ଡାଟା ଗହଳିରେ ଜୀବନ

ଈପ୍ସିତା ମହାନ୍ତି

ତିରିଶ ବର୍ଷ ପୂର୍ବେ ଲୋକେ ଇଣ୍ଟରନେଟ୍‌ର ନାମ ହିଁ ଶୁଣି ନଥିଲେ, କିନ୍ତୁ ବର୍ତ୍ତମାନ ଏହା ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ସାରଛି। ଇଣ୍ଟରନେଟ୍‌ ଆଜି ଲୋକଙ୍କ ଜୀବନରେ ଏକ ନୂତନ କ୍ରାନ୍ତି ଆଣି ଦେଇଛି। ଦୈନନ୍ଦିନ ଜୀବନର ପ୍ରାୟ ସମସ୍ତ କାର୍ଯ୍ୟ ଏବେ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ଦ୍ୱାରା ସମ୍ପାଦିତ ହେଉଛି। ଅନେକେ ବିଶ୍ବାସ କରନ୍ତି ଯେ, ଇଣ୍ଟରନେଟ ଯୋଗୁ ହିଁ ସାଧାରଣ ଲୋକଙ୍କ ଜୀବନ ଅତି ସହଜ ଓ ସରଳ ହୋଇଛି। ଛୋଟ ପିଲାଙ୍କଠାରୁ ଆରମ୍ଭ କରି ଯୁବବର୍ଗ ଏବଂ ମଧ୍ୟବିତ୍ତଙ୍କ ଯାଏ ସମସ୍ତେ ଆଜି ଇଣ୍ଟରନେଟ୍‌କୁ ନେଇ ଅଧିକ ଉତ୍ସାହିତ। ଅନ୍ୟପଟେ ଏହାର ଅତ୍ୟଧିକ ବ୍ୟବହାର ଆମ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଛି। ଏହାର ଅପବ୍ୟବହାର ଆମକୁ ଅନ୍ଧକାର ମଧ୍ୟକୁ ଠେଲିଦେଉଛି। ଏହା ହିଁ ବାସ୍ତବତା। ଇଣ୍ଟରନେଟ୍‌ ହେତୁ ଆଜିର ଯୁବଗୋଷ୍ଠୀ ଜ୍ଞାନ ବଦଳରେ ଅଶ୍ଳୀଳତାର ଅନ୍ଧକୂପ ମଧ୍ୟରେ ଆପଣାଛାଏଁ ଗଳି ପଡ଼ୁଛନ୍ତି। ଏହା ଯେତିକି ଚିନ୍ତାଜନକ, ସେତିକି ପରିତାପର ବିଷୟ।
ଭାରତରେ ପ୍ରଥମ ଥର ପାଇଁ ୧୫ ଅଗଷ୍ଟ ୧୯୯୫ରେ ଇଣ୍ଟରନେଟ୍‌ର ବ୍ୟବହାର ଆରମ୍ଭ ହୋଇଥିଲା। ଭାରତରେ ଇଣ୍ଟରନେଟ୍‌ ଆଜି ୨୬ ବର୍ଷ ପୂରଣ କରିସାରିଛି। ଏକ ତଥ୍ୟ ଅନୁସାରେ ଡିସେମ୍ବର ୨୦୨୦ରେ ଆମ ଦେଶରେ ଇଣ୍ଟରନେଟ୍‌ ବ୍ୟବହାରକାରୀଙ୍କ ସଂଖ୍ୟା ଥିଲା ୭୯.୫୧ କୋଟି। ମାର୍ଚ୍ଚ ୨୦୨୧ରେ ଏହି ସଂଖ୍ୟା ବୃଦ୍ଧି ପାଇ ୮୨.୫୩ କୋଟିରେ ପହଞ୍ଚତ୍ଛି। ଇଣ୍ଟରନେଟ୍‌ ବିପ୍ଳବ ସୂଚନା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏକ ନୂତନ ସମ୍ଭାବନା ସୃଷ୍ଟି କରିଛି, କିନ୍ତୁ ଏହାର ନକାରାମତ୍କ ପ୍ରଭାବ ସାମ୍ନାକୁ ଆସୁଛି। ପିଲାମାନଙ୍କର ବାଲ୍ୟକାଳ ସହ ଶୈକ୍ଷିକ ଜୀବନ ଏବେ ଇଣ୍ଟରନେଟ୍‌ ମଧ୍ୟରେ ହଜି ଚାଲିଛି। ବିଗତ କିଛି ବର୍ଷ ହେଲା ସୂଚନା ଓ ପ୍ରଯୁକ୍ତିବିଦ୍ୟା କ୍ଷିପ୍ର ଗତିରେ ଅଗ୍ରଗତି କରିଛି। ଏହା ଶିକ୍ଷାର୍ଥୀମାନଙ୍କର ଜୀବନଶୈଳୀକୁ ବଦଳାଇ ଦେଇଛି। ଶିଶୁ ଏବଂ ଯୁବକମାନେ କ୍ଷଣକ ପାଇଁ ମଧ୍ୟ ଆଜି ସ୍ମାର୍ଟଫୋନଠାରୁ ଦୂରେଇ ରହିବାକୁ ଚାହୁଁନାହାନ୍ତି। ସେମାନଙ୍କ ପାଇଁ ଆଜି ଏହା ଏକ ପ୍ରକାରର ନିଶା ହୋଇଯାଇଛି ଓ ପିଲାମାନଙ୍କର ଖେଳ ଏବଂ ଅଧ୍ୟୟନ ସମୟକୁ ଗିଳି ଚାଲିଛି। ଯାହାର ସିଧାସଳଖ ପ୍ରଭାବ ପିଲାମାନଙ୍କର ଶାରୀରିକ ଏବଂ ମାନସିକ ବିକାଶ ଉପରେ ପଡ଼ିଛି। ପିଲାଙ୍କ ମଧ୍ୟରେ ଆଶାତୀତ ଭାବେ ବୃଦ୍ଧି ପାଉଥିବା ଇଣ୍ଟରନେଟ୍‌ର ନିଶା ପିଲାଙ୍କଠାରେ ସମ୍ବେଦନହୀନ ଭାବନା ସୃଷ୍ଟି କରି ବିପଦକୁ ଆମନ୍ତ୍ରଣ କରିଛି।
ସେହିଭଳି ଆଜି ଏକ ନୂତନ ଧରଣର ଆତଙ୍କ ସାରାଦୁନିଆକୁ କବଳିତ କରି ଚାଲିଛି। ତାହା ହେଉଛି ସାଇବର୍‌ ଆତଙ୍କ। ଇଣ୍ଟରନେଟ୍‌ର ଦୁରୁପଯୋଗ ଦ୍ବାରା ସମାଜରେ ଅସ୍ଥିରତା ସୃଷ୍ଟି ପାଇଁ ଏଭଳି ଆତଙ୍କ ସୃଷ୍ଟି କରାଯାଉଛି। ଆତଙ୍କବାଦ, ଯଦି କୌଣସି ସରକାର କିମ୍ବା ସରକାରୀ କାର୍ଯ୍ୟକ୍ରମକୁ ବାରମ୍ବାର ଧମକ ଦେବ ଅବା ତଥ୍ୟ ଚୋରି କରିଚାଲିବ; ତେବେ ତାହା ପ୍ରଗତିରେ ଅନ୍ତରାୟ ସୃଷ୍ଟି କରିବ। ୧୯୯୦ ଅକ୍ଟୋବର ପହିଲାରେ ୟୁରୋପୀୟ ପରୀକ୍ଷାଗାରରେ ଟିମ ବାର୍ଣ୍ଣେସଲି ପ୍ରଥମ ଥର ପାଇଁ ଇଣ୍ଟରନେଟ ତଥ୍ୟ ପ୍ରଦାନ କରିଥିଲେ। ସେହି ଇଣ୍ଟରନେଟ୍‌ ଆଜିର ଆଧୁନିକ ବିଜ୍ଞାନ ଯୁଗରେ ଆତଙ୍କର କାୟା ମେଲାଇ ଚାଲିଛି। ଏଥି ସମ୍ପର୍କିତ ବିଭିନ୍ନ ଅପରାଧକୁ ରୋକିବା ପାଇଁ ସରକାର ବର୍ତ୍ତମାନ ସାଇବର୍‌ ଥାନା ପ୍ରତିଷ୍ଠା କଲେଣି। ଏହା କିନ୍ତୁ ଯଥେଷ୍ଟ ହେଉନାହିଁ। ଏଭଳି ଅପରାଧକୁ ରୋକିବା ପାଇଁ ଜନସଚେତନତା ଜରୁରୀ।
ଇଣ୍ଟରନେଟ୍‌କୁ ନିଶ୍ଚିତ ଭାବେ ପ୍ରଗତି ଏବଂ ବିକାଶର ଏକ ସୂଚକ ରୂପେ ଗଣାଯିବ, କିନ୍ତୁ ଏହାର ରିମୋଟ୍‌ ଆଜି କ୍ଷୀରଖିଆ ପିଲାଙ୍କ ହାତକୁ ଚାଲିଯାଇଛି। ଯାହା ସମାଜକୁ ବିକାଶ ବଦଳରେ ବିନାଶ ଆଡ଼କୁ ଟାଣିନେଉଛି। ଦୋଷ ପିଲାଙ୍କୁ ଦେବା କି ସେମାନଙ୍କର ପିତାମାତାଙ୍କୁ! ଏହା ଏକ ବିଚାରଯୋଗ୍ୟ ପ୍ରସଙ୍ଗ। ପ୍ରକୃତରେ ପିଲାଙ୍କୁ ମୋବାଇଲ ଧରେଇ ଦେବା କ୍ଷଣି ସେମାନେ ମୋବାଇଲ ଭିତରେ ବୁଡ଼ି ଯାଉଛନ୍ତି ଏବଂ ପିତାମାତାଙ୍କ କାମ ସହଜ ହୋଇଯାଉଛି। ଏହାଦ୍ବାରା ସେମାନେ ନିଜ ପିଲାଙ୍କର ବହୁତ ବଡ଼ କ୍ଷତି କରୁଛନ୍ତି। ଘରେ ଖାଇବାକୁ ଦାନା ନଥାଉ ପଛେ ସ୍ମାର୍ଟ ଫୋନ ପାଇଁ ଲୋକେ ଆଜି ବ୍ୟାକୁଳ ହେଉଥିବା ଜଣାପଡୁଛନ୍ତି।
କରୋନା ସଙ୍କଟ ହେତୁ ଗତ ୨ବର୍ଷ ହେଲା ଅନ୍‌ଲାଇନ ଶିକ୍ଷା ନାମରେ ପିଲାଙ୍କୁ ମୋବାଇଲ ଧରେଇ ଦିଆଯାଇଛି। ମୋବାଇଲ ଓ ଇଣ୍ଟରନେଟର ଏହି ଇନ୍ଦ୍ରଜାଲର ଆଭାସୀ ଦୁନିଆରେ ପିଲାମାନେ ଏକ ପ୍ରକାରର ଗୁମସୁମ ହୋଇ ଚାଲିଛନ୍ତି। ଅଭିଭାବକଙ୍କ ନଜର ହଟିବା ମାତ୍ରେ ଅବା ଅଧ୍ୟୟନ ସମାପ୍ତ ହେବା ପରେ ପିଲାମାନେ ବିଭିନ୍ନ ପ୍ରକାରର ଖେଳ ଆରମ୍ଭ କରିଦେଉଛନ୍ତି। ବର୍ତ୍ତମାନ ଏହି ଖେଳକୁ ହିଁ ସେମାନେ ସବୁକିଛି ବୋଲି ଧରିନେଇଛନ୍ତି। ଅନ୍‌ଲାଇନ ଖେଳ ଖେଳିବାରେ ବ୍ୟସ୍ତ ରହି ସେମାନେ ପାଠପଢ଼ିବା ତ ଦୂରର କଥା, ଖାଇବା ପିଇବା ମଧ୍ୟ ଭୁଲି ଯାଉଛନ୍ତି। ମାତ୍ରାଧିକ ପିଲା ଆଜି ଇଣ୍ଟରନେଟ୍‌ ଗେମିଂ ନିଶାର ଶିକାର ହେଉଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ, ପିଲାଙ୍କ ହାତରୁ ମୋବାଇଲ ଛଡ଼ାଇ ନେବା ମାତ୍ରେ ସେମାନେ କ୍ରୋଧିତ ହୋଇ ଉଠୁଛନ୍ତି। ଅଶାନ୍ତ ଅନୁଭବ କରୁଛନ୍ତି। ଉଦାସ ରହୁଛନ୍ତି। ବିରକ୍ତିଭାବ ପ୍ରକାଶ କରୁଛନ୍ତି। ସେମାନଙ୍କୁ ଚିଡ଼ିଚିଡ଼ାପଣ ଗ୍ରାସ କରିନେଉଛି। କେବଳ ପାଠପଢ଼ା ନୁହେଁ; ଏଥିପାଇଁ ଘରୋଇ କାର୍ଯ୍ୟରେ ବି ସେମାନଙ୍କର ଆଗ୍ରହ ରହୁନାହିଁ। ପିତାମାତାଙ୍କର ମାଡ଼ ଗାଳି ଆଜି ପିଲାଙ୍କ ଉପରେ କୌଣସି ପ୍ରଭାବ ପକାଇ ପାରୁନାହିଁ। ଖେଳର ଏହି ଚକ୍ରବୂ୍ୟହ ପିଲାଙ୍କ ଭବିଷ୍ୟତକୁ କେଉଁଠିକୁ ନେଇଯିବ ତାହା କେହି ଜାଣନ୍ତି ନାହିଁ।
ବାସ୍ତବିକ ଦ୍ରୁତ ଗତିରେ ବଢ଼ୁଥିବା ଇଣ୍ଟରନେଟ୍‌ର ବ୍ୟବହାର ପିଲାଙ୍କ ଭବିଷ୍ୟତକୁ ଅନ୍ଧକାର ମଧ୍ୟକୁ ଠେଲି ଦେଉଛି। ଏଥିପ୍ରତି ନା ସରକାର ଦୃଷ୍ଟି ଦେଉଛନ୍ତି ନା ସମାଜ ଚିନ୍ତା ପ୍ରକଟ କରୁଛି। ଅନାବଶ୍ୟକ ପ୍ରସଙ୍ଗଗୁଡ଼ିକ ଆମ ଉପରେ ପ୍ରଭାବ ବିସ୍ତାର କରି ଚାଲିଛନ୍ତି; ଅଥଚ ପ୍ରକୃତ ସମସ୍ୟାଗୁଡ଼ିକୁ ଆମେ ଅବଜ୍ଞା କରି ମୁହଁ ମୋଡ଼ି ଚାଲିଛୁ। ଏହି ଧାରା ଜାରି ରହିଲେ ପିଲାଙ୍କ ଭବିଷ୍ୟତକୁ ତାହା ଅବିଳମ୍ବେ ଧ୍ୱଂସ ମୁଖରେ ପହଞ୍ଚାଇଦେବ।ପିଲାମାନଙ୍କ ପିଲାଦିନଟି ସୃଜନାତ୍ମକ କାର୍ଯ୍ୟ ବଦଳରେ ଡାଟାର ଗହଳି ମଧ୍ୟରେ ହଜି ଚାଲିଛି। ଇଣ୍ଟରନେଟ ମାନବ ଜୀବନ ଉପରେ ଆଜି କେବଳ ଗଭୀର ପ୍ରଭାବ ପକାଉନାହିଁ ବରଂ ସେମାନଙ୍କ ଜୀବନଶୈଳୀକୁ ବଦଳାଇ ଚାଲିଛି।
imohanty.୧୯୯୧@gmail.com
ବୈପାରୀଗୁଡ଼ା, କୋରାପୁଟ
ମୋ: ୬୩୭୦୬୭୯୪୦୫


Enter your email to get our daily news in your inbox.

All Right Reserved By Dharitri.Com

ଆଧୁନିକ ମଣିଷ ଓ ଗୃହସ୍ଥାଶ୍ରମ

ପ୍ରତ୍ୟେକ ବ୍ୟକ୍ତିକୁ ଜୀବନରେ ୪ଟି ଆଶ୍ରମର ଅନୁପାଳନ କରିବାକୁ ହୁଏ। ସେଗୁଡିକ ହେଲା ବ୍ରହ୍ମଚର୍ଯ୍ୟାଶ୍ରମ, ଗୃହସ୍ଥାଶ୍ରମ, ବାନପ୍ରସ୍ଥାଶ୍ରମ ଓ ସନ୍ନ୍ୟାସାଶ୍ରମ। ବ୍ରହ୍ମଚର୍ଯ୍ୟାଶ୍ରମରେ ଗୁରୁକୁଳରେ ଶୈଶବୋତ୍ତର ତାରୁଣ୍ୟକୁ...

ଏସିଡ୍‌ ଆଟାକ୍‌ ଓ ଆଇନ ବ୍ୟବସ୍ଥା

ଆଜିକାଲି ମହିଳାମାନେ ଘର ଚଳାଇବାଠାରୁ ଆରମ୍ଭ କରି ଚନ୍ଦ୍ରକୁ ଯିବା ଭଳି କାର୍ଯ୍ୟ କଲେଣି। ହେଲେ ସେମାନଙ୍କୁ କଷ୍ଟ ବା ନିର୍ଯାତନା ଦେବା ବନ୍ଦ ହୋଇନି।...

ତାଲିବାନ୍‌ର ଲିଙ୍ଗଗତ ଭେଦଭାବ

ଆଫଗାନିସ୍ତାନର ତାଲିବାନ୍‌ ନେତାମାନଙ୍କର ବିଶ୍ୱାସ ଯେ କେବଳ ଇସ୍‌ଲାମ୍‌ର ମତ ହିଁ ବୈଧ। ସେଥିପାଇଁ ସେମାନେ ବିଭିନ୍ନ ଆଦେଶ ଜାରି କରି ଚାଲିଛନ୍ତି ଯାହା ଦେଶର...

ସାଧୁ ସାବଧାନ

ର୍ବାଚନ ପୂର୍ବରୁ ଓ ନିର୍ବାଚନ ପରେ ନେତାମାନଙ୍କର ଲୋକଙ୍କ ପ୍ରତି ବ୍ୟବହାର ଭିତରେ ଏତେ ଫରକ ହେବ ବୋଲି ଆଗରୁ ସାଧାରଣ ଲୋକେ ଭାବିପାରୁ ନ...

ପ୍ରାଣବର୍ଷା

ଗୀତାରେ ଭଗବାନ କୃଷ୍ଣ କହନ୍ତି, ‘ଯଜ୍ଞାଦ ଭବତି ପର୍ଜନ୍ୟଃ’ ଅର୍ଥାତ୍‌ ଯଜ୍ଞ ଦ୍ୱାରା ପର୍ଜନ୍ୟ ବର୍ଷା ହୁଏ। ଲୋକେ ବର୍ଷାର ଅର୍ଥ ପାଣିବର୍ଷାକୁ ବୁଝନ୍ତି, ଏହା...

ହିନ୍ଦୁଙ୍କ ସାଦା ଖାଦ୍ୟ

ଓଡ଼ିଶାରେ ଯଦି ଆପଣ ଶାକାହାର ଖାଦ୍ୟ ଖାଇବାକୁ ଚାହାନ୍ତି, ତେବେ ‘ସାଦା’ ଖାଦ୍ୟ ମାଗିବାକୁ ପଡ଼େ। ଯେତେବେଳେ ବୌଦ୍ଧଧର୍ମ ଏବଂ ଜୈନଧର୍ମ ଓଡ଼ିଶାର ପ୍ରମୁଖ ଧର୍ମ...

ଏଇ ଭାରତରେ

ଭାରତରେ ଏବେ ଅନେକ ସହରରେ ବାୟୁ ପ୍ରଦୂଷଣ ଅସହ୍ୟ ହୋଇପଡ଼ିଛି। ବିଶେଷକରି ଦିଲ୍ଲୀରେ ବାହାରକୁ ବାହାରିବା ବିପଜ୍ଜନକ ହୋଇଯାଇଛି। ସ୍କୁଲ ବନ୍ଦ କରିବାକୁ ପଡ଼ୁଛି। ଏବେ...

ବ୍ୟାଙ୍କିଙ୍ଗ୍‌ରେ ସାଇବର ସୁରକ୍ଷା

ବର୍ତ୍ତମାନ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ସାଇବର ସୁରକ୍ଷାର ଆବଶ୍ୟକତା ବହୁତ ବେଶି। କାରଣ ଲୋକମାନେ ସମୟ ଅଭାବରୁ ଅନ୍‌ଲାଇନ ମାଧ୍ୟମରେ ବ୍ୟାଙ୍କ କାରବାର କରୁଛନ୍ତି। ଆଉ ସାଇବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri