Categories: ଜାତୀୟ

ଛାପିଲାନି ଚାଇନା ସରକାରଙ୍କ ମୁଖପତ୍ର

ନୂଆଦିଲ୍ଲୀ, ୧୪।୮:କଶ୍ମୀର ପ୍ରସଙ୍ଗରେ ପାକିସ୍ତାନୀ ପ୍ରତିନିଧିଙ୍କ ସାକ୍ଷାତ୍‌କାରକୁ ବେଜିଂରେ ଥିବା ଭାରତୀୟ ଦୂତାବାସ ଖଣ୍ଡନ କରିଥିବାବେଳେ ଏହାକୁ ଚାଇନା ସରକାରଙ୍କ ମୁଖପତ୍ର ଗ୍ଲୋବାଲ ଟାଇମ୍ସ ଛାପିବାକୁ ମନା କରିଦେଇଛି। ଚାଇନାରେ ଥିବା ପାକିସ୍ତାନୀ ରାଷ୍ଟ୍ରଦୂତ ମୋଇନ୍‌ ଉଲ୍‌ ହକ୍‌ କଶ୍ମୀର ପ୍ରସଙ୍ଗରେ ଦେଇଥିବା ସାକ୍ଷାତ୍‌କାରକୁ ଗତ ୬ ତାରିଖରେ ଗ୍ଲୋବାଲ ଟାଇମ୍ସ ପ୍ରକାଶ କରିଥିଲା। ଭାରତୀୟ ପ୍ରତିପକ୍ଷ ଏହା ବିରୋଧରେ ପ୍ରତିବାଦ ପଠାଇଥିଲେ। ତେବେ ଏହାକୁ ଛାପିବା ପାଇଁ ଗ୍ଲୋବାଲ ଟାଇମ୍ସ ମନା କରିଦେଇଛି।
ପ୍ରତିବାଦରେ ଭାରତୀୟ ଦୂତାବାସ କହିଥିଲା, ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ବର୍ଷକ ମଧ୍ୟରେ ଜମ୍ମୁ-କଶ୍ମୀରରେ ଘଟିଥିବା ଉଲ୍ଲେଖନୀୟ ଅଗ୍ରଗତିକୁ ରାଷ୍ଟ୍ରଦୂତ ହକ୍‌ଙ୍କ ବିଭ୍ରାନ୍ତିକର ତଥ୍ୟ ଲୁଚାଇପାରିବ ନାହିଁ। ୩୭୦ ଉଚ୍ଛେଦ ପାଇଁ ଗତବର୍ଷ ଅଗଷ୍ଟ ୫ରେ ଭାରତ ସରକାର ଐତିହାସିକ ନିଷ୍ପତ୍ତି ନେଇଥିଲେ। ଏହା ପରେ ସେଠାରେ ଅନେକ ସକାରାତ୍ମକ କେନ୍ଦ୍ରୀୟ ଆଇନ ଲାଗୁ କରାଯାଇଛି ଏବଂ ପରିବର୍ତ୍ତନର ପ୍ରମାଣ ସମଗ୍ର ଜମ୍ମୁ-କଶ୍ମୀରରେ ଦେଖାଯାଇଛି। ସେଠାରେ ନୂତନ ଶିକ୍ଷା ଓ ସ୍ବାସ୍ଥ୍ୟ ଭିତ୍ତିଭୂମି ସହ ସୁଯୋଗ ସୃଷ୍ଟି ହୋଇଛି ବୋଲି ଭାରତୀୟ ମିଶନ ପକ୍ଷରୁ କୁହାଯାଇଛି। ସେଠାରେ ୫୦ ନୂଆ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା ହୋଇଛି, ଯାହାକି ୭୦ ବର୍ଷରେ ସର୍ବାଧିକ ଯୋଗଦାନ। ୫ ଲକ୍ଷ କଶ୍ମୀର ଛାତ୍ରୀଛାତ୍ର ସରକାରୀ ଛାତ୍ରବୃତ୍ତି ଯୋଜନାର ସୁବିଧା ପାଉଛନ୍ତି।
ସୀମାପାର ଆତଙ୍କବାଦ ପ୍ରସଙ୍ଗରେ ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି, ଜମ୍ମୁ-କଶ୍ମୀରରେ ଶାନ୍ତି, ସ୍ଥିରତା ଓ ବିକାଶ ଆଣିବା ପାଇଁ ଭାରତର ଉଦ୍ୟମ ଚଳାଇଛି। ଏହା ପାକିସ୍ତାନ ନୀତିର ପ୍ରତିକୂଳରେ ଯାଉଛି। ଉକ୍ତ ଅଞ୍ଚଳରେ ଅସ୍ଥିରତା ସୃଷ୍ଟି ଲକ୍ଷ୍ୟରେ ସୀମାପାର ଆତଙ୍କବାଦକୁ ପାକିସ୍ତାନ ପ୍ରୋତ୍ସାହିତ କରୁଛି। ଚଳିତ ବର୍ଷ ପ୍ରଥମ ୭ ମାସରେ ପାକିସ୍ତାନ ପକ୍ଷରୁ ୩,୦୦୦ ଥର ଅସ୍ତ୍ରବିରତି ଉଲ୍ଲଂଘନ ହୋଇଛି। ନିୟନ୍ତ୍ରଣ ରେଖାରେ ଆତଙ୍କବାଦୀ ଅନୁପ୍ରବେଶକୁ ସହାୟତା କରିବା ପାଇଁ ପାକ୍‌ ସେନା ଏଭଳି ଅସ୍ତ୍ରବିରତି କରୁଥିବା ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି। ଭାରତ ସରକାରଙ୍କ କାର୍ଯ୍ୟର ପରିହାସପୂର୍ଣ୍ଣ ଚରିତ୍ର ଚିତ୍ରଣ କରିବା ପୂର୍ବରୁ ରାଷ୍ଟ୍ରଦୂତ ହକ୍‌ ନିଜ ଶାସନକୁ ଦର୍ପଣ ଦେଖାଇ ପାକିସ୍ତାନ ସରକାରଙ୍କ କାର୍ଯ୍ୟଶୈଳୀକୁ ପ୍ରତିଫଳିତ କରିପାରିଥାନ୍ତେ ବୋଲି ଭାରତର ପ୍ରତିବାଦ ପତ୍ରରେ କୁହାଯାଇଥିଲା।

Share