Advertisement

ହତ୍ୟା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

ବରଗଡ଼,୨୭ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅତାବିରା ଥାନା ତଲାକଟା ଗ୍ରାମରେ ଗତ ୨୦୧୯ ଜୁଲାଇ ୩୦ରେ ଛେଳିମାଂସ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି । ଏହି ମାମଲାର ବିଚାର କରି ବରଗଡ଼ ଅତିରିକ୍ତ ଜିଲା ଦୌରାଜଜ୍‌ ସଂଘମିତ୍ରା ଶର୍ମା ଅଭିଯୁକ୍ତ ଫକୀର ଲାକ୍ରାଙ୍କୁ ଆଜୀବନ କାରାଦଣ୍ଡ ଏବଂ ୧୦ହଜାର ଜରିମାନାରେ ଦଣ୍ଡିତ କରିଛନ୍ତି। ଜରିମାନା ଅର୍ଥ ଅନାଦେୟ ହେଲେ ଆଉ ଅଧିକ ୧ ବର୍ଷ କାରାଦଣ୍ଡ ବୃଦ୍ଧି ପାଇଁ ରାୟରେ ଉଲ୍ଲେଖ ରହିଛି।

ପ୍ରକାଶ ଯେ, ଘଟଣା ଦିନ ଅତାବିରା ଥାନା ତଲାକଟା ଗ୍ରାମର କୁଟୁରୁ ଲାକ୍ରାଙ୍କ ୨ପୁଅ ଫକୀର ଏବଂ କଟି ଆମଝର ଗ୍ରାମକୁ ଯାଇଥିଲେ। ସେଠାରୁ ଘରକୁ କିଛି ଛେଳିମାଂସ ଆଣିଥିଲେ। ଘରେ ସେହି ମାଂସ ଭାଗବଣ୍ଟାକୁ ନେଇ ଉଭୟ ଭାଇଙ୍କ ମଧ୍ୟରେ କଳିଗୋଳ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଫକୀର ଏକ କଟୁରିରେ ସାନଭାଇ କଟିଙ୍କୁ ଆକ୍ରମଣ କରିଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ଡାକ୍ତରଖାନା ନିଆଯାଇଥିଲା। ସେଠାରେ କଟିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଘଟଣାକୁ ନେଇ ମୃତ କଟିଙ୍କ ସ୍ତ୍ରୀ ଚନ୍ଦ୍ରା ଅତାବିରା ଥାନାରେ ଏତଲା ଦେଇଥିଲେ। ତାଙ୍କ ଏତଲାକୁ ଭିତ୍ତି କରି ପୋଲିସ କେସ୍‌ ନଂ ୧୫୮/୧୯ରେ ଏକ ମାମଲାରୁଜୁ କରିଥିଲା। ୧୩ ଜଣ ସାକ୍ଷ୍ୟ ଏବଂ ଅନ୍ୟାନ୍ୟ ପ୍ରମାଣକୁ ଆଧାର କରି କୋର୍ଟ ଅଭିଯୁକ୍ତ ଫକୀରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସରକାରଙ୍କ ପକ୍ଷରୁ ଏ.ପି.ପି ମନୋଜ କୁମାର ଏକ୍କା ଉକ୍ତ ମାମଲା ପରିଚାଳନା କରୁଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share