ହତ୍ୟା ମାମଲାରେ ଦୋଷୀଙ୍କୁ ଅଜୀବନ ଜେଲ

ବାଲେଶ୍ୱର ଅଫିସ,୨୬।୫: ବାଲେଶ୍ୱର ଏସ୍‌ସି ଆଣ୍ଡ ଏସ୍‌ଟି କୋର୍ଟର ସ୍ବତନ୍ତ୍ର ଜଜ୍‌ ଲିଲିପ୍ତା ପଶାୟତ ଶୁକ୍ରବାର ଏକ ହତ୍ୟା ମାମଲାର ବିଚାର କରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୧୦ ହଜାର ଟଙ୍କା ଜରିମାନା ଓ ଅନାଦାୟେ ଅଧିକ ୪ମାସ କାରାଦଣ୍ଡ ଭୋଗିବା ପାଇଁ ରାୟରେ ଉଲ୍ଲେଖ କରିଛନ୍ତି। ଅଭିଯୁକ୍ତ ହେଲେ ଆଶିଷ କୁମାର ଜେନା।
ମାମଲାର ବିବରଣୀ ଅନୁଯାୟୀ, ବାଲେଶ୍ୱର ଜିଲା ନୀଳଗିରି ଥାନା ଅଧୀନ ପୋନ୍ଦାଳ ଗ୍ରାମର ନରେନ୍ଦ୍ର ସିଂଙ୍କୁ ଗତ ୨୦୧୭ ଅକ୍ଟୋବର ୯ ତାରିଖରେ ଆଶିଷ ହତ୍ୟା କରିଥିବା ନେଇ ମୃତକଙ୍କ ଭାଇ ଚକ୍ରଧର ସିଂ ନୀଳଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ପୋଲିସ ଏକ ମାମଲା (ନଂ.୨୪୮/୧୭) ରୁଜୁ କରିବା ସହ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଥିଲା। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ସୁଲଳିତ କର ମାମଲା ପରିଚାଳନା କରିଥିଲେ।
Share