ଓଏଏସ୍‌ ଅଫିସର ସ୍ତରରେ ବଡ଼ ଧରଣର ଅଦଳବଦଳ

ଭୁବନେଶ୍ୱର,୨୫।୯(ଅନିଲଦାସ): ରାଜ୍ୟ ସରକାର ଓଏଏସ୍‌ ଅଫିସର ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ଏ ନେଇ ବୁଧବାର ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି।
ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, କଟକ ମହାନଗର ନିଗମ(ସିଏମ୍‌ସି)ର ଅତିରିକ୍ତ କମିଶନର ଥିବା ଅନାମ ଚରଣ ପାତ୍ରଙ୍କୁ କମିଶନର ଭାବେ ନିଯୁକ୍ତି ଦିଆଯାଇଛି। କଟକ ମହାନଗର ନିଗମ କମିଶନର ବିଜୟ କୁମାର ଦାଶଙ୍କୁ ଗଜପତି ଜିଲାପାଳ ଭାବେ ବଦଳି ପରଠୁ ଏହି ପଦବୀ ଖାଲି ପଡ଼ିଥିଲା। ହସ୍ତତନ୍ତ ଓ ବୟନଶିଳ୍ପ ବିଭାଗର ସ୍ବତନ୍ତ୍ର ସଚିବ ଥିବା ମଧୁମିତା ରଥ ନିଜ ଦାୟିତ୍ୱ ସହ ‘ଉତ୍କଳିକା’ ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇବେ ।
ସେହିପରି ବରିଷ୍ଠ ଓଏଏସ୍‌ ଅଧିକାରୀ ପ୍ରଦୀପ କୁମାର ରାଉତଙ୍କୁ ଓକାକ୍‌ ମୁଖ୍ୟ ନିର୍ବାହୀ ଅଧିକାରୀ ଭାବେ ବଦଳି କରାଯାଇଥିବା ବେଳେ କଳ୍ପତରୁ ବେହେରାଙ୍କୁ କଟକ ମହାନଗର ନିଗମ ଅତିରିକ୍ତ କମିଶନର, ଗୌରହରି ବେହେରାଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି। କେନ୍ଦୁଝରର ପୂର୍ବତନ ଅତିରିକ୍ତ ଏଡିଏମ୍‌ ଯଦୁମଣି ମହଲାଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତ କରାଯାଇଥିବା ବେଳେ କନ୍ଧମାଳ ଜିଲା ପରିଷଦର ସିଡିଓ-କମ୍‌-ଇଓ ଥିବା ରତ୍ନାକର ସାହୁଙ୍କୁ ବାଲେଶ୍ୱର ଜିଲାର ଅତିରିକ୍ତ ଜିଲାପାଳ, ଯାଜପୁର ଜିଲା କଳିଙ୍ଗନଗରର ଏଡିଏମ୍‌ ଥିବା ଲଙ୍କେଶ୍ୱର ଅମାତଙ୍କୁ ଭଦ୍ରକ ଏଡିଏମ୍‌, ବଣାଇ ତହସିଲଦାର ଅଶୋକ କୁମାର ଗଡ଼ତିଆଙ୍କୁ ଅତିରିକ୍ତ ଅବକାରୀ କମିଶନର, ମୟୂରଭଞ୍ଜ ଏଡିଏମ୍‌ ଉଦୟ କୁମାର ମହାପାତ୍ରଙ୍କୁ ଅନୁଗୋଳ ଏଡିଏମ୍‌ ଭାବେ ବଦଳି କରାଯାଇଛି। ସେହିପରି କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଯୁଗ୍ମ ସଚିବ ଦରିଦ୍ରଭଞ୍ଜନ ଏମ୍‌.ଏମ୍‌ .ପାତ୍ରଙ୍କୁ ବାଲେଶ୍ୱର-ମୟୂରଭଞ୍ଜ ମେଜର ସେଟେଲମେଣ୍ଟର ସେଟେଲମେଣ୍ଟ ଅଫିସର ଭାବେ ବାରିପଦାକୁ ବଦଳି କରାଯାଇଛି। ଭୁବନେଶ୍ୱରସ୍ଥିତ ସିଡିଆଇ ଅଫିସରେ ଏସ୍‌ଆର୍‌ (ଜେନେରାଲ) ଦୀପ୍ତିରଞ୍ଜନ ବେହେରାଙ୍କୁ ପୂର୍ତ୍ତ ବିଭାଗ ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି।
ବାଲେଶ୍ୱର ଅତିରିକ୍ତ ଜିଲାପାଳ (ଏଡିଏମ୍‌) ନିରଞ୍ଜନ ବେହେରାଙ୍କୁ ଜଗତ୍‌ସିଂହପୁର ପାରାଦୀପର ଅତିରିକ୍ତ ଜିଲାପାଳ (ଏଡିଏମ୍‌) ଭାବେ ବଦଳି କରାଯାଇଥିବା ବେଳେ ପାରାଦୀପର ଅତିରିକ୍ତ ଜିଲାପାଳ ଥିବା ଲଳିତ ମୋହନ ବେହେରାଙ୍କୁ ଢେଙ୍କାନାଳ ଜିଲା ପରିଷଦର ସିଡିଓ, ଓସେପାର ଯୁଗ୍ମ ନିର୍ଦ୍ଦେଶକ ସରୋଜ କୁମାର ବେହେରାଙ୍କୁ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିକାଶ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି। ଅନୁଗୋଳ ଅତିରିକ୍ତ ଜିଲାପାଳ ଶରତ ଚନ୍ଦ୍ର ମହାପାତ୍ରଙ୍କୁ ଗୃହ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଥିବା ବେଳେ ରାଇରଙ୍ଗପୁରର ପୂର୍ବତନ ସବ୍‌-କଲେକ୍ଟର ସରୋଜ କୁମାର ଦାଶଙ୍କୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଯୁଗ୍ମ ସଚିବ, କେନ୍ଦୁଝର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ବସନ୍ତ କୁମାର ସେଠୀଙ୍କୁ କଟକ ସ୍ଥିତ ବୋର୍ଡ ଅଫ୍‌ ରେଭିନ୍ୟୁ ଯୁଗ୍ମ ସଚିବ, ବଣାଇର ପୂର୍ବତନ ଉପଜିଲାପାଳ ସୁରଞ୍ଜନ କୁମାର ସାହୁଙ୍କୁ ସୁନ୍ଦରଗଡ଼ ଜିଲା ପରିଷଦର ସିଡିଓ, ପୂର୍ବତନ ଶ୍ରମ ଓ ଇଏସ୍‌ଆଇ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଥିବା ଶମ୍ଭୁନାଥ ନନ୍ଦିଙ୍କୁ କନ୍ଧମାଳ ଜିଲା ପରିଷଦର ସିଡିଓ, ଉଚ୍ଚ ଶିକ୍ଷା ବିଭାଗ ଯୁଗ୍ମ ସଚିବ ମୌସୁମୀ ନାଏକଙ୍କୁ ଓଡ଼ିଶା ଯୋଗାଣ ନିଗମ ଜିଏମ୍‌( ପ୍ରୋକ୍ୟୁରମେଣ୍ଟ), କେନ୍ଦୁଝର ଜିଲା ଚମ୍ପୁଆର ପୂର୍ବତନ ଉପ ଜିଳାପାଳ ସୁକାନ୍ତ ମାଝୀଙ୍କୁ ରାୟଗଡ଼ାର ଅତିରିକ୍ତ ଜିଲାପାଳ, କେନ୍ଦୁଝରର ପୂର୍ବତନ ଅତିରିକ୍ତ ଜିଲାପାଳ (ଏଡିଏମ୍‌) ଲଳିତ ସୋରେଙ୍ଗଙ୍କୁ ଝାରସୁଗୁଡ଼ା ପିଡି (ଆର୍‌ ଆଣ୍ଡ ଆର୍‌) ଭାବେ ବଦଳି କରାଯାଇଛି।
ସେହିପରି ଢେଙ୍କାନାଳ ଉପଜିଲାପାଳ ସପନ କୁମାର ନନ୍ଦଙ୍କୁ ଯାଜପୁରର କଳିଙ୍ଗନଗର ଏଡିଏମ୍‌ ଭାବେ ବଦଳି କରାଯାଇଥିବା ବେଳେ ଓଡ଼ିଶା ଅର୍ବାନ ଇନ୍‌ଫ୍ରାଷ୍ଟ୍ରକ୍ଚର ଡେଭେଲପମେଣ୍ଟ ଫଣ୍ଡର ଏଓ ତଥା ଜାଗା ମିଶନ ଓଏସ୍‌ଡି ଥିବା ସଞ୍ଜୟ କୁମାର ରାଉତଙ୍କୁ ଓଡ଼ିଶା ଷ୍ଟେଟ୍‌ ବେଭେରେଜ୍‌ କର୍ପୋରେଶନ (ଓଏସ୍‌ବିସି)ର ମହାପ୍ରବନ୍ଧକ,ବାଲେଶ୍ୱରର ଅତିରିକ୍ତ ଉପଜିଲାପାଳ ଶୁଭଶ୍ରୀ ରଥଙ୍କୁ ନୀଳଗିରି ସବ୍‌-କଲେକ୍ଟର, ତାଳଚେରର ପୂର୍ବତନ ସବ୍‌-କଲେକ୍ଟର ମନୋଜ କୁମାର ତ୍ରିପାଠୀଙ୍କୁ ପାରଳାଖେମୁଣ୍ଡି ଆଇଟିଡିଏର ପିଏ,ବରଗଡ଼ ଜିଲା ପଦ୍ମପୁରର ପୂର୍ବତନ ସବ୍‌-କଲେକ୍ଟର ଆଲୋକ କୁମାର ପଟେଲଙ୍କୁ ବଲାଙ୍ଗୀର ସବ୍‌-କଲେକ୍ଟର ଓ ପାରଳାଖେମୁଣ୍ଡି ଆଇଟିଡିଏର ପିଏ ଭାବେ କାର୍ଯ୍ୟ କରୁଥିବା ଦିଲ୍ଲୀପ କୁମାର ବେହେରାଙ୍କୁ ଅନୁଗୋଳ ଜିଲା ଆଠମଲ୍ଲିକର ସବ୍‌-କଲେକ୍ଟର ଭାବେ ବଦଳି କରାଯାଇଛି।
ସେହିପରି କଟକ ଜିଲା ଆଠଗଡ଼ ପୂର୍ବତନ ସବ୍‌-କଲେକ୍ଟର ପ୍ରଶାନ୍ତ କୁମାର ତରାଇଙ୍କୁ ଜଗତ୍‌ସିଂହପୁର ସବ୍‌-କଲେକ୍ଟର ଭାବେ ବଦଳିି କରାଯାଇଥିବା ବେଳେ ଜୟପୁରର ସବ୍‌-କଲେକ୍ଟର ପ୍ରଭାତ କୁମାର ପରିଡ଼ାଙ୍କୁ କଳାହାଣ୍ଡି ଜିଲା ଭବାନୀପାଟଣାର ସବ୍‌-କଲେକ୍ଟର, ସମ୍ବଲପୁର ମହାନଗର ନିଗମର ଡେପୁଟି କମିଶନର ପ୍ରସନ୍ନ କୁମାର ପଣ୍ଡାଙ୍କୁ ବରଗଡ଼ ସବ୍‌-କଲେକ୍ଟର, ଜଗତ୍‌ସିଂହପୁର ଅତିରିକ୍ତ ସବ୍‌-କଲେକ୍ଟର ବିଭୁଧ ଗଡ଼ନାଏକଙ୍କୁ ଢେଙ୍କାନାଳ ସବ୍‌-କଲେକ୍ଟର ଭାବେ ବଦଳି କରାଯାଇଥିବା ବେଳେ ବ୍ରହ୍ମପୁର ଅତିରିକ୍ତ ସବ୍‌-କଲେକ୍ଟର ଗୌରବମୟ ପ୍ରଧାନଙ୍କୁ ସମ୍ବଲପୁର ଜିଲା କୁଚିଣ୍ଡାର ସବ୍‌-କଲେକ୍ଟର ଏବଂ ବାରିପଦା ଆଇଟିଡିଏ ପିଏ ଥିବା ପ୍ରଣୟ ରଞ୍ଜନ ବେହେରାଙ୍କୁ କେନ୍ଦୁଝର ପୌରପାଳିକାର କାର୍ଯ୍ୟନିବାହୀ ଅଧିକାରୀ ଭାବେ ବଦଳି କରାଯାଇଛି।

Share