ଶହୀଦ ସୁଶାନ୍ତଙ୍କ ସ୍ମୃତିରେ ଖୋଲିବ ପାଠାଗାର

ଘସିପୁରା,୩୦। ୮(ନିରଞ୍ଜନ ସାହୁ):ଆନନ୍ଦପୁର ଅଞ୍ଚଳର ସିଆର୍‌ପିଏଫ୍‌ ଯବାନ୍‌ ଶହୀଦ ସୁଶାନ୍ତ ଖୁଣ୍ଟିିଆଙ୍କ ଏକାଦଶାହ ଅବସରରେ ଏକ ବ୍ଲକସ୍ତରୀୟ ପାଠାଗାରର ଭିତ୍ତିପ୍ରସ୍ଥର ସ୍ଥାପନ କରାଯାଇଛି। ଘସିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ଓ ଆନନ୍ଦପୁର ବିଧାୟକ ଭାଗୀରଥି ସେଠୀ ଏହି ପାଠାଗାରର ଭିତ୍ତିପ୍ରସ୍ଥର ସ୍ଥାପନ କରିଛନ୍ତି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ୩ କୋଟି ୫୦ ଲକ୍ଷ ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଏହି ପାଠାଗାରର ନାମକୁ ଶହୀଦ ସୁଶାନ୍ତ ଖୁଣ୍ଟିଆ ମେମୋରିଆଲ ଲାଇବ୍ରେରୀ ନାମରେ ନାମିତ କରାଯିବ। ଏହା ସହିତ ଆନନ୍ଦପୁର ବ୍ୟାରେଜ ନିକଟସ୍ଥ ପୌରପରିଷଦର ପାର୍କଠାରେ ଶହୀଦଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ମଧ୍ୟ ଭିତ୍ତିିପ୍ରସ୍ତର ସ୍ଥାପନ କରାଯାଇଛି। ଆନନ୍ଦପୁର ଉପଜିଲାପାଳ ଅନୀଲ କୁମାର ସେଠୀଙ୍କ ସଂଯୋଜନାରେ ଏହି ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏସ୍‌ଡିପିଓ ପ୍ରଶାନ୍ତ କୁମାର ବେହେରା, ଜିଲା ଯୁବ ବିଜେଡି ସଭାପତି ରାକେଶ ରାମ ପ୍ରମୁଖ ଉପସ୍ଥିତ ଥିଲେ।
ଏକାଦଶାହ ଅବସରରେ ଦୁଇ ବିଧାୟକ ଶହୀଦଙ୍କ ବାସଭବନରେ ଉପସ୍ଥିତ ରହି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହା ସହିତ ଜିଲା ଯୁବ ବିଜେଡି ସଭାପତି ରାକେଶ ରାମଙ୍କ ଦ୍ୱାରା ରାଜ୍ୟ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ପକ୍ଷରୁ ଦିଆଯାଇଥିବା ୨ ଲକ୍ଷ ଟଙ୍କା ଏବଂ ଆନନ୍ଦପୁର ବିଧାୟକ ନିଜେ ୨ ଲକ୍ଷ ଟଙ୍କା ଶହୀଦଙ୍କ ସ୍ତ୍ରୀ ପୂର୍ଣ୍ଣମାଙ୍କୁ ଭେଟି ପ୍ରଦାନ କରିଥିଲେ। ଆନନ୍ଦପୁର ପୌର ଉପନଗରପାଳ ଦୁର୍ଗା ଚରଣ ଦଳେଇ, ସମ୍ପାଦକ ଦେବବ୍ରତ ରାମ, ବରିଷ୍ଠ ବିଜେଡି ନେତା ରମାକାନ୍ତ ବେହେରା ପ୍ରମୁଖ ଶହୀଦଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଉଲ୍ଲେଖଯୋଗ୍ୟ, ଗତ ୧୧ ତାରିଖରେ ସୁଶାନ୍ତ ମାଓବାଦୀଙ୍କ ଆକ୍ରମଣରେ ଶହୀଦ ହୋଇଥିଲେ। ସୁଶାନ୍ତଙ୍କ ବିୟୋଗରେ ମ୍ରିୟମାଣ ହୋଇ ତାଙ୍କ ମା’ ସୁନ୍ଦରୀ ଖୁଣ୍ଟିିଆ ମଧ୍ୟ ୧୮ତାରିଖରେ ଆଖିବୁଜି ଦେଇଥିଲେ। ଫଳରେ ଶହୀଦଙ୍କ ମା’ଙ୍କ କ୍ରିୟା କର୍ମ ଅନୁସାରେ ସୋମବାର ଉଭୟଙ୍କ ଏକାଦଶାହ କ୍ରିୟା ଅନୁଷ୍ଠିତ ହୋଇଥିଲା।

Share