ଝାଟିମାଟି ଘରେ ଜୀବନ

ନାକଟିଦେଉଳ,୧୯ା୩(ବୈକୁଣ୍ଠ ନାଥ ସାହୁ): ଗରିବ ଅସହାୟ ପରିବାରକୁ ପକ୍କା ଘର ଯୋଗାଇଦେବାକୁ ସରକାର ଆବାସ ଯୋଜନା ପ୍ରଣୟନ କରିଛନ୍ତି। ଏଥିପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ହେଲେ ସରକାରୀ ଉଦାସୀନାତାରୁ ପ୍ରକୃତ ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ ହେଉଛନ୍ତି। ଏଭଳି ଏକ ଚିତ୍ର ନାକଟିଦେଉଳ ବ୍ଲକ ଘୋଷରାମାଳ ପଞ୍ଚାୟତ ଶଙ୍ଖପୁର ଗ୍ରାମରେ ଦେଖିବାକୁ ମିଳିଛି। ପକ୍କା ଘର ଖଣ୍ଡିଏ ନ ଥିବାରୁ ୬ପ୍ରାଣୀ କୁଟୁମ୍ବ ମାଟିଘରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହୁଛନ୍ତି।

ଶଙ୍ଖପୁର ଗ୍ରାମ ମହ୍ଲାର ସାହିର ସୁବର୍ଣ୍ଣ ଦେହୁରି ଦିନ ମଜୁରିଆ ଭାବେ କାମ କରି ପରିବାର ପ୍ରତିପୋଷଣ କରନ୍ତି। ସ୍ତ୍ରୀ ସୁବା ଦେହୁରି, ବିଧବା ମା’ ସୁଲ ଦେହୁରିଙ୍କ ସମେତ ଦୁଇ ଛୋଟ ପୁଅ ଓ ଗୋଟିଏ ଝିଅଙ୍କୁ ଧରି ସୁବର୍ଣ୍ଣ ଏକ ଝାଟିମାଟି ଘରେ ରହିଆସୁଛନ୍ତି। ଘରର ନଡ଼ା ଛପର ଉଡ଼ିଯାଇଥିବା ବେଳେ ବର୍ଷା ପାଣିର ଧାର ବୋହି କାନ୍ଥରୁ ମାଟି ଧସିଗଲାଣି। ବର୍ଷା ଦିନେ ସେମାନଙ୍କର ଅବସ୍ଥା ନ କହିବା ଭଲ। ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇଦେବାକୁ ସୁବର୍ଣ୍ଣ ବହୁ ଥର ସ୍ଥାନୀୟ ସରପଞ୍ଚଙ୍କ ସମେତ ପଞ୍ଚାୟତ ଅଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ସୁଫଳ ମିଳିପାରି ନ ଥିବା ସେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ସୁବର୍ଣ୍ଣଙ୍କ ମା’ ସୁଲ ଦେହୁରିଙ୍କ ବୟସ ୬୫ବର୍ଷରୁ ଊର୍ଦ୍ଧ୍ୱ ହୋଇଥିଲେ ସୁଦ୍ଧା ସାମାଜିକ ସୁରକ୍ଷା ଯୋଜନାରେ ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ହୋଇଛନ୍ତି। ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ନେଇ ପକ୍କାଘର ଖଣ୍ଡିଏ ଯୋଗାଇଦେବାକୁ ପରିବାର ସଦସ୍ୟ ନିବେଦନ କରିଛନ୍ତି।