ଜେନେଭା,୧୫ା୨:ଭୂମଧ୍ୟସାଗରର ଲିବ୍ୟା ଉପକୂଳରେ ଏକ ବୋଟ୍ ବୁଡ଼ିଯିବାରୁ ୭୩ ପ୍ରବାସୀଙ୍କ ମୃତ୍ୟୁ ଘଟିଥିବା ବୁଧବାର ଇଣ୍ଟରନ୍ୟାଶନାଲ ଅର୍ଗାନାଇଜେଶନ୍ ଫର୍ ମାଇଗ୍ରେଶନ୍ (ଆଇଓଏମ୍) ପକ୍ଷରୁ ସୂଚନା ଦିଆଯାଇଛି। ଉକ୍ତ ବୋଟ୍ରେ ୮୦ ଜଣ ଥିଲେ। ମଙ୍ଗଳବାର ବୋଟ୍ଟି କସର ଆଲକାୟରରୁ ୟୁରୋପ ଅଭିମୁଖେ ଯାତ୍ରା କରୁଥିବାବେଳେ ବୁଡ଼ିଯାଇଥିଲା। ୭ ପ୍ରବାସୀ ପହଁରି ଲିବ୍ୟା ଉପକୂଳରେ ଲାଗିଥିବାବେଳେ ଅନ୍ୟମାନେ ନିଖୋଜ ହୋଇଯାଇଥିଲେ। ନିଖୋଜ ପ୍ରବାସୀଙ୍କ ମୃତ୍ୟୁ ଘଟିଥିବାବେଳେ ସେମାନଙ୍କ ମଧ୍ୟରୁ ୧୧ ଜଣଙ୍କ ମୃତଦେହକୁ ସ୍ଥାନୀୟ ପୋଲିସ ଠାବ କରିଛି। ଚଳିତ ବର୍ଷ ଏହାକୁ ମିଶାଇ କେନ୍ଦ୍ରୀୟ ଭୂମଧ୍ୟସାଗରରେ ୧୩୦ ଜଣ ସଲୀଳ ସମାଧି ନେଇସାରିଲେଣି। ଗତବର୍ଷ ୧,୪୫୦ ଜଣ ଭାସିଯାଇ ପ୍ରାଣ ହରାଇଥିଲେ।