ପ୍ରକାଶ ତ୍ରିପାଠୀ
ମୁଁ କ’ଣ ନ କରିଛି ତା’ ପାଇଁ। ପ୍ରଥମରୁ ପ୍ରାଇଭେଟ ସ୍କୁଲରେ ପାଠ ପଢାଇବା ସହ ଭଲ ଟିୟୁଶନ ଓ କୋଚିଂ ବ୍ୟବସ୍ଥା କଲି। ସରକାରୀ କଲେଜ ବଦଳରେ ବେସରକାରୀ କଲେଜରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚକରି ପ୍ଲସ ଟୁ ସାଇନ୍ସ ପଢେଇଲି ଓ ତା’ ସହ ଜାତୀୟ ସ୍ତରରେ ସୁନାମ ଅର୍ଜନ କରିଥିବା କୋଚିଂ ସେଣ୍ଟରରେ ମେଡିକାଲ କୋଚିଂ ବି ଦେଲି। ହେଲେ ଫଳ କ’ଣ ମିଳିଲା? ଦୁଇ ଦୁଇ ଥର ଏଣ୍ଟ୍ରାନ୍ସ ଦେଲାଣି, କିନ୍ତୁ ସଫଳତା ପାଉନି। ଏ ଥର ବି ପରୀକ୍ଷା ଦେଇଛି, ହେଲେ ଭଲ କରିନାହିଁ ବୋଲି କହୁଛି। ଗୋଟିଏ ବୋଲି ପୁଅ, ସବୁ ସମୟ ଓ ସବୁ ସଞ୍ଚୟ ତା’ ପାଇଁ ଖଟେଇଲି। ମୋ ଭାଗ୍ୟ ଖରାପ। ମୋର ସବୁ ଆଶା ଓ ସ୍ବପ୍ନ ଧୂଳିସାତ୍ ହୋଇଗଲା। ମୋ ପାଖରେ ଆଉ ଏତେ ପଇସା ନାହିଁ ଯେ ତାକୁ ଘରୋଇ ମେଡିକାଲ କଲେଜରେ ପଢାଇ ପାରିବି। ମୋ ସହକର୍ମୀମାନେ ସେମାନଙ୍କ ଝିଅ ପୁଅମାନଙ୍କ ଗୌରବର ଗାଥା ବଖାଣିଲା ବେଳେ ମୋ ମୁହଁ ତଳକୁ ହୋଇଯାଉଛି। ଏହା ଥିଲା ମୋର ଜଣେ ବନ୍ଧୁଙ୍କ କ୍ଷୋଭଭରା ବକ୍ତବ୍ୟ, ଯାହାଙ୍କର ପୁଅ ପ୍ଲସଟୁ ପାସ କରିବା ପରେ ଦୁଇ ଦୁଇ ଥର ମେଡିକାଲ ଏଣ୍ଟ୍ରାନ୍ସରେ ଅକୃତକାର୍ଯ୍ୟ ହୋଇଛନ୍ତି। ମର୍ମାହତ ଓ ହତୋତ୍ସାହିତ ହୋଇପଡିଛନ୍ତି ସେ। ମୋ ଆଗରେ ଯାହା କହିଲେ ସେ କଥା ଆଉ କାହା ଆଗରେ କେହିବେନି କି ତୁମ ପୁଅ ଆଗରେ କେବେ ବି ଭୁଲ୍ରେ କହିବେନି । ମୋଠାରୁ ଏଭଳି ପ୍ରସ୍ତାବ ଶୁଣି ବନ୍ଧୁ ମୋ ଆଡକୁ ଚାହିଁଲେ। ମୁଁ ଅଧିକ କିଛି ନ କହି ତାଙ୍କ ଆଡକୁ ସେଦିନର ଖବରକାଗଜ ବଢାଇଦେଇ ଏକ ନିର୍ଦ୍ଦିଷ୍ଟ ଖବର ପଢିବାକୁ ଇସାରା କଲି। ସେ ଖବରଟା ଥିଲା ଏହିପରି। ନିଟ୍ (ନ୍ୟାଶନାଲ ଇଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ) ଅନୁଷ୍ଠିତ ହେବାର ଗୋଟିଏ ଦିନ ପୂର୍ବରୁ ତାମିଲନାଡୁର ତିନିଜଣ ନିଟ୍ ଆଶାୟୀ ପରୀକ୍ଷାର୍ଥୀ ଆତ୍ମହତ୍ୟା କରିଛନ୍ତି। ପରୀକ୍ଷାରେ ଅକୃତକାର୍ଯ ହେବା ଭୟରେ ସେମାନେ ପରୀକ୍ଷା ଦେବାପୂର୍ବରୁ ଆତ୍ମହତ୍ୟା କରିଥିବା ଜଣାପଡିଛି। ଖବରଟି ପଢି ବନ୍ଧୁଙ୍କ ମୁହଁ ପୂର୍ବାପେକ୍ଷା ଅଧିକ ବିଷଣ୍ଣ ଦେଖାଗଲା। ଆଖିରେ ଲୁହ ଭର୍ତ୍ତି ହୋଇ ଆସିଲା। ମୋ ହାତକୁ ଖବରକାଗଜ ବଢାଇ ଦେଇ ଚୁପଚାପ ଫେରିଗଲେ ନିଜ ଘରକୁ।
ପାଠକେ, ପ୍ରକାଶିତ ଖବରକୁ ଏଠାରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯିବା ଆବଶ୍ୟକ। ପ୍ରତିବର୍ଷ ବି ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ ପାଳିତ ହେଉଛି। ଏଇଦିନ ଆମେ ଜାଣୁ ବିଶ୍ବରେ ପ୍ରତିଦିନ କେତେଜଣ ଆତ୍ମହତ୍ୟା କରୁଛନ୍ତି। ଏମାନଙ୍କ ମଧ୍ୟରୁ ପୁରୁଷ ସଂଖ୍ୟା କେତେ, ମହିଳା କେତେ। ଛାତ୍ରୀଛାତ୍ରଙ୍କ ସଂଖ୍ୟା କେତେ। ପରୀକ୍ଷାରେ ଅକୃତକାର୍ଯ୍ୟରୁ କେତେ ଆତ୍ମହତ୍ୟା କଲେ, ଋଣ ଶୁଝି ନ ପାରି କେତେ ଆତ୍ମହତ୍ୟା କଲେ, ପ୍ରେମରେ ବିଫଳ ଯୋଗୁ ଓ ପାରିବାରିକ କଳହରୁ କେତେ ଆତ୍ମହତ୍ୟା କଲେ ତାହା ଆମେ ଏହିଦିନ ଜାଣୁ। ଚଳିତବର୍ଷ ବିଶ୍ୱ ଆତ୍ମହତ୍ୟା ଦିବସ ପାଳିତ ହେବାର ଦୁଇଦିନ ପରେ ନିଟ୍ ପରୀକ୍ଷାର ଗୋଟିଏ ଦିନପୂର୍ବରୁ ତାମିଲନାଡୁର ଏଇ ତିନିଜଣ ପରୀକ୍ଷାର୍ଥୀ ଆତ୍ମହତ୍ୟା କଲେ। ପରୀକ୍ଷାରେ ବିଫଳତା ଯୋଗୁ ଯଦି ସେମାନେ ଆତ୍ମହତ୍ୟା ଭଳି ପଥକୁ ବାଛିନିଅନ୍ତି ତେବେ ସେମାନଙ୍କ ମାତା-ପିତାଙ୍କ ପାଇଁ ଏହାଠାରୁ ବଳି ଅଧିକ ଯନ୍ତ୍ରଣାଦାୟକ ଘଟଣା ଆଉ କିଛି ହୋଇ ନ ପାରେ। ୧୯ ବର୍ଷୀୟା ମଦୁରାଇ ବାସିନ୍ଦା ଜ୍ୟୋତିଶ୍ରୀ ଦୁର୍ଗା ଦ୍ୱିିତୀୟ ଥର ପାଇଁ ନିଟ୍ ପରୀକ୍ଷା ଦେଇଥାନ୍ତେ। ଆତ୍ମହତ୍ୟା ପୂର୍ବରୁ ଜ୍ୟୋତି ନିଜ ସୁଇସାଇଡାଲ ନୋଟ୍ରେ ଲେଖିଛନ୍ତି ଯେ, ସେ ନିଜ ପରିବାର ଲୋକ ଓ ଅନ୍ୟମାନଙ୍କୁ ନିରାଶ କରିବେ ଯଦି ସେ ମେଡିକାଲ ଏଣ୍ଟ୍ରାନ୍ସ ପରୀକ୍ଷାରେ କୃତକାର୍ଯ୍ୟ ନ ହେବେ। ସେଥିପାଇଁ ସେ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଉଛନ୍ତି। ସେହିପରି ଧରମପୁରୀ ବାସିନ୍ଦା ୨୧ ବର୍ଷୀୟ ଏମ୍ ଆଦିତ୍ୟ ଏହାପୂର୍ବରୁ ଥରୁଟିଏ ନିଟ୍ରେ ଅକୃତକାର୍ଯ୍ୟ ହୋଇଥିଲା ବେଳେ ତିରୁଚେନଗୋଡେ ବାସିନ୍ଦା ମୋତିଲାଲ ଦୁଇଥର ଅକୃତକାର୍ଯ୍ୟ ହେବାପରେ ଚଳିତଥର ତୃତୀୟ ଥର ପାଇଁ ପରୀକ୍ଷା ଦେଇଥାନ୍ତେ। ହେଲେ ଚଳିତ ପରୀକ୍ଷାରେ ବସିବା ପୂର୍ବରୁ ନିଜ ପରିଶ୍ରମ ଓ ପ୍ରଚେଷ୍ଟା ଉପରେ ଭରସା ନ କରିପାରି ବିଷାଦଗ୍ରସ୍ତ ହୋଇପଡିଲେ ଓ ଆତ୍ମହତ୍ୟା ଭଳି ଏକ ଦୁର୍ଭାଗ୍ୟପୂର୍ଣ୍ଣ ପଥକୁ ଆଦରିନେବା ସହ ନିଜ ପରିବାରକୁ ଶୋକ ସାଗରରେ ବୁଡାଇ ଦେଇଗଲେ। ପ୍ରକାଶଯୋଗ୍ୟ, ଗତବର୍ଷ ପରୀକ୍ଷାରେ ବିଫଳ ହୋଇ ୧୦୩୩୫ ଛାତ୍ରୀଛାତ୍ର ଆତ୍ମହତ୍ୟା ଭଳି ଏକ ଚରମ ପଥକୁ ଆଦରି ନେଇଥିଲେ। ନ୍ୟାଶନାଲ କ୍ରାଇମ ରେକର୍ଡସ ବ୍ୟୁରୋର ତଥ୍ୟ ଅନୁଯାୟୀ ୨୦୧୮ ବର୍ଷରେ ୧୦୧୫୯ ଜଣ ଓ ୨୦୧୭ରେ ୯୯୦୫ ଛାତ୍ରୀଛାତ୍ର ହତାଶ ଓ ନିରାଶରେ ଆତ୍ମହତ୍ୟା କରିଥିଲେ। ତଥ୍ୟ କୁହେ ଆମ ଭାରତରେ ପ୍ରତିଘଣ୍ଟାରେ ଜଣେ ଛାତ୍ରୀ ଅବା ଛାତ୍ର ଆତ୍ମହତ୍ୟା କରିଥାନ୍ତି। ଏ କ୍ଷେତ୍ରରେ ମହାରାଷ୍ଟ୍ର ସବା ଆଗରେ ଥିବାବେଳେ ତା’ ପଛକୁ ତାମିଲନାଡୁ ଓ ମଧ୍ୟପ୍ରଦେଶ ରହିଛି। ଉଚ୍ଚତର ଶିକ୍ଷାରେ ଏହି ଆତ୍ମହତ୍ୟା ହାର ଅଧିକ। ୨୦୧୪ରୁ ୨୦୧୯ ମଧ୍ୟରେ ୧୦ଟି ଆଇଆଇଟି ଶିକ୍ଷା ସଂସ୍ଥାରୁ ୨୭ ଜଣ ଛାତ୍ରୀ-ଛାତ୍ର ଆତ୍ମହତ୍ୟା କରିଥିବା ଖବର ପ୍ରକାଶ ପାଇଛି। ଗତବର୍ଷ ତେଲଙ୍ଗାନାରେ ଇଣ୍ଟରମିଡିଏଟ୍ ଫଳ ବାହାରିବା ପରେ ୧୯ ଜଣ ଛାତ୍ରୀଛାତ୍ର ଗୋଟିଏ ସପ୍ତାହରେ ଆତ୍ମହତ୍ୟା କରିଥିଲେ। ଦୁଇବର୍ଷ ପୂର୍ବେ ମଧ୍ୟପ୍ରଦେଶରେ ମାଟ୍ରିକ ପରୀକ୍ଷାଫଳ ପ୍ରକାଶ ପାଇବା ପରେ ଗୋଟିଏ ଦିନରେ ୧୨ ଜଣ ଛାତ୍ରୀଛାତ୍ର ଆତ୍ମହତ୍ୟା କରିଥିଲେ। ସେହିପରି କୋଚିଂର ହବ କୁହାଯାଉଥିବା ରାଜସ୍ଥାନର କୋଟାରେ କୋଚିଂ ନେଉଥିବା ଛାତ୍ରୀଛାତ୍ରଙ୍କ ଆତ୍ମହତ୍ୟା ସଂଖ୍ୟା ବି ଚିନ୍ତାଜନକ। ୨୦୧୩ରୁ ୨୦୧୯ ମଧ୍ୟରେ ୫୮ ଜଣ ଛାତ୍ରୀଛାତ୍ର ଆତ୍ମହତ୍ୟା କରିଥିଲେ। ପାଠପଢାର ଚାପ, ପରୀକ୍ଷାରେ ବିଫଳତା ଏହି ଆତ୍ମହତ୍ୟାର ପ୍ରମୁଖ କାରଣ ବୋଲି କୁହାଯାଏ।
ଗତ କିଛିବର୍ଷଧରି ଯୁବବର୍ଗଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧିପାଉଥିବା ଲକ୍ଷ୍ୟ କରାଯାଉଛି। ସେମାନଙ୍କଠାରେ ସୃଷ୍ଟି ହେଉଥିବା ଆତ୍ମହତ୍ୟା ଭାବନା ପଛରେ ସେମାନଙ୍କ ପାଠପଢା ଚାପ, ପରୀକ୍ଷା ଚାପ, ପାଠପଢା ପରବର୍ତ୍ତୀ ନିଯୁକ୍ତି ଚାପ ସହ ବିଶୃଙ୍ଖଳିତ ଜୀବନଚର୍ଯ୍ୟାକୁ ମୁଖ୍ୟ କାରଣ ଧରାଯାଇଥାଏ। ପିଲାଙ୍କ ପାଠପଢାରେ ମୋଟା ଅଙ୍କର ପୁଞ୍ଜିନିବେଶକୁ ବର୍ତ୍ତମାନ ସମୟରେ ଅନେକ ଅଭିଭାବକ ଏକ ବ୍ୟବସାୟିକ ସ୍ତରକୁ ନେଇ ଭବିଷ୍ୟତରେ ପୁଳା ପୁଳା ଟଙ୍କା ଆମଦାନୀର ଲକ୍ଷ୍ୟ ରଖିବା ଆଢୁଆଳରେ ପିଲାମାନଙ୍କ ମାନସିକ ସ୍ଥିତି ଯେ ବିଗିଡି ଯାଉଛି ତାହା ଉପଲବ୍ଧି କରିବାକୁ କେହିନାହିଁ। ପ୍ରାଥମିକ ଶିକ୍ଷା ଆରମ୍ଭରୁ ପିଲାମାନଙ୍କୁ କେବଳ ପାଠପଢା ଓ ଟିୟୁଶନରେ ସୀମିତ ରଖାଯାଏନାହିଁ। ସେମାନଙ୍କୁ ସଙ୍ଗୀତ, ଚିତ୍ରାଙ୍କନ, ନୃତ୍ୟ ତାଲିମ ପ୍ରଦାନ ସହ ପ୍ରତିଟି କ୍ଷେତ୍ରରେ ଉତ୍କର୍ଷତା ପ୍ରଦର୍ଶନ ପାଇଁ ଲକ୍ଷ୍ୟଧାର୍ଯ୍ୟ କରିଦିଆଯାଇଥାଏ। ପିଲାଟିବେଳୁ ସେମାନଙ୍କୁ ହସଖୁସିର ବାତାବରଣ ଅପେକ୍ଷା ପ୍ରତିଦ୍ୱନ୍ଦ୍ୱିିତାପୂର୍ଣ୍ଣ ପରିବେଶରେ ଚାପଗ୍ରସ୍ତ ଭାବେ ବଢିବାକୁ ଦିଆଯାଏ।
ଆଉ ନୁହେଁ, ଆମ ପିଲାଙ୍କ ଉପରେ ଆଉ ଚାପ ସୃଷ୍ଟି କରା ନ ଯାଉ। ସେମାନଙ୍କ ଇଚ୍ଛାକୁ ସମ୍ମାନ ଦିଆଯାଉ। ସେମାନଙ୍କ ପାଠ୍ୟ ଖସଡାରେ ଆଧ୍ୟାତ୍ମିକତା ତଥା ଜୀବନ ଦର୍ଶନକୁ ସ୍ଥାନିତ କରାଯାଉ। ପିଲାମାନଙ୍କର ମାନସିକ ଅବସ୍ଥାକୁ ବୁଝି ଯଥାସମ୍ଭବ ସେମାନଙ୍କୁ ଚାପଶୂନ୍ୟ ରଖାଯାଉ। ଦେଶର ଭବିଷ୍ୟତ କୁହାଯାଉଥିବା ଯୁବସମାଜକୁ ସୁସ୍ଥ ଓ ସୁରକ୍ଷିତ ରଖିବା ଆମ ସମସ୍ତଙ୍କର ମୁଖ୍ୟ ଦାୟିତ୍ୱ। ପ୍ରଥମେ ଜୀବନ, ପରେ ଆଉ ଯାହାକିଛି, ଏହାର ଗୁରୁତ୍ୱକୁ ସମସ୍ତେ ବୁଝନ୍ତୁ।
ମୋ-୯୪୩୭୨୩୨୪୬୩