ କିଛି ପ୍ରଭାବିତ କରିନଥିଲା । ନିଜକୁ ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରଖୁଥିବା ତୁମ ବ୍ୟକ୍ତିତ୍ୱ ମୋତେ ବିଭିନ୍ନ ସ୍ଥାନକୁ ଯାଇ ନିଜ ଲକ୍ଷ୍ୟ ଅନୁଯାୟୀ ଅନୁଭୂତି ଅର୍ଜନ କରିବାରେ ସାହାଯ୍ୟ କରିଥିଲା । ଅଭିବାବକ ଓ ଶିକ୍ଷକମାନଙ୍କ ପାଇଁ ଉଦ୍ଦିଷ୍ଟ ‘Parents and Pedagogues’ ନାମକ ତୁମ ସମ୍ପାଦିତ ଇଂରାଜୀ ପତ୍ରିକା ସେତେବେଳେ ଶିକ୍ଷା ଓ ସାହିତ୍ୟ ଜଗତରେ ସ୍ବତନ୍ତ୍ର ସ୍ଥାନ ନେଇଥାଏ । ସମ୍ପାଦକ ଏବଂ ପିତା ଭାବରେ ତୁମେ ମୋତେ ସେହି ସମୟରେ ଗୋଟିଏ ମଣିଷ ଭଳି ଲାଗିଥିଲ । ପାଠପଢ଼ା ବୟସରେ ବ୍ୟବସାୟ ପାଇଁ ମୋତେ ଉତ୍ସାହିତ ନ କରିବାକୁ ଶୁଭେଚ୍ଛୁ ଏବଂ ନିକଟ ସମ୍ପର୍କୀୟମାନେ ତୁମ ଉପରେ ଚାପ ପକେଇବା ମୋର ମନେ ଅଛି । ତୁମେ ତୁମର ଆଦର୍ଶ ନବକୃଷ୍ଣ ଚୌଧୁରୀ, ମନମୋହନ ଚୌଧୁରୀ ଓ ଚିତ୍ତରଞ୍ଜନ ଦାସଙ୍କ ଭଳି ତଥାକଥିତ ଶିକ୍ଷାୟତନୀୟ ଶିକ୍ଷା ପ୍ରତି ବିତସ୍ପୃହ ଥିଲ । ନିଜେ ଖୁବ ଭଲ ଛାତ୍ର ଥିଲେ ମଧ୍ୟ ବାଣୀବିହାରରେ ନୃତତ୍ତ୍ୱ ବିଦ୍ୟାରେ ଉପାଧ୍ୟୁତ୍ତର ଶିକ୍ଷା ଅଧାରୁ ଛାଡି ସର୍ବୋଦୟ ଆନ୍ଦୋଳନରେ ଯୋଗ ଦେଇଥିଲ। ତେଣୁ ତୁମେ ମୋର ଇଚ୍ଛାକୁ ଗୁରୁତ୍ୱ ଦେଲ । ତୁମଠାରୁ ଏବଂ ଚିତ୍ତରଞ୍ଜନ ଦାସଙ୍କଠାରୁ ପ୍ରେରଣା ପାଇ ମୁଁ ଶିକ୍ଷାଳୟ ପୋଥିରେ ଡୋରି ବାନ୍ଧି କେବଳ ଜ୍ଞାନ ଅର୍ଜନକୁ ପ୍ରାଧାନ୍ୟ ଦେଲି । ପାରମ୍ପରିକ ବ୍ୟବସାୟଠାରୁ କିଛି ଅଲଗା କରିବାକୁ ଚାହୁଁଥିଲି । କିନ୍ତୁ କଣ କରିବି ସେ ନେଇ ଦ୍ବନ୍ଦ୍ୱରେ ଥିଲି । ମୋ ଭିତରେ ଥିବା ଏହି ଅନ୍ତଦ୍ୱନ୍ଦ୍ୱକୁ ବୁଝି ତୁମେ ମୋତେ ବିଭିନ୍ନ ଜାଗାକୁ ଯାଇ ସଫଳ ବ୍ୟବସାୟୀଙ୍କ ସହ ମିଶି ନିଜ ପାଇଁ ନିଜେ ନିଷ୍ପତ୍ତି ନେବାକୁ ପ୍ରବର୍ତ୍ତେଇ ଥିଲ। ତୁମର ଆସ୍ଥା ମୋତେ ଭାରତର ଜଣାଶୁଣା ବ୍ୟବସାୟୀଙ୍କ ସହ କଥା ହେବାର ର୍ନିଭୀକତା ଦେଇଥିଲା। ଆଖିରେ ବିରାଟ ସ୍ବପ୍ନମାନ ତିଆରି କରି ତାକୁ ସାକାର କରିବାର ଅଦ୍ଭୁତ ଶକ୍ତି ଦେଇଥିଲା । ତୁମ ପ୍ରଦତ୍ତ ମନୋବଳ ଏବଂ ସହଯୋଗ ନେଇ ସେଥିରେ ଅର୍ଜିତ ଅନୁଭୂତି ଏବଂ ଅଧ୍ୟବସାୟ ମିଶେଇ ମୁଁ ବ୍ୟବସାୟରେ ମନୋନିବେଶ କରିଛି। ବିଭିନ୍ନ ବିଷୟରେ ତୁମର ବ୍ୟାପକ ଅଧ୍ୟୟନ ଓ ତାକୁ ଆତ୍ମସ୍ଥ କରିବାର ଗୁଣଟି ମୋତେ ପିଲାଟି ଦିନରୁ ବେଶ ଆକର୍ଷିତ କରିଛି ଓ ପ୍ରଭାବିତ କରିଛି । ନାଟକ, ଲୋକ ସଙ୍ଗୀତ, ଶାସ୍ତ୍ରୀୟ ସଙ୍ଗୀତ, ଚିତ୍ରକଳା ଅଧ୍ୟୟନ କରିବା ସହ ବିଭିନ୍ନ ଭାଷା ଶିଖିବାରେ ମୋର ଆଗ୍ରହକୁ ତୁମେ ନିଜର ଗଠନମୂଳକ ମତ ଦ୍ୱାରା ଅନେକ ସମୟରେ ଉତ୍ସାହିତ କରିଛ। ପୁଣି ମୋର ଗ୍ରହଣ କରିବାର ପ୍ରକ୍ରିୟାରେ ତ୍ରୁଟି ଦେଖି ଅନେକ ସମୟରେ ଅସମ୍ଭବ ବିରକ୍ତ ହୋଇଛ। ଗତ ତିନି ଦଶନ୍ଧି ଧରି ବିଭିନ୍ନ ପତ୍ରପତ୍ରିକାରେ ମୋର ପ୍ରବନ୍ଧ , ରମ୍ୟରଚନା , ଗଳ୍ପ ପ୍ରକାଶିତ ହୋଇ ଆସୁଥିଲେ ହେଁ ତୁମ ଆଖିରେ ମୁଁ ତଥାପି ଅପରିପକ୍ୱ । ମୋର ଅଧିକାଂଶ ଲେଖାର ତୁମେ ଜଣେ କଠୋର ସମାଲୋଚକ । ଆଜିକା ଦିନରେ ମୋର କୌଣସି ଲେଖାଟିକୁ ଭଲ ବୋଲି କହିଦେଲେ ମୁଁ ଛୋଟ ଛୁଆ ଭଳି ଖୁସିରେ କୁରୁଳି ହୋଇଯାଏ । ସେଭଳି ଆନନ୍ଦ ବହୁତ କମ ମୋ ପାଖକୁ ଆସିଛ। ମୋର କେବଳ ଲେଖା ନୁହେଁ ମୋର ଜୀବନଚର୍ଯ୍ୟାର ତୁମେ ଜଣେ କଠୋର ସମାଲୋଚକ । ତୁମ ଚାହିଁବା ଭଳି ନିଜକୁ ଗଢୁ ଗଢୁ ତୁମ ଭଳି ହେବା କେତେ କଷ୍ଟକର ବ୍ୟାପାର ମୁଁ ସବୁ ସମୟରେ ବୁଝେ । ନିଜ ଭଳି ନିଜେ ହୁଅ ବୋଲି ନିଜକୁ ସାନ୍ତ୍ୱନା ଦିଏ । ତୁମେ ଲେଖିବା ଅପେକ୍ଷା ନିଜ ଲେଖାରେ ଦେଉଥିବା ବାର୍ତ୍ତା ନିଜ ଜୀବନରେ ଆଚରଣ କର, ସେ ଉପଦେଶ କାର୍ଯ୍ୟକାରୀ କରିବା ହୁଏତ ସବୁବେଳେ ସମ୍ଭବ ହୁଏ ନାହିଁ । ତୁମେ ନିଜେ ପ୍ରଶଂସାମୂଳକ ମୂଲ୍ୟାୟନଠାରୁ ଦୂରରେ ଥାଅ। ତୁମ ବାବା-ବ୍ୟକ୍ତିତ୍ୱଟି ମନେ ପଡିଲେ ଆଉ ତାଙ୍କ ସହ ନିଜର ବାପ-ବ୍ୟକ୍ତିତ୍ୱର ତୁଳନା କଲେ ଲାଗେ ଅଭିଭାବକ ହିସାବରେ ତୁମେ ମୋତେ ର୍ନିଭୀକତା, ଆତ୍ମ-ସମ୍ମାନବୋଧ,ସାଧୁତା ଓ ସ୍ବାଧୀନତାକୁ ଯେପରି ଚିହ୍ନେଇଛ ମୁଁ ସେପରି ଏଯାଏ କରିପାରିନାହିଁ । ଶୃଙ୍ଖଳାଜ୍ଞାନ ଏବଂ ସାମାଜିକ ମୂଲ୍ୟବୋଧକୁ ନେଇ ତୁମେ ଯେତିକି ଦୃଢ଼ ସେତିକି ଅର୍ଧଯ୍ୟ ଭାବରେ କାନ୍ଦିପାର ଉଚ୍ଚକୋଟୀର ଜୀବନବୋଧର ଆଲୋଚନା ବେଳେ । ମୋତେ ଅନେକ ସମୟରେ ଆଶ୍ଚର୍ଯ୍ୟ ଏବଂ ଗର୍ବିତ କରାଏ ଯେ ମୋ ବାବା କେବଳ ମୋ ବାବା ଭଳି ଏକଦମ ସ୍ବତନ୍ତ୍ର । ତୁମ ଅହଂକାରକୁ ମୁଁ ବହୁତ ଭଲ ପାଏ ବାବା । କୌଣସି ପରିପ୍ରେକ୍ଷୀରେ ସେହି ଅକପଟ ଅହଂକାରରେ ଆଂଚୁଡ଼ା ଦାଗଟେ ମଧ୍ୟ ଏହି ପୁଅ ସମ୍ଭାଳି ପାରିବନି । ପ୍ରାଚୁର୍ଯ୍ୟ ଭିତରେ ବଢିଥିଲେ ବି ତୁମେ ମୂଲ୍ୟବୋଧ ସହ କେବେ ସାଲିସ କରିଥିବା ମୁଁ ଜାଣେ ନାହିଁ । ଯାହା ଯଥାର୍ଥ ଏବଂ ସଠିକ ତୁମେ ବୁଝିଥାଅ ସେଥିରେ ତୁମେ ଅଡିବସ କୌଣସି ଚାପ ସହ ସାଲିସ ନକରି । ଆଉ ଗୋଟେ କଥା କହି ରଖେ ବାବା, ଅଭିଭାବକ ହିସାବରେ ଆଜି ଆମେମାନେ ପିଲାଙ୍କୁ ପ୍ରାଚୁର୍ଯ୍ୟ ତ ଦେଉଛୁ କିନ୍ତୁ ମୂଲ୍ୟବୋଧ ଦେଇପାରୁନୁ । ର୍ନିଭୀକତା ଶିଖାଇ ପାରୁନୁ । ସେମାନଙ୍କୁ ସେମାନଙ୍କ ହାତରେ ଛାଡି ଦେଇ ପାରୁନୁ । ସେଥିପାଇଁ ନିଜ ବାପାପଣିଆକୁ ନେଇ ମୋର ଘୋର ଅବସୋସ ଅଛି । ତୁମର ହାତ ମୋ ମୁଣ୍ଡରେ ଅଛି ସେହି ମୋର ଦମ୍ଭ ।“
ବାପା ହାତ ଧରି ମାଟିରେ ଚାଲିବା ଶିଖାନ୍ତି। ଦେଖାନ୍ତିନି ସେ ଭିତରେ ସେ କେତେଥର ପଡ଼ି କ୍ଷତାକ୍ତ ହୋଇଛନ୍ତି। ଦୁନିଆକୁ ଚିହ୍ନାନ୍ତି। କହନ୍ତିନି ସେ ଭିତରେ କେତେ ଥର ତାଙ୍କ ଆଖିରୁ ଲୁହ କି ଲହୁ ବୁହାଇଛନ୍ତି। ସେଇଥିପାଇଁ କିଏ ଜଣେ କହିଥିଲେ, ଶୁଝି ହୁଏନି ପିତୃଋଣ। ଯଦି ଶୁଝିବାକୁ ଚାହଁ ତେବେ ନିଜେ ପିତା ହୋଇଯାଅ।
-ରୋଜାଲିନ୍ ମହାନ୍ତି