ଫ୍ଲୋରାଇଡଯୁକ୍ତ ପାଣିରେ ବଞ୍ଚୁଛି ଜୀବନ

ତରବୋଡ/ନୂଆପଡା ଅଫିସ, ୧୦।୨ (ଡି.ଏନ.ଏ.): ନୂଆପଡା ଜିଲା ଆଦିବାସୀ ଅଧ୍ୟୁଷିତ ଦର୍ଲିପଡା ଗ୍ରାମପଞ୍ଚାୟତରେ ଗ୍ରୀଷ୍ମ ପୂର୍ବରୁ ପାନୀୟ ଜଳ ସମସ୍ୟା ଉତ୍କଟ ହେବାରେ ଲାଗିଲାଣି। ଗ୍ରାମରେ ପୋଖରୀ କିମ୍ବା ମୁଡା ମଧ୍ୟ ନାହିଁ। ସୁନ୍ଦର ଡ୍ୟାମ ଗାଁଠାରୁ ୨ କି.ମି. ଦୂର ହେଉଥିବାରୁ ଓ ଯିବା ପାଇଁ ଭଲ ରାସ୍ତା ନ ଥିବାରୁ ଲୋକେ ବାଧ୍ୟହୋଇ ଫ୍ଲୋରାଇଡଯୁକ୍ତ ପାଣି ବ୍ୟବହାର କରୁଛନ୍ତି। ଏହି ପାଣି ବ୍ୟବହାର ଯୋଗୁ ବିଭିନ୍ନ ସ୍ବାସ୍ଥ୍ୟଜନିତ ରୋଗର ସମ୍ବାବନା ଥିବାରୁ ଏଦିଗରେ ଦୃଷ୍ଟି ଦେବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବି କରାଯାଇଛି। ୨୦୦୫ରେ ଗ୍ରାମ୍ୟ ଜଳେଯାଗାଣ ବିଭାଗ ପକ୍ଷରୁ କୋମନା ବ୍ଲକ ଅନ୍ତର୍ଗତ ଦର୍ଲିପଡା ପଞ୍ଚାୟତବାସୀଙ୍କୁ ପାନୀୟ ଜଳ ଯୋଗାଇବା ପାଇଁ ୨୦୦ ଫୁଟ ବିଶିଷ୍ଟ ଏକ ଗଭୀର ନଳକୂପ ଖନନ କରାଯାଇଛି। ନଳକୂପରେ ୫ ଏଚ୍‌ପି ମୋଟର ଲଗାଯାଇ ଦର୍ଲିପଡା, ପଦ୍ମପୁର, ସାଲେପଡାକୁ ପାଣି ଯୋଗାଣ ହେଉଛି। ଗ୍ରାମରେ ୨୦ଟି ଫ୍ରି ସଫ୍ଲାଇ ପଏଣ୍ଟ ଓ ୧୫ଟି ଘର ସଂଯୋଗ ପଏଣ୍ଟ ରହିଛି । ଏହି ପାଣି ପିଇ ଗ୍ରାମବାସୀ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବାରୁ ସରକାରଙ୍କ ପକ୍ଷରୁ ପାଣିର ପରୀକ୍ଷା କରାଯାଇଥିଲା। ପାଣି ପରୀକ୍ଷା ପରେ ଏଥିରେ ଫ୍ଲୋରୋସିସ ରହିଥିବା ଜଣାପଡ଼ିଥିଲା। ଏହି ପାଣି ବ୍ୟବହାର ଯୋଗ୍ୟ ନୁହେଁ ବୋଲି କହିବା ସହ ପାଣିପମ୍ପ ଏବଂ ସବୁ ଏଲଆଇ ପଏଣ୍ଟ ଚିହ୍ନଟ କରି ଏହାକୁ ନିଷିଧ ପାଇଁ ନିର୍ଦ୍ଧେଶ ଦେଇଥିଲେ। ୨୦୦୮ ମାର୍ଚ୍ଚରେ ପାଣି ପରୀକ୍ଷା କରାଯାଇଥିବା ବେଳେ ଏଥିରେ ୧.୮ ପ୍ରତିଶତ ଫ୍ଲୋରାଇଡ ଥିବା କୁହାଯାଇଥିଲା। ଏ ନେଇ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନ ଥିବାରୁ
ଦର୍ଲିପଡାବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି।