ଭଙ୍ଗା କୁଡ଼ିଆରେ ଜୀବନ

କାଏମା,୩ା୧୨(ଶିବପ୍ରସାଦ ମହାନ୍ତି):ଧର୍ମଶାଳା ବ୍ଲକ ଦେଓଦା ପଞ୍ଚାୟତ ଚଇନିହୁଡ଼ା ଗ୍ରାମର ପ୍ରଫୁଲ୍ଲ ତରାଇଙ୍କ ପରିବାର ଏକ ଜରିପାଲ ପକାଯାଇଥିବା ଘରେ ରହୁଛନ୍ତି। ହେଲେ ତାଙ୍କୁ ପକ୍କାଘର ମିଳି ପାରିନାହିଁ ବୋଲି ଅଭିଯୋଗ ହୋଇଛି। ୩ ପିଲା ଓ ସ୍ବାମୀସ୍ତ୍ରୀଙ୍କୁ ନେଇ ତାଙ୍କ ପରିବାର। କିନ୍ତୁ ଆଜି ଯାଏ ରାଶନ କାର୍ଡରେ ପିଲାଙ୍କ ନାମ ସଂଯୋଗ ହୋଇପାରିନାହିଁ। ଭଙ୍ଗାକୁଡିଆରେ ପାଞ୍ଚ ଜଣ ଜୀବନ ବିତାଉଛନ୍ତି। ପ୍ରଫୁଲ୍ଲ ଅଖା ସିଲେଇ କରି ପରିବାର ପୋଷଣ କରନ୍ତି। ଗୋଟେ ଅଖା ସିଲେଇ କଲେ ଏକ ଟଙ୍କା ରୋଜଗାର ହୁଏ। ତେଣୁ ଗୋଟାଏ ଦିନରେ ଅତି ବେଶିରେ ଦୁଇ ଶହ ପାଖାପାଖି ଅଖା ସିଲେଇ କରିପାରନ୍ତି। ସେ କାର୍ଯ୍ୟ ବି ସବୁ ଦିନ ମିଳେନି। ଯେଉଁଦିନ କାମ ନ ଥାଏ ସେ ଦିନ ସେ ବହୁ କଷ୍ଟରେ ପରିବାର ଚଳାନ୍ତି। ତାଙ୍କୁ ସରକାରୀ ଯୋଜନାରେ ସାମିଲ କରିବା ପାଇଁ ସେ ପ୍ରଶାସନ ନିକଟରେ ଅନେକ ଥର ଗୁହାରି କରିଛନ୍ତି। ହେଲେ ଏ ପର୍ଯ୍ୟନ୍ତ ତାଙ୍କୁ ସରକାରୀ ସହାୟତା ମିଳିପାରିନାହିଁ।
ତାଙ୍କ ବାପା ୨୦ ବର୍ଷ ପୂର୍ବେ ଏକ ଘର ପାଇଥିଲେ। ସେ ସମୟରେ ଅଳ୍ପ ନିର୍ମାଣ କରିଥିଲେ। କିନ୍ତୁ ପରିବାର ଅବସ୍ଥା ଭଲ ନ ଥିବାରୁ ଘର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରି ନ ଥିଲା। ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହାପରେ ପ୍ରଫୁଲ୍ଲଙ୍କ ନାମ ଆବାସ ତାଲିକାରେ ପ୍ରକାଶ ପାଇଥିଲା। ହେଲେ କେତେଜଣ ତାଙ୍କ ନାମ କାଟି ଦେଇଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ତେଣୁ ଆବାସ ଯୋଜନାରେ ସାମିଲ କରି ଘର ଯୋଗାଇ ଦେବାକୁ ପ୍ରଫୁଲ୍ଲ ଓ ତାଙ୍କ ସ୍ତ୍ରୀ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି।

Share