ସାଙ୍ଗ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

ସୁନ୍ଦରଗଡ଼,୨୪।୯(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ଦୌରାଜଜ ଶୁଭଦର୍ଶୀ ପଟ୍ଟନାୟକ ଶୁକ୍ରବାର ଏକ ହତ୍ୟା ମାମଲାର ବିଚାର କରି ରାୟ ଶୁଣାଇଛନ୍ତି। ଅଭିଯୁକ୍ତ ଅଭି ଛତ୍ରିଆଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରି ୫ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୨ମାସ ଜେଲଦଣ୍ଡ ପାଇଁ ତାଙ୍କ ରାୟରେ ଆଦେଶ ଦେଇଛନ୍ତି। ମାମଲାର ରାୟର ବିବରଣୀରୁ ପ୍ରକାଶ ଯେ, ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ସମିନା ବାଘୁପଡ଼ାର ରୋହିତ ନେଟୀ ଓ କିରେଇର ଅଭି ଛତ୍ରିଆ ଦୁଇ ସାଙ୍ଗ। ଉଭୟ ଜଙ୍ଗଲରୁ ଜାଳେଣି କାଠ ଆଣି କ୍ରୟ କରି ପରିବାର ଚଳାନ୍ତି। ଘଟଣା ଦିନ ଅର୍ଥାତ ଗତ ୨୦୧୬ ଅକ୍ଟୋବର ୨୭ରେ ଅଭିଯୁକ୍ତ ଅଭି ଛତ୍ରିଆ ସ୍ତ୍ରୀ ସହ ନିଜ ସାଙ୍ଗ ରୋହିତଙ୍କୁ ଧରି ସମରଡିହି ଜଙ୍ଗଲକୁ କାଠ ସଂଗ୍ରହ ପାଇଁ ଯାଇଥିଲେ। ହେଲେ କୌଣସି କାରଣରୁ ଅଭି ସାଙ୍ଗ ରୋହିତଙ୍କୁ ହତ୍ୟାକରି ଏକ ମହୁଲଗଛ ମୂଳେ ପକାଇଦେଇ ଚାଲିଆସିଥିଲେ। ରୋହିତଙ୍କ ବଡ଼ଭାଇ ସୁରତ ନେଟୀ ଏ ସମ୍ପର୍କରେ ଖବରପାଇ ସଦର ଥାନାରେ ରିପୋର୍ଟ କରିଥିଲେ। ପୋଲିସ ସଦର ଥାନାରେ ଭାରତୀୟ ଦଣ୍ଡବିଧି ଧାରା ୩୦୨ ଅନୁଯାୟୀ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ପରେ ଅଭିଯୁକ୍ତ ଅଭିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ବିଚାରପତି ସମସ୍ତ ପ୍ରମାଣ ସହ ୨୭ଜଣ ସାକ୍ଷୀଙ୍କ ବୟାନ ଓ ପାରିପାଶର୍‌ବିକ ତଥ୍ୟ ଆଧାରରେ ଶୁକ୍ରବାର ଅଭିଯୁକ୍ତ ଅଭି ଛତ୍ରିଆଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ମାମଲାକୁ ସଦର ଥାନାର ତତ୍କାଳୀନ ତଦନ୍ତକାରୀ ପୋଲିସ ଅଫିସର ଦେବକୀ ନାଏକ ତଦନ୍ତ କରିଥିଲେ। ସରକାରଙ୍କ ତରଫରୁ ପବ୍ଲିକ ପ୍ରସିକ୍ୟୁଟର ଅବଦୁଲ ସମୁମ ଅଖତାର ଏହି ମାମଲା ପରିଚାଳନା କରୁଥିଲେ।