ହୃଦ୍‌ଘାତରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପରଲୋକ

ବେଜିଙ୍ଗ,୨୭।୧୦: ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଲି.କେକିୟାଙ୍ଗଙ୍କ ୬୮ବର୍ଷ ବୟସରେ ଶୁକ୍ରବାର ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ଏନେଇ ‘ଚାଇନା ସେଣ୍ଟ୍ରାଲ ଟେଲିଭିଜନ’ (ସିସିଟିଭି) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି।

ରିପୋର୍ଟ ମୁତାବକ, ସାଙ୍ଘାଇରେ ରହୁଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଲି.କେକିୟାଙ୍ଗ ଗୁରୁବାର ହୃଦ୍‌ଘାତର ଶିକାର ହୋଇଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏକ ଡାକ୍ତରୀ ଦଳ ତାଙ୍କୁ ବଞ୍ଚାଇବାକୁ ଯଥାସମ୍ଭବ ଚେଷ୍ଟା କରିଥିଲେ। ହେଲେ ରାତି ପ୍ରାୟ ୧୨.୧୦ ମିନିଟ୍‌ରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତ୍ୟୁ ସଂକ୍ରାନ୍ତ ଏକ ବିବରଣୀ ପ୍ରକାଶ କରାଯିବ ବୋଲି ‘ସିସିଟିଭି’ ଉକ୍ତ ରିପୋର୍ଟରେ ଉଲ୍ଲେଖ କରିଛି।

ସୂଚନାଯୋଗ୍ୟ, ଚାଇନା ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ ଶାସନ କାଳରେ ଦେଶର ଦ୍ବିତୀୟ ନେତା ଭାବେ ଲି କେକିଆଙ୍ଗ ୨୦୧୩ରୁ ୨୦୨୨ ଅକ୍ଟୋବର ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ୨୦୨୩ ମାର୍ଚ୍ଚରେ ସେ ଅବସର ଗ୍ରହଣ କରିଥିଲେ। ପ୍ରଖ୍ୟାତ ପେକିଂ ବିଶ୍ବବିଦ୍ୟାଳୟରୁ ଶିକ୍ଷାଲାଭ କରିଥିବା ଅର୍ଥନୀତିଜ୍ଞ ଲି.କେକିଆଙ୍ଗ ଚାଇନାର କମ୍ୟୁନିଷ୍ଟ ପାର୍ଟିର ନେତୃତ୍ୱ ନିମନ୍ତେ ଶ୍ରେଷ୍ଠ ପ୍ରତିଦ୍ୱନ୍ଦ୍ୱୀ ବୋଲି ବିବେଚନା କରାଯାଉଥିଲା। ୨୦୨୦ରେ ସେ ଦେଇଥିବା ସ୍ମରଣୀୟ ଭାଷଣରେ ଦେଶର ଦାରିଦ୍ର୍ୟ ଓ ଅସନ୍ତୁଳିତ ଆୟ ଉପରେ ଜାତୀୟ ବିତର୍କ ପାଇଁ ଆହ୍ବାନ ଦେଇ କହିଥିଲେ, ଚାଇନାର ୬୦୦ ନିୟୁତ ଜନତା ମାସକୁ ୧୪୦ ଡଲାରରୁ କମ୍‌ ଉପାର୍ଜନ କରନ୍ତି। ଲି କେକ୍ବିଆଙ୍ଗଙ୍କ ପରଲୋକ ପରେ ଦେଶରେ ଶୋକର ଛାୟା ଖେଳିଯାଇଛି।

Share