Categories: ଜାତୀୟ

୫୦ ଔଷଧ କମ୍ପାନୀର ଲାଇସେନ୍ସ ରଦ୍ଦ…

ନୂଆଦିଲ୍ଲୀ,୧୩।୭ : ଔଷଧ ଉତ୍ପାଦନକାରୀ କମ୍ପାନୀଗୁଡିକ ବିରୋଧରେ ଭାରତ ସରକାର କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଏକ ବୈଠକରେ ଫାର୍ମାସ୍ୟୁଟିକାଲ କମ୍ପାନୀ ବିରୋଧରେ ନିଆଯାଇଥିବା କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଉଚ୍ଚମାନର ଫାର୍ମା ଉତ୍ପାଦକୁ ବଜାୟ ରଖିବା ପାଇଁ ନିୟାମକ କର୍ତ୍ତୃପକ୍ଷ କମ୍ପାନୀଗୁଡିକର ଉତ୍ପାଦର ବିପଦ ଭିତ୍ତିକ ଯାଞ୍ଚ ଏବଂ ଅଡିଟ ଆରମ୍ଭ କରିଛନ୍ତି। ଏହା ଅନ୍ତର୍ଗତ ୧୩୭ ଟି କମ୍ପାନୀ ଯାଞ୍ଚ କରାଯାଇଥିଲା ଏବଂ ୧୦୫ ଟି ଫାର୍ମ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେଥିମଧ୍ୟରୁ ୩୧ ଟି ଫାର୍ମରେ ଉତ୍ପାଦନ ବନ୍ଦ ହୋଇଯାଇଛି ଏବଂ ୫୦ ଟି ଫାର୍ମ ବିରୋଧରେ ଉତ୍ପାଦ / ବିଭାଗ ଲାଇସେନ୍ସ ବାତିଲ ଏବଂ ନିଲମ୍ବନ ଜାରି କରାଯାଇଛି।

ପିଆଇବି ରିପୋର୍ଟ ଅନୁଯାୟୀ, ୭୩ ଟି ଫାର୍ମକୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି ଏବଂ ୨୧ ଟି ଫାର୍ମ ବିରୋଧରେ ଚେତାବନୀ ପତ୍ର ଜାରି କରାଯାଇଛି। ଡ୍ରଗ କଣ୍ଟ୍ରୋଲର୍‌ ଜେନେରାଲ ଅଫ ଇଣ୍ଡିଆ (ଡିସିଜି) କୁ ନକଲିଔଷଧ ଉତ୍ପାଦନ କରୁଥିବା ସମସ୍ତ ଫାର୍ମାସ୍ୟୁଟିକାଲ କମ୍ପାନୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଡକ୍ଟର ମନସୁଖ ମାଣ୍ଡବ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଭାରତରେ ଉତ୍ପାଦିତ ଔଷଧର ଗୁଣବତ୍ତା ସହିତ କୌଣସି ଆପୋଷ ବୁଝାମଣା ହେବ ନାହିଁ ବୋଲି ସେ କହିଛନ୍ତି। ଔଷଧ ଉତ୍ପାଦନକାରୀ କମ୍ପାନୀଗୁଡିକର ଯାଞ୍ଚ ପାଇଁ ସ୍ବତନ୍ତ୍ର ସ୍କ୍ବାଡ ଗଠନ କରାଯାଇଛି ଏବଂ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ସେ କହିଛନ୍ତି।

Share