ଜୀବନରେଖାରେ ବିପନ୍ନ ଜୀବନ

କାମାକ୍ଷାନଗର, ୧୧।୮(ଅମ୍‌ଜାଦ ଖାନ୍‌): ଢେଙ୍କାନାଳ ଜିଲା କାମାକ୍ଷାନଗର ସହର ଦେଇ ଜାତୀୟ ରାଜପଥ ୫୩କୁ ସଂଯୋଗ କରୁଥିବା ଆଳତୁମା-ମାଳପୁରା ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଶେଷ ହେଉନାହିଁ। ପୌରାଞ୍ଚଳର ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ହନୁମାନ ବଜାରଠାରୁ ଜିରିଡ଼ାମାଳି ପର୍ଯ୍ୟନ୍ତ ଏହି ବ୍ୟସ୍ତବହୁଳ ସଡ଼କ ଖାଲଖମାରେ ଭର୍ତ୍ତି ହୋଇଛି। ରାସ୍ତା କାର୍ଯ୍ୟ ଶୀଘ୍ର ଶେଷ କରିବା ଲାଗି ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ବିଭାଗୀୟ ଅଧିକାରୀ ଶୁଣୁ ନ ଥିବାରୁ ସହରର ବୁଦ୍ଧିଜୀବୀ, ବ୍ୟବସାୟୀଙ୍କ ମଧ୍ୟରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।
୫୩ନଂ. ଜାତୀୟ ରାଜପଥ ସହ ସଂଯୁକ୍ତ ଉକ୍ତ ସଡ଼କ ପୂର୍ବରୁ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ)ଙ୍କ ଅଧୀନରେ ଥିଲା। ତେବେ ପରିଚାଳନାରେ ସମସ୍ୟା ଉପୁଜିବା ପରେ ପୂର୍ତ୍ତ ବିଭାଗ ଏହାର ଦାୟିତ୍ୱ ନେଇଛି। ହେଲେ ସମ୍ପ୍ରସାରଣ କାର୍ଯ୍ୟ ବନ୍ଦଥିବାରୁ ହନୁମାନ ବଜାରଠାରୁ ଜିରିଡ଼ାମାଳି ଯାଏ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। କେବଳ ମେଟାଲିଂ କରି ଛାଡ଼ି ଦିଆଯାଇଥିବାରୁ ଖରାରେ ପ୍ରବଳ ଧୂଳି ଉଡୁଛି। ସୃଷ୍ଟି ହୋଇଥିବା ଗାତରେ ବର୍ଷାପାଣି ଜମି ରହି ଦୁର୍ଘଟଣାର କାରଣ ସାଜୁଛି। ଅର୍ଦ୍ଧନିର୍ମିତ ଡ୍ରେନ୍‌ର ଲୁହା ଛଡ଼ଗୁଡ଼ିକ ବିପଦସଙ୍କୁଳ ଅବସ୍ଥାରେ ବାହାରକୁ ବାହାରିଛି। ଫଳରେ ବ୍ୟବସାୟୀ, ଛାତ୍ରୀଛାତ୍ର ଏବଂ ସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏବେ ବର୍ଷା ଯୋଗୁ କାମ ବନ୍ଦ ଥିବା ବେଳେ କେବେ ଏହା ପୂର୍ଣ୍ଣାଙ୍ଗ ରୂପ ନେବ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଏ ସଂକ୍ରାନ୍ତରେ ବିଭାଗର ଜଣେ ପଦସ୍ଥ ଅଧିକାରୀ କହିଛନ୍ତି, ସହର ମଧ୍ୟ ଦେଇ ଯାଇଥିବା ଆଳତୁମା-ମାଳପୁରା ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଅକ୍ଟୋବର ୨୦୨୨ରେ ଆରମ୍ଭ ହୋଇଥିଲା। ଏଥିପାଇଁ ୧୨ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଥିଲା। ବର୍ଷା ପୂର୍ବରୁ ଏହାକୁ ସମ୍ପୂର୍ଣ୍ଣ କରାଯିବାକୁ ଲକ୍ଷ୍ୟ ରଖାଯାଇଥିଲା। ରାସ୍ତା କଡ଼ରେ ଥିବା ଗଛକଟାରେ ବିଳମ୍ବ, ଅତିରିକ୍ତ ଭାବରେ ଡ୍ରେନ୍‌ କାର୍ଯ୍ୟ ଯୋଡ଼ାଯିବା ଏବଂ ଅନ୍ୟାନ୍ୟ କାରଣରୁ କାମ ବିଳମ୍ବିତ ହୋଇଛି। ଏବେ ବର୍ଷା ଯୋଗୁଁ କାର୍ଯ୍ୟ ବନ୍ଦ ରହିଛି। ନଭେମ୍ବର ସୁଦ୍ଧା କାମ ଶେଷ ହୋଇଯିବ।

Share