ବଲାଙ୍ଗୀର ଅଫିସ,୨୩ା୮: ସମାଜ ସାହିତ୍ୟ ଏବଂ ସଂସ୍କୃତି ଉପରେ କାମ କରୁଥିବା ଅନୁଷ୍ଠାନ ରଚନା ପକ୍ଷରୁ ସ୍ଥାନୀୟ ପତିତପାବନ ଏକାଡେମୀ ହଲରେ ମାସିକ ରଚନା ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି। କୋଶଲୀ ଭାଷା ସାହିତ୍ୟର ଗବେଷକ ପଦ୍ମଶ୍ରୀ ନରସିଂହ ପ୍ରସାଦ ଗୁରୁ ମୋ ଜୀବନ, କୃତି ଓ ଅନୁଭୂତି ଶୀର୍ଷକ କାର୍ଯ୍ୟକ୍ରମରେ ନିଜ ଜୀବନର ଅନୁଭୂତି ବଖାଣିଥିଲେ। କବି ଆନନ୍ଦ ଚନ୍ଦ୍ର ସାହୁ ଏହି ଅନ୍ତରଙ୍ଗ ଆଳାପରେ ଯୋଗଦେଇ ପଦ୍ମଶ୍ରୀ ଗୁରୁଙ୍କୁ ବିଭିନ୍ନ ପ୍ରଶ୍ନ କରି ତାଙ୍କର ଜୀବନର ବହୁ ରୋଚକ ଘଟଣାବଳୀ ସମ୍ପର୍କରେ କଥା ହୋଇଥିଲେ। ପଦ୍ମଶ୍ରୀ ଗୁରୁ କହିଥିଲେ ଯେ, ଦୀର୍ଘ ୩୭ ବର୍ଷର ଶିକ୍ଷକତା ପରେ ସେ ଅବସର ଗ୍ରହଣ କରିଥିଲେ। ଏବେ ୯୧ ବର୍ଷ ବୟସରେ ମଧ୍ୟ ସକ୍ରିୟ ରହିଛନ୍ତି। ପ୍ରତିଦିନ ସାହିତ୍ୟ ସାଧନାରେ ନିମଗ୍ନ ଅଛନ୍ତି। ପ୍ରାରମ୍ଭିକ ଜୀବନ ତାଙ୍କର ସଂଘର୍ଷମୟ ରହିଥିଲା। ଶିକ୍ଷକତା ସମୟରେ ଜଣେ ନୀତିନିଷ୍ଠ ଏବଂ କର୍ତ୍ତବ୍ୟନିଷ୍ଠ ଶିକ୍ଷକ ଭାବେ କାମ କରୁଥିଲେ ମାତ୍ର ତାଙ୍କୁ ଶିକ୍ଷା ବିଭାଗୀୟ ଉଚ୍ଚ ଅଧିକାରୀମାନେ ଅଯଥାରେ ହଇରାଣ ହରକତ କରୁଥିଲେ। ବାରମ୍ବାର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବଦଳି କରୁଥିଲେ। ଥରେ ଏହାର ପ୍ରତିବାଦ କରିବାରୁ ଏଭଳି କାର୍ଯ୍ୟ ବନ୍ଦ କଲେ।
୧୯୪୭ ମସିହାରେ ସେ ନବମ ଶ୍ରେଣୀ ପଢୁଥିବାବେଳେ ଦେଶ ସ୍ବାଧୀନ ହେଲା। ସେତେବେଳେ ବଲାଙ୍ଗୀରର ଅବସ୍ଥା କିପରି ଥିଲା ଓ ଏଠାରେ ସ୍ବାଧୀନତା ଦିବସ କିଭଳି ପାଳନ କରାଯାଇଥିଲା କହିଥିଲେ। ପ୍ରତି ଘର ସମ୍ମୁଖରେ ମା’ମାନେ ଦୀପ ଜାଳିଥିଲେ। ସତ୍ୟାଗ୍ରହୀ ଓ ସାଧାରଣ ଜନତା ଶୋଭାଯାତ୍ରାରେ ଇନ୍କ୍ଳାବ୍ ଜିନ୍ଦାବାଦ ନାରା ଦେଇ ସହର ପରିକ୍ରମ କରିଥିଲେ। ଅଷ୍ଟମ ଶ୍ରେଣୀରେ ପଢୁଥିବାବେଳେ କବି ଗଙ୍ଗାପ୍ରସାଦ ପଣ୍ଡାଙ୍କ କୋଶଲୀ କବିତାରେ ଆକୃଷ୍ଟ ହୋଇ କୋଶଲୀ ଭାଷାରେ ଲେଖିଲେଖି ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ କୋଶଲୀ ଭାଷା ସାହିତ୍ୟ ଓ ସଂସ୍କୃତି ଉପରେ ଗବେଷଣା କରି ୪୦ଟି ବହି ଲେଖିଛନ୍ତି। କୋଶଲୀ-ଓଡିଆ ଅଭିଧାନ ତାଙ୍କର ଶ୍ରେଷ୍ଠ କୃତି ବୋଲି ସେ କହିଥିଲେ। ଏହି ଆଲୋଚନାରେ ଆଗାମୀ ଦିନରେ ଭାଷା, ସାହିତ୍ୟର ସ୍ବରୂପ ଏବଂ ଲେଖକଙ୍କ କର୍ତ୍ତବ୍ୟ ଉପରେ ସେ କହିଥିଲେ। ସଭା ପ୍ରାରମ୍ଭରେ ରଚନା ସମ୍ପାଦକ ସନାତନ ଠାକୁର ପଦ୍ମଶ୍ରୀ ଗୁରୁ ଓ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟା ଜ୍ୟୋତି ସାହୁ ପଦ୍ମଶ୍ରୀ ଗୁରୁଙ୍କୁ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସଭାରେ ରଚନା ସଭାପତି ଭାଗିରଥି ମିଶ୍ର, ଗାଳ୍ପିକା ଗାୟତ୍ରୀ ସରାଫ, କସ୍ତୁରୀ ରଥ, ଗିରିଜା ଶଙ୍କର ରଥ, ରାମଶଙ୍କର ଶତପଥି, ଅଖିଳ ଚନ୍ଦ୍ର ହୋତା, ଗୁରୁ ଘାସିରାମ ମିଶ୍ର, ବିଜୟ କୁମାର ତ୍ରିପାଠୀ, ନା୍ଯଯଭୂଷଣ ଜଗଦାନନ୍ଦ ଛୁରିଆ, ଶରଦିନ୍ଦୁ ଭୂଷଣ ହୋତା, ରାମଭକ୍ତ ଫରିକାର, ଭବାନୀ ଶଙ୍କର ପଟେଲ, ଡ. ଗୋପବନ୍ଧୁ ରଥ ଓ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।