ପାଠପଢ଼ା ପାଇଁ ଜୀବନ ବାଜି

ଦଶମନ୍ତପୁର, ୨୦ା୮(ଡି.ଏନ୍‌.ଏ.): ଆଜି ବି ଏମିତି ପଞ୍ଚାୟତ ଏବଂ ଦୁର୍ଗମ ଗ୍ରାମାଞ୍ଚଳ ରହିଛି ଯେଉଁଠିକୁ ରାସ୍ତାଟିଏ ନାହିଁ। ଫଳରେ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ବିଦ୍ୟାଳୟକୁ ପାଠ ପଢ଼ିବାକୁ ଯିବାକୁ ହେଲେ ଛାତ୍ରୀଛାତ୍ରମାନେ ଜୀବନକୁ ବାଜି ଲଗାଇ ନଦୀ ପାରହୋଇ ବିଦ୍ୟାଳୟ ଯାଉଥିବା ଦେଖିବାକୁ ମିଳୁଛି। କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ପିଣ୍ଡାପଦର ପଞ୍ଚାୟତର ଲୋରେଶ ଗ୍ରାମ ଏହାର ଏକ ଉଦାହରଣ।
ଏହି ଗ୍ରାମରେ ୩୭ ଘର ପରିବାର ବସବାସ କରନ୍ତି। ୧୮୦ ଜନସଂଖ୍ୟା ବିଶିଷ୍ଟ ଏହି ଗ୍ରାମରେ ଛାତ୍ରୀଛାତ୍ରଙ୍କ ସଂଖ୍ୟା ରହିଛି ୧୫। ମରିଚଗୁଡ଼ାଠାରୁ ୫ କି.ମି. ଦୂରରେ ଥିବା ଏହି ଗ୍ରାମର ଛାତ୍ରୀଛାତ୍ରମାନେ ମରିଚଗୁଡ଼ା ବିଦ୍ୟାଳୟ ଯିବାକୁ ହେଲେ ଉପରୋକ୍ତ ରାସ୍ତା ଅତିକ୍ରମ କରିବାକୁ ପଡ଼େ। ଦେଓଖଡକ ଗ୍ରାମଦେଇ ଭାଲୁ ବିଲ ପାହାଡ ଚଢାଇ ଅଭିଭାବକମାନେ ପିଲାଙ୍କୁ ବିଦ୍ୟାଳୟରେ ଛାଡ଼ିଥାନ୍ତି। ବର୍ଷାଦିନେ ମରିଚଗୁଡା ଗ୍ରାମ ନିକଟରେ ପ୍ରବାହିତ ଅନ୍ଧାରୀ ନଦୀ ପାର କରାଇ ଅଭିଭାବକମାନେ ନିଜ ପିଲାଙ୍କୁ ବିଦ୍ୟାଳୟରେ ଛାଡ଼ିଥାନ୍ତି ଏବଂ ଆଣିଥାନ୍ତି। ଅନ୍ୟ ଦିନେ ଜଙ୍ଗଲ, ପାହାଡ଼ ଏବଂ ବର୍ଷା ଦିନେ ନଦୀ ଆମ ପାଇଁ ସମସ୍ୟା ବୋଲି କହନ୍ତି ଅଭିଭାବକ ଧନୁର୍ଜୟ କମାର, ସେମନ କୁଲିସିକା, ପ୍ରତାପ ସାଉନ୍ତା, ରାଜୀବ ଜମ୍ବେକା, ରମେଶ ସାଉନ୍ତା, ପେଟା ପାଇକ, ଖଗପତି ପାଇକ। ଗ୍ରାମର ଏଭଳି ସମସ୍ୟା ସମ୍ପର୍କରେ ଜିଲା ଏବଂ ବ୍ଲକ ପ୍ରଶାସନକୁ ଜଣାଇଥିଲେ ମଧ୍ୟ ପ୍ରଶାସନ ଉଦାସୀନ ରହୁଥିବା ସେମାନେ ଅଭିଯୋଗ କରିଛନ୍ତି। ଲକ୍ଷ୍ମୀପୁର ବିଧାୟକ ପ୍ରଭୁ ଜାନିଙ୍କ ନିର୍ବାଚନ ମଣ୍ଡଳୀ ଅଧୀନରେ ଯାଉଥିବା ଏହି ଗ୍ରାମର ରାସ୍ତା ସମସ୍ୟା ବିଧାୟକ ଗ୍ରାମକୁ ଆସି ଜାଣିଥିଲେ ମଧ୍ୟ ଏଯାଏ କୌଣସି ସୁଫଳ ମିଳିନାହିଁ। ରାସ୍ତା ନ ଥିବାରୁ ସରକାରଙ୍କ କୌଣସି ଯୋଜନାରୁ ଗ୍ରାମବାସୀ ଉପକୃତ ହୋଇପାରୁନାହାନ୍ତି। ତୁରନ୍ତ ରାସ୍ତା ନିର୍ମାଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବେ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି।

Share