Categories: ଫୁରସତ

ଘର ବିକି ଜଙ୍ଗଲରେ ଜୀବନ

ୱାଶିଂଟନ: ଟଙ୍କାର ଅଭାବ କାରଣରୁ ଲୋକେ ଭଲ ଘର ଖଣ୍ଡେ ନ କରିପାରି ଖାଟିମାଟି ଘରେ ଜୀବନ ବିତାନ୍ତି। ହେଲେ ବିଦେଶରେ ପରିସ୍ଥିତି ଅଲଗା। ଏଠାରେ ଲୋକେ ସବୁକିଛି ଛାଡ଼ିକି ପ୍ରାକୃତିକ ସ୍ଥାନରେ ଜୀବନ ବିତାଇବାକୁ ଚାହାନ୍ତି। ଆମେରିକାର ଏକ ଦମ୍ପତି ଏପରି କରିଥିବା ଖବର ମିଳିଛି। ସେ ତାଙ୍କର ସମସ୍ତ ସମ୍ପତି ବିକ୍ରି କରି ଜଙ୍ଗଲରେ ଜୀବନ ଅତିବାହିତ କରୁଛନ୍ତି। ପ୍ରକୃତରେ ଲୋକେ ଆରାମଦାୟକ ଘର କରିବାକୁ ତାଙ୍କ ସାରା ଜୀବନ ପରିଶ୍ରମ କରିଥାନ୍ତି। କିନ୍ତୁ ୬୧ ବର୍ଷୀୟ ଜନ୍‌ କେରନୋହାନ୍‌ ଏବଂ ତାଙ୍କ ସ୍ତ୍ରୀ ୪୪ ବର୍ଷୀୟା ଫିନ୍‌ ଜଙ୍ଗଲରେ ଏକ କେବିନ ତିଆରି କରି ରହୁଛନ୍ତି। ସେମାନଙ୍କ କହିବା କଥା ଏପରି ଜୀବନ ବଞ୍ଚିବା ସବୁଠୁ ଭଲ ନିଷ୍ପତି। ସେମାନେ ଗତ ୧୨ ବର୍ଷ ଧରି ଜଙ୍ଗଲରେ ରହୁଛନ୍ତି। ଏବଂ ଏପରି ଜୀବନଶୈଳୀକୁ ସେମାନେ ବେଶ ଖୁସିରେ କାଟୁଛନ୍ତି। ଜନ୍‌ ଏବଂ ଫିନ୍‌ଙ୍କ ୨୦୧୦ରେ ପ୍ରଥମ ଥର ପାଇଁ ଅନ୍‌ଲାଇନ୍‌ ମାଧ୍ୟମରେ ଦେଖା ହୋଇଥିଲା। ପରେ ଦୁହେଁ ଦୁହିଁଙ୍କୁ ଭଲପାଇ ବସିଲେ। ଜନ୍‌ ଆମେରିକାର ମିୟାମିର ବାସିନ୍ଦା ହୋଇଥିବାବେଳେ ଫିନ୍‌ ଥାଇଲାଣ୍ଡର ବାସିନ୍ଦା। ହେଲେ ଉଭୟ ଲଣ୍ଡନ ରୁହନ୍ତି। ୨ ବର୍ଷର ଡେଟିଂ ପରେ ଦୁହେଁ ୨୦୧୨ରେ ବିବାହ କରିଥିଲେ। ଡେଟିଂ ସମୟରେ ସେମାନେ କିଛି ଦିନ ଏକ ଛୋଟ ଡଙ୍ଗାରେ ରହିଥିଲେ। ତାହା ସେମାନଙ୍କୁ ବହୁତ ଭଲ ଲାଗିଥିଲା। ପରେ ଜନ୍‌ ମିୟାମିର ଘର ବିକି ଜଙ୍ଗଲରେ ଏକ କେବିନରେ ରହିବାକୁ ନିଷ୍ପତି ନେଲେ। ଉଭୟ ନିଜ ଘର ଛାଡ଼ି ଏବେ ୩୦୪ ବର୍ଗଫୁଟ ଅଞ୍ଚଳର ଏକ କେବିନ୍‌ରେ ତାଙ୍କ ଜୀବନ ଅତିବାହିତ କରୁଛନ୍ତି। ସାଢେ ୫ ଲକ୍ଷ ଟଙ୍କା ଦେଇ ସେହି ଜାଗାକୁ କିଣିଥିଲେ। ସେମାନେ ଏହାର ଆଖପାଖ ଅଞ୍ଚଳ ମଧ୍ୟ କିଣି ନେଇଛନ୍ତି। ସେଠାରେ ଅନେକ କେବିନ ମଧ୍ୟ ପ୍ରସ୍ତୁତ କରିଛନ୍ତି। ସେମାନେ ଥର୍ମାଲ ଏବଂ ସୋଲାର ଶକ୍ତି ବଳରେ ବିଦ୍ୟୁତ୍‌ର ଉପଯୋଗ କରୁଛନ୍ତି। ତାଙ୍କ ଛୋଟ କେବିନକୁ ଅନ୍ୟମାନଙ୍କୁ ଭଡ଼ା ଦେବା ଆରମ୍ଭ କରିଦେଇଛନ୍ତି। ଏଥିରୁ ତାଙ୍କ କିଛି ରୋଜଗାର ମଧ୍ୟ ହେଉଛି।

Share