ଯାଜପୁର ଅଫିସ,୨୯ା୫: ସଂରକ୍ଷଣ ଓ ପରିଚାଳନା ଅଭାବରୁ ସମଗ୍ର ଯାଜପୁର ଜିଲାର ପ୍ରାୟ ୨ ହଜାର ପାଠାଗାର ଲୋପ ପାଇବାକୁ ବସିଲାଣି। ପ୍ରାକ୍ ସ୍ବାଧୀନତା କାଳରେ ବିନୋବାଜୀଙ୍କ ଆହ୍ବାନରେ ଅଧିକାଂଶ ଗ୍ରାମରେ ପାଠାଗାର ଖୋଲାଯାଇଥିଲା। ସେତେବେଳେ ସେଗୁଡ଼ିକ ଚାଳି ଘରେ ଚାଲିଥିଲା। କ୍ରମଶଃ ସେହି ଘରଗୁଡ଼ିକ ଭାଙ୍ଗିଯିବାରୁ ବହି ଆଲମିରା ନଷ୍ଟ ହୋଇଗଲା। ୧୯୯୫ ପରେ ଗ୍ରାମାଞ୍ଚଳରେ ସରକାର ଓ ରାଜା ରାମମୋହନ ରାୟ ସଂସ୍ଥାରୁ ଅନୁଦାନ ଆସିବାରୁ ନୂତନ ଭାବେ ପ୍ରତି ପଞ୍ଚାୟତରେ ପାଠାଗାର ଖୋଲିଥିଲା। ସେତେବେଳକୁ ସୂଚନା ପ୍ରଯୁକ୍ତି ଯୁଗ ଆରମ୍ଭ ହୋଇ ସାରିଥିଲା। ସରକାରଙ୍କ ପକ୍ଷରୁ ଜିଲା ହେଡ୍କ୍ବାର୍ଟରରେ ଗୋଟିଏ ବଡ଼ ପାଠାଗାର, ଯାଜପୁର ରୋଡ୍ଠାରେ ମଧ୍ୟ ଏକ ପଠନ କେନ୍ଦ୍ର ଖୋଲାଯାଇଥିଲା। ଏହାବ୍ୟତୀତ ପ୍ରତି ହାଇସ୍କୁଲ, କଲେଜରେ ସ୍ବତନ୍ତ୍ର ଭାବେ ପାଠାଗାର ନିର୍ମାଣ କରାଗଲା। ପ୍ରତି କଲେଜରେ ଏହାର ପରିଚାଳନା ନିମନ୍ତେ ଲାଇବ୍ରେରିଆନ ନିଯୁକ୍ତି କରାଗଲା। ଏବେ ଜିଲାରେ ଶିକ୍ଷାନୁଷ୍ଠାନ ଓ ଘରୋଇ ଭାବେ ପାଖାପାଖି ୨୦୦ ପାଠାଗାର ରହିଛି। ବହୁ ଲକ୍ଷ ଟଙ୍କାର ମୂଲ୍ୟବାନ ଓ ବିରଳ ପୁସ୍ତକ ରହିଛି। କିନ୍ତୁ ପାଠାଗାରରୁ ବହି ନେଇ ପଢ଼ିବା ସଂଖ୍ୟା ଆଦୌ ନାହିଁ କହିଲେ ଚଳେ। ଅନେକ ସଂଖ୍ୟାର ପୁସ୍ତକ ଆଲମିରାରେ ଚାବି ପଡ଼ି ବନ୍ଦ ରହିଛି। ଏଥିମଧ୍ୟରୁ ୫୦ ଭାଗ ବହି ଉଇ ଖାଇଗଲେଣି। ଯେଉଁ କେତେକ ସ୍କୁଲ କଲେଜରେ ଲେଣ୍ଡିଂ ପାଠାଗାର ଥିଲା ତାହା ମଧ୍ୟ ଲୋପ ପାଇବାକୁ ବସିଲାଣି। ଯାଜପୁର ଜିଲାର ବିଞ୍ଝାରପୁର ଅଞ୍ଚଳରେ ୨ରୁ ୩ଟି ପାଠାଗାର ଦେଖା ଯାଉଥିବା ବେଳେ ବରୀରେ ୨, ଦଶରଥପୁରରେ ୪, ଧର୍ମଶାଳାରେ ୭ ଲାଇବ୍ରେରୀ ଅଛି। ଘର, ଆସବାବପତ୍ର ଅଛି କିନ୍ତୁ ଜଣେ ହେଲେ ପାଠକ ନାହାନ୍ତି।
ଜିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଅଧୀନରେ ଯାଜପୁର ଗୌତମବୁଦ୍ଧ ସଂସ୍କୃତି ଭବନରେ ଏକ ପାଠାଗାର ଚାଲିଆସୁଛି। ବିଭିନ୍ନ ଭାଷାଭାଷୀର ଖ୍ୟାତନାମା ଲେଖିକାଲେଖକଙ୍କ ସୃଜନାତ୍ମକ, ସମାଜ ସଂସ୍କାରଧର୍ମୀ, ସଚେତନାତ୍ମକ ଏବଂ ଆନ୍ଦୋଳନାତ୍ମକ ପୁସ୍ତକ ଉପଲବ୍ଧ ହେଉଥିଲା। ସେହି ସମୟରେ ଅନେକ ଜିଜ୍ଞାସୁ ପାଠକଙ୍କ ପୁସ୍ତକ ପ୍ରତି ଅନୁରାଗ ଥିଲା। ପୂର୍ବରୁ ପ୍ରାୟ ୪୦/୫୦ଜଣ ପାଠକ ଏହି ପାଠାଗାରକୁ ଯାଇ ପୁସ୍ତକ ଅଧ୍ୟୟନ କରୁଥିଲେ। କିନ୍ତୁ ଏବେ ପାଠକ ସଂଖ୍ୟା ଦୁଇଅଙ୍କରେ ପହଞ୍ଚି ପାରୁନାହିଁ। ସେହିପରି ବ୍ୟାସନଗରରେ ୧୯୮୬ରେ ପାଠାଗାର ପ୍ରତିଷ୍ଠା ହୋଇଥିଲା। ଏହା ଏବେ ଜରାଜୀର୍ଣ୍ଣ ହୋଇ ପଡ଼ିରହିଛି। ଆଜିର ବୈଷୟିକ ଜ୍ଞାନକୌଶଳ ଯୁଗରେ ଲୋକେ କ୍ରମଶଃ ପୁସ୍ତକ ଓ ପତ୍ରପତ୍ରିକାଠାରୁ ଦୂରେଇ ଯାଉଛନ୍ତି। ଟେଲିଭିଜନ, ସିନେମା, ସୋସିଆଲ ମିଡିଆ ଆଦି ପ୍ରତି ଆସକ୍ତ ହୋଇଛନ୍ତି। ଫଳରେ ପୁସ୍ତକର ଚାହିଦା କମିକମି ଯାଉଛି।
ସ୍ତମ୍ଭକାର ହରେକୃଷ୍ଣ ପଣ୍ଡା କୁହନ୍ତି, ମଣିଷର ମାନବିକ ଚେତନାର ଉତ୍ତରଣ, ପ୍ରାଚୀନ ସାହିତ୍ୟରୁ ଜ୍ଞାନ ଲାଭ, ପ୍ରକୃତ ଓ ପ୍ରତ୍ୟକ୍ଷ ଜ୍ଞାନ ଆହରଣ, କବିର କବିତ୍ୱ, ଲେଖକର ଚେତନା ସୃଷ୍ଟି ଏବଂ ବରିଷ୍ଠ ନାଗରିକମାନଙ୍କ ସମୟ ଅତିବାହିତ ପାଇଁ ପାଠାଗାର ନିହାତି ଆବଶ୍ୟକ। ଏଥିପାଇଁ ଆମେ ୧୯୮୦ରୁ ଜିଲାରେ ପାଠାଗାର ଆନ୍ଦୋଳନ ସୃଷ୍ଟି କରିଥିଲୁ। ଏବେ ପୁଣି ଏହି ଆନ୍ଦୋଳନ ଆରମ୍ଭ କରିବାକୁ ଆହ୍ବାନ କରୁଛୁ। ଆମର ସ୍ଲୋଗାନ ରହିବ ପଠନ ଅଭ୍ୟାସ ସଭ୍ୟତାର ବିକାଶ ।
ଅଧ୍ୟାପକ ଅକ୍ଷୟ କୁମାର ପଣ୍ଡା କୁହନ୍ତି, ଆଜିର ସମାଜରେ ପାଠାଗାରର ନିହାତି ଆବଶ୍ୟକ। ଏଥିପାଇଁ ପ୍ରୋତ୍ସାହନ ଦରକାର। ଯୁବସମାଜକୁ ପଠନମୁଖୀ କରିବାକୁ ପାଠାଗାରର ଗୁରୁତ୍ୱ ନିଶ୍ଚିତ ଭାବେ ରହିଛି। ପଠନର ବିକଳ୍ପ ନାହିଁ, ତେଣୁ ପାଠାଗାର ମାଧ୍ୟମରେ ସମାଜର ପରିବର୍ତ୍ତନ ସମ୍ଭବ।