ଉଦାରବାଦୀ ବିଦ୍ୱାନ୍‌

ଭାରତୀୟ ଧର୍ମୀୟଧାରାକୁ ଦେଖିଲେ ପ୍ରତ୍ୟେକ ଧର୍ମରେ ରକ୍ଷଣଶୀଳ ଚିନ୍ତାଧାରାକୁ ଅନେକେ ଗ୍ରହଣ କରିଥାଆନ୍ତି। କିନ୍ତୁ କେତେକେ ସେହି ଶଗଡ଼ଗୁଳାରେ ନ ଯାଇ ବାସ୍ତବବାଦୀ ଆଭିମୁଖ୍ୟ ନେଇଥାଆନ୍ତି। ମଣିଷର ଜୀବନଧାରାକୁ ଏଭଳି ବ୍ୟକ୍ତି ଧର୍ମଠାରୁ ଊର୍ଦ୍ଧ୍ୱରେ ଦେଖୁଥିବାରୁ ସେମାନେ ଉଦାହରଣ ପାଲଟିଥାଆନ୍ତି। ନିକଟରେ ଭାରତ ସରକାରଙ୍କ ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ‘ପଦ୍ମବିଭୂଷଣ’ ପାଇବା ଲାଗି ୭ ଜଣଙ୍କ ନାମ ଘୋଷଣା କରାଯାଇଛି। ସେମାନଙ୍କ ମଧ୍ୟରୁ ମୌଲାନା ଓ୍ବାହିଦୁଦ୍ଦିନ୍‌ ଖାନ୍‌ଙ୍କୁ ଆଧ୍ୟାତ୍ମବାଦ ଲାଗି ମନୋନୀତ କରାଯାଇଛି। ଏହି ଇସ୍‌ଲାମୀୟ ବିଦ୍ୱାନ୍‌ ଗତାନୁଗତିକ ଧାରାରୁ ଉପରକୁ ଉଠି ବହୁ ସଂସ୍କାରମୂଳକ ପଦକ୍ଷେପ ନେଇଥିବାରୁ ତାଙ୍କ ବ୍ୟକ୍ତିତ୍ୱ ଅଧିକ ଉଜ୍ଜ୍ୱଳ ହୋଇଛି।
ଭାରତୀୟ ଇସ୍‌ଲାମୀୟ ବିଦ୍ୱାନ୍‌ ତଥା ଶାନ୍ତିକାମୀ ବ୍ୟକ୍ତି ଭାବେ ପରିଚିତ ଓ୍ବାହିଦୁଦ୍ଦିନ୍‌ ଉତ୍ତରପ୍ରଦେଶ ଆଜମଗଡ଼ ଜିଲାର ବାଢରିଆଠାରେ ୧ ଜାନୁୟାରୀ ୧୯୨୫ରେ ଜନ୍ମଗ୍ରହଣ କରିଥିଲେ। ଧର୍ମଗ୍ରନ୍ଥ ‘କୋରାନ୍‌’ର ସେ ସରଳ ଭାଷାନ୍ତର କରିଛନ୍ତି। ତାହା ଇଂଲିଶ ଭାଷାରେ ଅନୁବାଦିତ ହେବା ପରେ ଚାରିଆଡ଼େ ଆଦୃତ ହୋଇଛି। ଇସ୍‌ଲାମରେ ମହିଳାଙ୍କ ଅଧିକାର, ତତ୍‌କ୍ଷଣାତ୍‌ ଟ୍ରିପଲ୍‌ ତଲାକ୍‌, ଜେହାଦ, ଆତଙ୍କବାଦ ଓ ପରିବାର କଲ୍ୟାଣ (ଫାମିଲ୍‌ ପ୍ଲାନିଂ) ଆଦି ଅତି ବିବାଦୀୟ ବିଷୟ ଉପରେ ୯୬ ବର୍ଷୀୟ ଖାନ୍‌ଙ୍କ ସୁଚିନ୍ତିତ ମତ ଯୁକ୍ତିସଙ୍ଗତ ମନେହୋଇଛି। ଏସବୁ ସରଳ ଓ ସାବଲୀଳ ଢଙ୍ଗରେ ବର୍ଣ୍ଣନା କରାଯାଇଥିବାରୁ ଅନେକଙ୍କ ବୌଦ୍ଧିକ ବିକାଶରେ ସହାୟକ ହୋଇପାରିଛି। ଉର୍ଦ୍ଦୁ ଭାଷାରେ ଅଭ୍ୟସ୍ତ ବ୍ୟକ୍ତିଙ୍କ ନିକଟରେ ତାଙ୍କ ଚିନ୍ତାଧାରା ସୀମିତ ନ ରହି ହିନ୍ଦୀ ଓ ଇଂଲିଶ୍‌ଭାଷୀଙ୍କ ଦ୍ୱାରା ଶ୍ରଦ୍ଧାଭାଜନ ହୋଇଛି ବୋଲି ବିଶେଷଜ୍ଞମାନେ କହିଛନ୍ତି। ଅନ୍ୟପକ୍ଷରେ ତାଙ୍କର ସିଧାସଳଖ ଓ ଯୁକ୍ତିସଙ୍ଗତ ମତକୁ ଇସ୍‌ଲାମ ଧର୍ମାବଲମ୍ବୀଙ୍କ ମଧ୍ୟରୁ କେତେକେ ସ୍ବାଗତ କରୁ ନ ଥିବାରୁ ସେ ଜମାତ୍‌ ଉଲେମା ଓ ତବଲିଘି ଜମାତ୍‌ ପରି ସଙ୍ଗଠନଠାରୁ ନିଜକୁ ଦୂରେଇ ରଖିଛନ୍ତି। ଗତ ୩୦ ବର୍ଷ ତଳେ ସେ ଦେଇଥିବା ସ୍ବଧୀନଚେତା ବିଚାରକୁ କେତେକେ ବିରୋଧ କରିଆସୁଛନ୍ତି। ବାବ୍ରୀ ମସ୍‌ଜିଦ୍‌କୁ ନେଇ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ମତୈକ୍ୟ ନ ରହିବା ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି। ସେହିପରି ବିଶିଷ୍ଟ ଲେଖକ ସଲମାନ୍‌ ରଶ୍‌ଡୀଙ୍କ ‘ସାଟାନିକ୍‌ ଭର୍ସେସ୍‌’ ଉପରେ ପ୍ରତିବନ୍ଧକ ଲଗାଯିବାକୁ ବିରୋଧ କରିଥିଲେ। ସେ କହିଥିଲେ ଯେ, ରଶ୍‌ଡୀଙ୍କ ଚିନ୍ତାଧାରା ଓ ଲେଖା ସହ କୌଣସି ମୁସଲ୍‌ମାନ ଏକମତ ହୋଇ ନ ପାରନ୍ତି। କିନ୍ତୁ ଲେଖକଙ୍କ ଅଧିକାରକୁ କ୍ଷୁଣ୍ଣ କଲାଭଳି ମନ୍ତବ୍ୟ ବା କାର୍ଯ୍ୟ କରାଯିବା ଉଚିତ ନୁହେଁ । ସାଟାନିକ୍‌ ଭର୍ସେସ୍‌ ରଶ୍‌ଡୀଙ୍କ ଏକ କାଳ୍ପନିକ କୃତି। ତାହାକୁ ଧର୍ମୀୟ ପରିଧି ଭିତରକୁ ଅଣାଯାଇ ବିବାଦୀୟ କରାଯିବାର ଆବଶ୍ୟକତା ନାହିଁ ବୋଲି କହିଥିଲେ।
ସଂସ୍କାରଧର୍ମୀ ପଦକ୍ଷେପ ଯୋଗୁ ଓ୍ବାହିଦୁଦ୍ଦିନ୍‌ ବିଶ୍ୱର ୫୦୦ ଶ୍ରେଷ୍ଠ ପ୍ରଭାବଶାଳୀ ମୁସଲମାନଙ୍କ ତାଲିକାରେ ସ୍ଥାନିତ ହୋଇପାରିଛନ୍ତି। ରାଜନୀତି ସହ ଧର୍ମ ବିଶ୍ୱାସକୁ ମିଶ୍ରଣ କରାଯିବା ଠିକ୍‌ ନୁହେଁ। ଏକ ପ୍ରକୃଷ୍ଟ ଦୃଷ୍ଟାନ୍ତ ସୃଷ୍ଟି କରିବା ଲାଗି ସେ ୨୦୦୪ରେ ‘ବାଜପେୟୀ ହିମ୍ମତ କମିଟି’ ଗଠନ କରିଥିଲେ। ଅବଶ୍ୟ ସେତେବେଳେ ଖାନ୍‌ଙ୍କ ଭାରତୀୟ ଜନତା ପାର୍ଟି (ଭାଜପା)ର ନୈକଟ୍ୟ ହୋଇଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହୋଇଥିଲା। କିନ୍ତୁ ଏଭଳି ସମାଲୋଚନାରେ ସେ ବ୍ୟତିବ୍ୟସ୍ତ ନ ହୋଇ ନିଜ ଶକ୍ତି ଓ ଭାବନାକୁ ଦେଶରେ ଶାନ୍ତି ଓ ଆଧ୍ୟାତ୍ମିକତା ଦିଗରେ ଉପଯୋଗ କରିଥିଲେ। ତାଙ୍କ ଲେଖକୀୟ କୃତି ଦେଖିଲେ ସେ ଇସ୍‌ଲାମ, ଧର୍ମ ପ୍ରବର୍ତ୍ତକଙ୍କ ସମ୍ବନ୍ଧୀୟ ପ୍ରଜ୍ଞା, ଆଧ୍ୟାତ୍ମିକତା, ଆଧୁନିକତା ସହ ଇସ୍‌ଲାମର ବହୁବିଧ ସମାଜରେ ସହାବସ୍ଥାନ ଏବଂ ଧର୍ମନିରପେକ୍ଷତା ଉପରେ ୨୦୦ ପୁସ୍ତକ ରଚନା କରିଛନ୍ତି। ସମ୍ପାଦନା ଓ ପ୍ରକାଶନ କ୍ଷେତ୍ରରେ ଖାନ୍‌ଙ୍କ ଅବଦାନ ରହିଆସିଛି। ୧୯୭୬ରେ ‘ଅର୍‌-ରିସାଲା’ (ବାର୍ତ୍ତା) ନାମରେ ଏକ ଉର୍ଦ୍ଦୁ ପତ୍ରିକା ଆରମ୍ଭ କରିଥିଲେ। ୧୯୮୪ ଫେବୃୟାରୀରେ ଏହାର ଇଂଲିଶ୍‌ ଓ ୧୯୯୦ରେ ହିନ୍ଦୀ ସଂସ୍କରଣ ବାହାରିବା ପରେ ବହୁଳ ଆଦୃତ ହୋଇଥିଲା। ଜୀବନବ୍ୟାପୀ ଧର୍ମନିରପେକ୍ଷତା, ସାମାଜିକ ସଂସ୍କାର ଓ ଲେଖକୀୟ ଅଭିବ୍ୟକ୍ତି ପାଇଁ ସେ ଅନେକ ପୁରସ୍କାର ଓ ସମ୍ମାନ ପାଇପାରିଛନ୍ତି। ସେଥିମଧ୍ୟରେ ରୁଷିଆର ପୂର୍ବତନ ରାଷ୍ଟ୍ରପତି ମିଖାଇଲ ଗୋର୍ବାଚେଭ୍‌ଙ୍କ ପୃଷ୍ଠପୋଷକତାରେ ଦିଆଯାଉଥିବା ଡେମ୍ୟୁର୍ଗସ୍‌ ଅନ୍ତର୍ଜାତୀୟ ଶାନ୍ତି ପୁରସ୍କାର, ୨୦୦୦ ମସିହାରେ ପଦ୍ମଭୂଷଣ, ମଦର ଟେରେସାଙ୍କ ଦ୍ୱାରା ‘ନ୍ୟାଶନାଲ ସିଟିଜେନ୍ସ ଆଓ୍ବାର୍ଡ’, ୨୦୦୯ରେ ରାଜୀବ ଗାନ୍ଧୀ ଜାତୀୟ ସଦ୍‌ଭାବନା ସମ୍ମାନ ଏବଂ ୨୦୨୧ରେ ପଦ୍ମବିଭୂଷଣ ତାଙ୍କ ଉଲ୍ଲେଖନୀୟ କାର୍ଯ୍ୟର ସ୍ବୀକୃତି ବହନ କରୁଛି।

-ଜିତେନ୍ଦ୍ର କୁମାର ନାୟକ


Enter your email to get our daily news in your inbox.

All Right Reserved By Dharitri.Com

ସୁଗ୍ରୀବଙ୍କ ମାନଚିତ୍ରରେ ଭାରତ

ବାଲ୍ମୀକି ରାମାୟଣରେ ଏକ କାହାଣୀ ଅଛି ଯାହା ୩୦୦୦ ବର୍ଷ ପୂର୍ବର ହୋଇପାରେ। କିନ୍ତୁ ୨୦୦୦ ବର୍ଷ ପୂର୍ବେ ବିଭିନ୍ନ ଲେଖକ ଏଥିରେ ଅନେକ କଥା...

ଅସହ୍ୟ ତାତି

ଆଧୁନିକ ଯନ୍ତ୍ରପାତି, କଳକାରଖାନା ଓ ଯାନବାହନରୁ ବାହାରୁଥିବା ଅଙ୍ଗାରକାମ୍ଳ ଓ ଧୂଅଁା ବାୟୁମଣ୍ଡଳକୁ ପ୍ରଦୂଷଣ କରିବାରେ ଲାଗିଛି। ଏହାଦ୍ୱାରା ବାୟୁମଣ୍ଡଳର ତାପମାତ୍ରା ମଧ୍ୟ ବୃଦ୍ଧି ହେବାରେ...

କିଶୋର ନ୍ୟାୟ ବ୍ୟବସ୍ଥାରେ ଶିଶୁ ଯତ୍ନ ଅନୁଷ୍ଠାନ

କିଶୋର ନ୍ୟାୟ (ଶିଶୁମାନଙ୍କର ଯତ୍ନ ଓ ସୁରକ୍ଷା) ଅଧିନିୟମରେ ସାଧାରଣତଃ ଦୁଇ ପ୍ରକାରର ଶିଶୁଙ୍କ ସମ୍ବନ୍ଧରେ ପ୍ରାବଧାନତା ରହିଛି। ପ୍ରଥମତଃ ଯତ୍ନ ଓ ସୁରକ୍ଷା ଆବଶ୍ୟକ...

ହିନ୍ଦୀରେ ଇଂଲିଶ୍‌ ନାମ

ଚଳିତ ଶିକ୍ଷାବର୍ଷ ଆରମ୍ଭରୁ ଜାତୀୟ ଶୈକ୍ଷିକ ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏନ୍‌ସିଇଆର୍‌ଟି) ଇଂଲିଶ୍‌-ମାଧ୍ୟମ ସ୍କୁଲଗୁଡ଼ିକରେ ପ୍ରଚଳିତ ନୂଆ ପାଠ୍ୟ ପୁସ୍ତକର ହିନ୍ଦୀ ନାମକରଣ କରିଛି,...

ପିଲା ଚୋରି ଓ ପୋଲିସ

ଭୁବନେଶ୍ୱର ରାମମନ୍ଦିର ନିକଟରେ ଭିକ୍ଷା ମାଗି ଚଳୁଥିବା ଜୟନ୍ତୀ ମଲ୍ଲିକ ନାମ୍ନୀ ଦୃଷ୍ଟିବାଧିତ ମହିଳାଙ୍କ ଦେଢ଼ବର୍ଷର ଶିଶୁପୁତ୍ର ଚୋରି ହେବା ରାଜଧାନୀରେ ପିଲା ଚୋର ର଼୍ୟାକେଟ୍‌ର...

ଏଇ ଭାରତରେ

ଚୋର ବିଭିନ୍ନ ଜିନିଷ ଚୋରି କରିବା କଥା ସମସ୍ତେ ଶୁଣିଥିବେ। ହେଲେ ଚୋରି କରିଥିବା ଜିନିଷକୁ ଚୋର କେବେ ସେହି ସ୍ଥାନକୁ ଫେରାଇବାକୁ ଆସିବା କଥା...

ପୁରୁଷ ଆଇନ କେତେ ଜରୁରୀ

ପୁରୁଷଙ୍କ ପାଇଁ ସ୍ବତନ୍ତ୍ର କମିଶନ ଗଠନ କରିବାର ନିଷ୍ପତ୍ତି ନେବା ଏକ ଜଟିଳ ପ୍ରସଙ୍ଗ। କାରଣ ସମାଜର ଗୋଟିଏ ବର୍ଗ ଏହାର ଆବଶ୍ୟକତା ଥିବାର କହୁଥିବାବେଳେ...

ନୀତିଭ୍ରଷ୍ଟ ଶିକ୍ଷା ଓ ଛାତ୍ରୀଛାତ୍ର

ନିକଟ ଅତୀତରେ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଥିବା ଦୁଇଟି ଭିଡିଓ ବେଶ୍‌ ହୃଦୟସ୍ପର୍ଶୀ। ପ୍ରଥମଟି ଆନ୍ଧ୍ରପ୍ରଦେଶର ଗୋଟିଏ ସ୍କୁଲରେ ପ୍ରାର୍ଥନା ଚାଲିଥିବାବେଳେ ପ୍ରଧାନଶିକ୍ଷକ ନିଜେ କାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image