ଶୁଦ୍ଧକ୍ରିୟାରେ ଯୋଗଦେବାକୁ ଆସିଥିଲେ: ଦୁର୍ଘଟଣାରେ ଚାଲିଗଲା ଜୀବନ

ପାଟଣା,୩।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ୪୯ ନମ୍ବର ମୁମ୍ବାଇ-କୋଲକାତା ଜାତୀୟ ରାଜପଥ ତୁରୁମୁଙ୍ଗା ଥାନା ନିକଟରେ ସୋମବାର ବିଳମ୍ବିତ ରାତ୍ରିରେ ଏକ ବାଇକ୍‌ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଛି l ମୃତକ ହେଲେ ସଦର ଥାନା କେନ୍ଦୁଆ ଗ୍ରାମର ନକୂଳ ନାଏକ।

ମିଳିଥିବା ସୂଚନା ମୁତାବକ, ନକୂଳ ତୁରୁମୁଙ୍ଗା ଥାନା ତ୍ରିବିନ୍ଧା ଗ୍ରାମର ପ୍ରଫୁଲ୍ଲ ନାଏକଙ୍କ ମୃତ୍ୟୁରେ ଶୁଦ୍ଧକ୍ରିୟା କାର୍ଯ୍ୟରେ ଯୋଗଦେବାକୁ ଆସିଥିଲେ। ଶୁଦ୍ଧିକ୍ରିୟାରେ ଯୋଗଦେଇ ସମ୍ପର୍କୀୟଙ୍କ ଘର ଡୁମୁରିଗୁଡ଼ାକୁ ସେ ଚାଲିକି ଯାଉଥିଲେ। ସେ ରାସ୍ତା ପାରି ହେଉଥିବା ବେଳେ ଏକ ବାଇକ୍‌ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ସେ ରାଜପଥରେ ଛଟିକି ପଡି ମୁଣ୍ଡରେ ଗଭୀର ଆଘାତ ଲାଗି ଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଏନ୍‌ଏଚ୍‌ଆଇ ଆମ୍ବୁଲାନ୍ସ ସହାୟତାରେ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ପୋଲିସ ଦୁର୍ଘଟଣା ଘଟାଇ ଥିବା ବାଇକ୍‌କୁ ଜବତ କରି ତଦନ୍ତ କରୁଥିବା ବେଳେ ବାଇକ୍‌ ଚାଳକ ମଧ୍ୟ ଦୁର୍ଘଟଣାରେ ଆହତ ହୋଇଥିବା ଜଣାପଡିଛି l