ସ୍ବାଧୀନତା ଦିବସରେ ଆତ୍ମାହୁତି ପାଇଁ ରାଷ୍ଟ୍ରପତିଙ୍କୁ ଚିଠି

ଖୁଣ୍ଟୁଣୀ,୫।୮(ଡି.ଏନ୍‌.ଏ.): ଖୁଣ୍ଟୁଣୀର ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରିବାକୁ ୧୯୯୪ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଦେଇଥିବା ପ୍ରତିଶ୍ରୁତିକୁ କାର୍ଯ୍ୟକାରୀ କରିବାରେ ସରକାର ଓ ପ୍ରଶାସନ ଅବହେଳା କରିଆସୁଛନ୍ତି। ଏହାର ପ୍ରତିବାଦରେ ସ୍ବାଧୀନତା ଦିବସରେ ଡାକ୍ତରଖାନା ପରିସରରେ ଆତ୍ମାହୁତି ଦେବେ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ଚିଠି ଲେଖିଛନ୍ତି ସାମାଜିକ କର୍ମୀ ଗୌରହରି ମହାନ୍ତି। ଏ ନେଇ ମହାନ୍ତି ଗତ ୨୫ ତାରିଖରେ ରାଷ୍ଟ୍ରପତିଙ୍କ ଶପଥଗ୍ରହଣ ଉତ୍ସବ ଦିନ ଏକ ମେଲ ଓ ପୋଷ୍ଟାଲରେ ଦୁଇଟି ଚିଠି ଲେଖି ପ୍ରଶାସନ ଓ ସରକାର ୨୦୧୩ରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଓ ୨୦୧୭ ଡିସେମ୍ବର ୯ ରେ ଲୋକ ଅଦାଲତ ଦେଇଥିବା ନିର୍ଦ୍ଦେଶକୁ କିପରି ଅବମାନନା କରିଛନ୍ତି, ତା’ର ନକଲ ପ୍ରଦାନ କରିଛନ୍ତି। ସେ ଏହି ନକଲର କପି ବୁଧବାର ଓଡ଼ିଶାର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ୫-ଟି ସଚିବ, ସ୍ବାସ୍ଥ୍ୟ ନିର୍ଦ୍ଦେଶକ, ସଚିବ, ଜିଲ୍ଲାପାଳଙ୍କ ସମେତ ସମସ୍ତ ପଦାଧିକାରୀଙ୍କ ନିକଟକୁ ପଠାଇଛନ୍ତି। ସେ ଜୁନ ୧୪ରେ ଆତ୍ମାହୁତି ପାଇଁ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଅନୁମତି ମାଗି ଚିଠି ଲେଖିଥିଲେ। ହେଲେ ତା’ ପୂର୍ବରୁ ଜୁନ ୭ରେ ଜିଲାପାଳ ତାଙ୍କ ବାସଭବନ କାର୍ଯ୍ୟାଳୟକୁ ଗୌରହରିଙ୍କୁ ଡକାଇ ଅଦଲତଙ୍କ ନିର୍ଦ୍ଦେଶ ଖୁବ୍‌ଶୀଘ୍ର କାର୍ଯ୍ୟକାରୀ କରିବେ ବୋଲି ପ୍ରତିଶ୍ରୁତି ଦେବାରେ ନିଷ୍ପତ୍ତିକୁ ସ୍ଥଗିତ ରଖିଥିଲେ ଗୌରହରି। ପୁଣି ପରଦିନ ଆଠଗଡ଼ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମଧ୍ୟ ଭୁବନେଶ୍ୱରରେ ବିଭାଗୀୟ ଅଧିକାରୀଙ୍କୁ ଡାକି ଡାକ୍ତରଖାନା କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ଇତିମଧ୍ୟରେ ୨ ମାସ ବିତି ଯାଇଥିଲେ ମଧ୍ୟ କାର୍ଯ୍ୟକାରୀ ନ ହେବାରୁ ସେ ଏଭଳି ନିଷ୍ପତ୍ତି ନେଲେ ବୋଲି କହିଛନ୍ତି। ସେ ଆଗାମୀ ୧୨ ଓ ୧୩ ତାରିଖରେ ଅହୋରାତ୍ର ଧାରଣା, ୧୪ରେ ଅନଶନ ଓ ୧୫ ତାରିଖରେ ଆତ୍ମାହୁତି ଦେବେ ବୋଲି ନିଷ୍ପତ୍ତ୍‌ି ନେଇଛନ୍ତି।

Share