Categories: ଜାତୀୟ

ପେଟ ପାଇଁ ବିପଦରେ ଜୀବନ, ଏମିତି ସଂଘର୍ଷ କରୁଛନ୍ତି ଲୋକେ

ଭୋପାଳ,୨୯ା୮: ଲକ୍‌ଡାଉନ୍‌ ପରେ ବର୍ଷା ଏବଂ ବନ୍ୟା ଯୋଗୁ ଲୋକଙ୍କ ଜୀବନ ଜୀବିକା ବେଶ୍‌ ପ୍ରଭାବିତ ହୋଇଛି। ଗତ ୩୬ ଘଣ୍ଟା ଧରି ମଧ୍ୟପ୍ରଦେଶର ବାଲାଘାଟରେ ପ୍ରବଳ ବର୍ଷା ହେବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଫଳରେ ଲୋକଙ୍କ ଆର୍ଥିକ ସଙ୍କଟ ଦ୍ୱିଗୁଣିତ ହୋଇପଡ଼ିଛି। ପ୍ରତିଦିନ ବଞ୍ଚିବା ପାଇଁ ସଂଘର୍ଷ କରୁଥିବା ଗ୍ରାମବାସୀ ଜୀବନକୁ ବିପଦ ମୁହଁକୁ ଠେଲିଦେଇ ବନ୍ୟାପାଣିରୁ କାଠ ସଂଗ୍ରହ କରୁଛନ୍ତି। ଯାହାକୁ ବିକି ସେମାନେ ନିଜର ପେଟ ପୋଷିବେ।
ମଧ୍ୟପ୍ରଦେଶର ଓ୍ବିଗଙ୍ଗା ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବାରୁ ଲୋକେ ନିଜ ଜୀବନକୁ ବାଜି ଲଗାଇ ବନ୍ୟାରେ ଭାସି ଆସିଥିବା କାଠ ସଂଗ୍ରହ କରୁଛନ୍ତି। ଏପରି କରିବା ଯଦିଓ ବିପଦମୁକ୍ତ ନୁହେଁ, ତଥାପି ପେଟ ପାଇଁ ଲୋକେ ଏମିତି କରିବାକୁ ବାଧ୍ୟ ହେଉଛନ୍ତି ବୋଲି କହିଛନ୍ତି। ପ୍ରଶାସନ ମଧ୍ୟ ଏହା ଉପରେ ପ୍ରତିବନ୍ଧକ ଲଗାଇଛି। ମାତ୍ର ବେକାରୀ ସମସ୍ୟା ଏବଂ ପେଟରେ ଜଳୁଥିବା ନିଆଁ ଲିଭାଇବା ପାଇଁ ଲୋକେ ଏହାକୁ ଭୁଲି ଯାଇଛନ୍ତି।
ଶ୍ରମିକ କରଣ ଲାଲ୍‌ କହିଛନ୍ତି, ଚାକିରି ନାହିଁ। ଆମେ ସେଥିପାଇଁ ବନ୍ୟାଜଳରେ ଭାସି ଆସିଥିବା କାଠ ସଂଗ୍ରହ କରୁଛୁ। ଯାହାକି ବିକି ଦି’ ପଇସା ରୋଜଗାର କରିବୁ।
ଅନ୍ୟପଟେ ନଦୀରେ ପ୍ରବଳ ବନ୍ୟାଜଳ ପ୍ରବାହିତ ହେଉଛି। ଏଭଳି ସ୍ଥିତିରେ ପ୍ରଶାସନ ତଳିଆ ଅଞ୍ଚଳର ଲୋକମାନଙ୍କୁ ଖାଲି କରିଦେଇଛି। ଏହା ସତ୍ତ୍ୱେ ବେରୋଜଗାର ଯୋଗୁ ପେଟ ପାଇ ଦାନା ଯୋଗାଡ଼ କରିବାରେ ଲାଗିଛନ୍ତି ଗ୍ରାମବାସୀ। ଅତିରିକ୍ତ ଜିଲାପାଳ ଶିବ ଗୋବିନ୍ଦ ମାର୍କମ କହିଛନ୍ତି, ପୌରପାଳିକାରେ ସୈନିକ ନିୟୋଜିତ ହୋଇଛନ୍ତି। ଲୋକଙ୍କୁ ନଦୀ ନିକଟକୁ ଯିବା ପାଇଁ ବାରଣ କରାଯାଇଛି। ଯଦି ନଦୀରୁ କେହି କାଠ ବାହାର କରିବାକୁ ଯାଆନ୍ତି ତେବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Share