ରାଷ୍ଟ୍ର ନିର୍ମାଣରେ ଏଲ୍‌ଆଇସିର ଅନନ୍ୟ ଯୋଗଦାନ

ଭୁବନେଶ୍ୱର,୨୬।୧୧: ଭୁବନେଶ୍ୱର ଡିଭିଜନ ଜୀବନବୀମା କର୍ମଚାରୀ ସଂଘ (ବିଡିଏଲ୍‌ଆଇଇଏ)ର ୧୬ ତମ ବାର୍ଷିକ ଉତ୍ସବ ଓ ୨ ଦିନିଆ ଜୀବନବୀମା କର୍ମଚାରୀ ସଂଘ ସମ୍ମିଳନୀ ଶନିବାର ଉଦ୍‌ଘାଟିତ ହୋଇଯାଇଛି। ଏପରିକି ରୂପନାରାୟଣ ସାହୁଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଭୁବନେଶ୍ୱରର ପୋଖରୀପୁଟସ୍ଥିତ ଭାରତୀୟ ଜୀବନ ବୀମା ନିଗମ (ଏଲ୍‌ଆଇସି)ର ଡିଭିଜନ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏଆଇଆଇଆଇଇଏର ବରେଲୀ ଡିଭିଜନର ସାଧାରଣ ସମ୍ପାଦକ ଗୀତା ସାନ୍ତ ସମ୍ମିଳନୀକୁ ଉଦ୍‌ଘାଟନ କରିବା ସହିତ ସେ କେନ୍ଦ୍ର ସରକାରଙ୍କ ଜନବିରୋଧୀ ଆର୍ଥିକ ନୀତିକୁ ତୀବ୍ର ସମାଲୋଚନା କରିଥିଲେ। ସେହିଭଳି ପୂର୍ବ କେନ୍ଦ୍ରୀୟ କ୍ଷେତ୍ରର ସାଧାରଣ ସମ୍ପାଦକ ତ୍ରିନାଥ ଦୋରା କହିଥିଲେ, ବିଗତ ୫୦ବର୍ଷରୁ ଅଧିକ ସମୟ ହେବ ଏଲ୍‌ଆଇସି ଦେଶର ବିକାଶ ଓ ରାଷ୍ଟ୍ର ନିର୍ମାଣରେ ଅନନ୍ୟ ଯୋଗଦାନ ଦେଇଥିବାବେଳେ କେନ୍ଦ୍ର ସରକାର ଏଭଳି ଏକ ସଂସ୍ଥାକୁ ଘରୋଇକରଣ କରିବାକୁ ଯୋଜନା କରୁଛନ୍ତି। ଏପରିକି ଏଲ୍‌ଆଇସି ଭଳି ଏକ ଲାଭଦାୟକ ସଂସ୍ଥାକୁ ଦୁର୍ବଳ କରିବା ସହ ସରକାରୀ ଅଂଶଧନକୁ ବିକ୍ରିକରିବା ପାଇଁ ଯେଉଁ ଅପଚେଷ୍ଟା କରାଯାଉଛି ସେ ବିଷୟରେ ଦୋରା ତୀବ୍ର ନିନ୍ଦା କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଏଲ୍‌ଆଇଇଏର କଟକ ଡିଭିଜନର ସାଧାରଣ ସମ୍ପାଦକ ଅଭୟ କୁମାର ଦାସ, ବ୍ରହ୍ମପୁର ଡିଭିଜନର ସାଧାରଣ ସମ୍ପାଦକ ସନ୍ତୋଷ କୁମାର ରଥ ଏବଂ ସମ୍ବଲପୁର ଡିଭିଜନର ସାଙ୍ଗଠନିକ ସମ୍ପାଦକ ଆଶିଷ କୁମାର ମହାପାତ୍ରଙ୍କ ସମେତ ସାଧାରଣ ବୀମା ଶିଳ୍ପର ସାଧାରଣ ସମ୍ପାଦକ ଦେବାଶିଷ ନାୟକ ପେନ୍‌ସନ ସଂଘର ସାଧାରଣ ସମ୍ପାଦକ ମାନଗୋବିନ୍ଦ ବାରିକ, ଭୁବନେଶ୍ୱର ମଣ୍ଡଳର ବରିଷ୍ଠ ମଣ୍ଡଳ ପ୍ରବନ୍ଧକ ମନୋରଞ୍ଜନ ଦାସ ଓ ଅନ୍ୟମାନେ ଯୋଗଦେଇ ନିଜ ନିଜର ମତ ଉପସ୍ଥାପନ କରିଥିଲେ। ପରିଶେଷରେ ସଂଘର ସାଧାରଣ ସମ୍ପାଦକ ଭାରତ ଭୂଷଣ ନାଏକ ବାର୍ଷିକ ବିବରଣୀ ପାଠ କରିଥିଲାବେଳେ ସାଙ୍ଗଠନିକ ସମ୍ପାଦକ ରମାକାନ୍ତ ଦାଶ ଧନ୍ୟବାଦ ଦେଇଥିଲେ।

Share