ସ୍ବାମୀ, ଶାଶୁ ଓ ଶ୍ୱଶୁରଙ୍କୁ ଆଜୀବନ କାରାଦଣ୍ଡ

ଜଗତ୍‌ସିଂହପୁର ଅଫିସ, ୧ା୧୦: ଜଗତ୍‌ସିଂହପୁର ଥାନା ଅନ୍ତର୍ଗତ ନିନୀଗାଁରେ ୨୦୧୯ରେ ଏକ ବଧୂହତ୍ୟା ହୋଇଥିଲା। ଶୁକ୍ରବାର ଏହି ମାମଲାର ରାୟ ପ୍ରକାଶ ପାଇଛି। ହରପ୍ରିୟା ଖଟୁଆଙ୍କୁ ହତ୍ୟା ଅଭିଯୋଗ ମାମଲାର ବିଚାର କରାଯାଇ ଜଗତ୍‌ସିଂହପୁର ଜିଲା ଓ ଦୌରାଜଜ୍‌ ଅନୁପ କୁମାର ଚନ୍ଦନ ୩ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି l
ସେମାନେ ହେଲେ ମୃତା ହରପ୍ରିୟାଙ୍କ ସ୍ବାମୀ ଗଣେଶ୍ୱର ବସ୍ତିଆ, ଶ୍ୱଶୁର ଗଙ୍ଗାଧର ବସ୍ତିଆ ଓ ଶାଶୁ ସଂଯୁକ୍ତା ବସ୍ତିଆ। ଏଥିସହ ୧୦ ହଜାର ଟଙ୍କା ଲେଖାଏ ଜରିମାନା ଧାର୍ଯ୍ୟ କରିଛନ୍ତି। ଏହି ରାଶି ଅଣଦେୟ ହେଲେ ଅଧିକ ୧ ବର୍ଷ ଲେଖାଏ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ରାୟରେ ଉଲ୍ଲେଖ ରହିଛି l
ଏ ସମ୍ପର୍କରେ ଜଗତ୍‌ସିଂହପୁର କୋର୍ଟ କ୍ୟାଡର ପିପି ନଳିନୀକାନ୍ତ ମହାରଣା କହିଛନ୍ତି, ୧୧/୭/୨୦୦୭ରେ ହରପ୍ରିୟା ସହ ବୈଦିକ ରୀତିରେ ଗଣେଶ୍ୱରଙ୍କ ବିବାହ ସମ୍ପନ୍ନ ହୋଇଥିଲା l ସେତେବେଳେ ବର ଘରର ଦାବି ମୁତାବକ ୫୦ ହଜାର ଟଙ୍କା, ଅଳଙ୍କାର ଓ ଅନ୍ୟାନ୍ୟ ସାମଗ୍ରୀ ଆଦି ଯୌତୁକ ଆକାରରେ ଦିଆଯାଇଥିଲା l ପ୍ରଥମେ ଏକମାସ ପର୍ଯ୍ୟନ୍ତ ସବୁ ଭଲରେ ଚାଲିଥିଲା। ତା’ପରେ ଗଣେଶ୍ୱରଙ୍କ ପରିବାର ଲୋକେ ଅଧିକ ୧ ଲକ୍ଷ ଟଙ୍କା ଯୌତୁକ ଦାବି କରି ହରପ୍ରିୟାଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଥିଲେ l ମୃତ୍ୟୁର ପୂର୍ବଦିନ ରାତିରେ ତାଙ୍କୁ ହତ୍ୟା କରିବା ପାଇଁ ଯୋଜନା କରାଯାଇଛି ବୋଲି ହରପ୍ରିୟା ଫୋନ ଯୋଗେ ଭାଇଙ୍କୁ ଜଣାଇଥିଲେ। ପରଦିନ ଅର୍ଥାତ୍‌ ୩୧/୧୨/୨୦୧୨ ସକାଳେ ହରପ୍ରିୟାଙ୍କ ମୃତ୍ୟୁ ହୋଇଥିବା ଖବର ମିଳିିଥିଲା।
ଏହାପରେ ତାଙ୍କ ବାପଘର ଲୋକେ ନିନୀଗାଁରେ ପହଞ୍ଚତ୍ତ୍ଥିଲେ l ସେତେବେଳକୁ ହରପ୍ରିୟା ମୃତ ଅବସ୍ଥାରେ ରୋଷେଇ ଘରେ ପଡ଼ିଥିଲେ l ତାଙ୍କ ବେକରେ ଏକ ପତଳା କ୍ଷତ ଚିହ୍ନ ଥିଲା। କବାଟ ଭାଙ୍ଗିଥିଲା। ସେଠାରେ ଶାଶୁ ଘର ଲୋକେ ନ ଥିଲେ l ଏହାପରେ ହରପ୍ରିୟାଙ୍କ ଦାଦା ତଥା ଏହି ଥାନା ଅନ୍ତର୍ଗତ ଭୋକଞ୍ଜି ଗ୍ରାମର ରାମଚନ୍ଦ୍ର ଖଟୁଆଙ୍କ ଅଭିଯୋଗ ଆଧାରରେ ଜଗତ୍‌ସିଂହପୁର ପୋଲିସ ମାମଲା (ନଂ.୨୭୦/୧୨) ରୁଜୁ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା। ଏହି ମାମଲାରେ ପ୍ରଥମେ ଗଙ୍ଗାଧର, ତାଙ୍କ ଧର୍ମ ପୁଅ ବୃନ୍ଦାବନ ସେଠି ଓ ପୁଅ ଗଣେଶ୍ୱର ଅଭିଯୁକ୍ତ ଥିଲେ। ପରେ ଆଉ ଏକ ମାମଲା ରୁଜୁ କରାଯାଇ ହରପ୍ରିୟାଙ୍କ ଶାଶୁ ସଂଯୁକ୍ତା, ନଣଦେଇ ବାବୁଲା ଦାସ, ନଣନ୍ଦ ଲକ୍ଷ୍ମୀପ୍ରିୟା ଦାସ ଓରଫ ଚୁମକିଙ୍କୁ ଅଭିଯୁକ୍ତ କରାଯାଇଥିଲା। ହରପ୍ରିୟାଙ୍କ ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା l ୮ ଜଣ ସାକ୍ଷୀ ଓ ଅଭିଯୁକ୍ତଙ୍କ ପଟୁ ୩ ଜଣ ସାକ୍ଷୀଙ୍କ ବୟାନ ଓ ତଥ୍ୟ ପ୍ରମାଣକୁ ଭିତ୍ତି ୩ ଜଣଙ୍କୁ ଦଣ୍ଡିତ କରାଯାଇଥିବାବେଳେ ଅନ୍ୟମାନେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି।