ଭୁବନେଶ୍ୱର, ୨୧।୪(ବ୍ୟୁରୋ): ଦେଶରେ ପୁଣି କରୋନା ବ୍ୟାପିବାରେ ଲାଗିଛି। ଦିଲ୍ଲୀ, ଉତ୍ତରପ୍ରଦେଶ ପରି ଅନେକ ରାଜ୍ୟରେ ସଂକ୍ରମଣ ବୃଦ୍ଧି ପାଉଥିବାରୁ ଓଡ଼ିଶାରେ ସମ୍ଭାବ୍ୟ ପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ରାଜ୍ୟରେ ସର୍ଭେଲାନ୍ସ ଜାରି ରଖିବା ସହ ସତର୍କ ରହିବା ପାଇଁ ସ୍ବାସ୍ଥ୍ୟ ବିଭାଗ ସମସ୍ତ ଜିଲାପାଳ, ମହାନଗର ନିଗମ କମିଶନର, ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛି। ପୂର୍ବପରି ଟେଷ୍ଟିଂ, ଟ୍ରାକିଂ ଓ ଟ୍ରିଟ୍ମେଣ୍ଟକୁ ଗୁରୁତ୍ୱ ଦେବା ସହ ସମସ୍ତ କୋଭିଡ୍ କଟକଣା ମାନିବାକୁ କୁହାଯାଇଛି। ହାଇରିସ୍କ ଥିବା ଗୋଷ୍ଠୀ ସମୂହ ଯେପରିକି ସ୍ବାସ୍ଥ୍ୟସେବା ପ୍ରଦାନକାରୀ, ଶିକ୍ଷାନୁଷ୍ଠାନ, ହଷ୍ଟେଲ ଭଳି ସ୍ଥାନରେ ସର୍ଭେଲାନ୍ସକୁ ଅଧିକ ଗୁରୁତ୍ୱ ଦେବା ପାଇଁ ନିର୍ଦ୍ଦେଶ ରହିଛି। ଏହାସହ ମାସ୍କ ପିନ୍ଧିବା ସହ ଭିଡ଼କୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ଯେଉଁଠି ଦରକାର ନୂଆ ଷ୍ଟ୍ରାଟେଜି କରିବାକୁ ସବୁ ଜିଲାପାଳଙ୍କୁ କୁହାଯାଇଛି। ଜିଲାସ୍ତରରେ ସମୀକ୍ଷା ବୈଠକ କରିବାକୁ ମଧ୍ୟ ଚିଠିରେ ଉଲ୍ଲେଖ କରାଯାଇଛି। ସମସ୍ତେ କୋଭିଡ୍ ନିୟମ ପାଳନ କଲେ ରାଜ୍ୟର ସ୍ଥିତି ନିୟନ୍ତ୍ରଣ ରହିବ। ଏହାସହ ସ୍ବାସ୍ଥ୍ୟ ବିଭାଗ ସ୍ଥିତି ଉପରେ ସମ୍ପୂର୍ଣ୍ଣ ନଜର ରଖିଛି। ଆଗକୁ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି।