ବିଲେଇ ପାଇଁ ଜୀବନ ଗଲା

ଭୁବନେଶ୍ୱର,୧୨।୧୦(ସତ୍ୟଜିତ୍‌ ରାଉତ)ରାଜଧାନୀରେ ଏକ ପରିତ୍ୟକ୍ତ କୂଅରୁ ବିଲେଇ ଉଦ୍ଧାର କରିବାକୁ ଯାଇ ଜଣେ ଆଇସ୍‌କ୍ରିମ୍‌ ବେପାରୀଙ୍କ ଜୀବନ ଯାଇଛି। ପଟିଆ ରେଳ ଷ୍ଟେଶନ ନିକଟରେ ବୁଧବାର ଏହି ଅଭାବନୀୟ ଘଟଣା ଘଟିଛି। ପ୍ରାୟ ୬୦ ଫୁଟ ଗଭୀର ଏକ ପରିତ୍ୟକ୍ତ କୂଅରେ ଜଣେ ବ୍ୟକ୍ତିଙ୍କ ପୋଷା ବିଲେଇ ପଡ଼ିଯିବା ପରେ ତାକୁ ଉଦ୍ଧାର କରିବାକୁ ଚେଷ୍ଟା କରାଯାଇଥିଲା। ବିଲେଇକୁ ଉଦ୍ଧାର କରିବାକୁ ଯାଇ ଜଣଙ୍କ ପରେ ଜଣେ ୩ଜଣ କୂଅ ଭିତରକୁ ପଶିଥିଲେ। ହେଲେ ସେମାନେ ବିଲେଇକୁ ଉଦ୍ଧାର କରିବା ପରିବର୍ତ୍ତେ ଫସିଯାଇଥିଲେ। କୂଅ ଭିତରୁ ଅଗ୍ନିଶମ ବାହିନୀ ପକ୍ଷରୁ ଦୁଇ ଜଣଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଥିବାବେଳେ ଜଣଙ୍କ ଜୀବନ ଚାଲିଯାଇଥିଲା। ମୃତ ବ୍ୟକ୍ତି ହେଲେ ସ୍ଥାନୀୟ ଅଞ୍ଚଳରେ ରହୁଥିବା ଗଞ୍ଜାମ ଜିଲାର ଶିବରାମ ସାହୁ (୫୦)। ତେବେ ଉଦ୍ଧାର ହୋଇଥିବା ଦୁଇ ଜଣଙ୍କ ମଧ୍ୟରୁ ସ୍ଥାନୀୟ ଅଞ୍ଚଳର ଶଙ୍କର ଦାସଙ୍କ ଅବସ୍ଥା ଗୁରୁତର ରହିଛି। ସେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତେବେ ଉଦ୍ଧାରଙ୍କ ମଧ୍ୟରୁ ଶିବରାମଙ୍କ ଭାଇ ଭଜରାମ ମଧ୍ୟ ସାମାନ୍ୟ ଆହତ ହୋଇଛନ୍ତି। ମଞ୍ଚେଶ୍ୱର ପୋଲିସ ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା (ନଂ.୧୦୪/୨୦୨୩) ରୁଜୁ କରି ତଦନ୍ତ ଚଳାଇଛି। ବ୍ୟବଚ୍ଛେଦ ପରେ ଶିବରାମଙ୍କ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଅନ୍ୟପକ୍ଷରେ କୂଅରେ ପଡ଼ିଥିବା ବିଲେଇର ମଧ୍ୟ ମୃତ୍ୟୁ ହୋଇଛି।
ସୂଚନା ଅନୁଯାୟୀ, ପୂର୍ବାହ୍ନ ପ୍ରାୟ ୧୧ଟାରେ ସ୍ଥାନୀୟ ଅଞ୍ଚଳର ଜଣଙ୍କ ପୋଷା ବିଲେଇ ବୁଲୁଥିବାବେଳେ ପାଚେରି ନ ଥିବା ଉକ୍ତ କୂଅ ଭିତରେ ପଡ଼ିଯାଇଥିଲା। ପରେ ମାଲିକ ଉପରେ ରହି ବାଲ୍‌ଟି ଦ୍ୱାରା ବିଲେଇକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ଉକ୍ତ କୂଅ ଭିତରକୁ ପଶି ବିଲେଇକୁ ଉଦ୍ଧାର କରିଦେବେ ବୋଲି ଶିବରାମ କହିଥିଲେ। ସାହସିକତାର ସହ ଶିବରାମ ଉକ୍ତ କୂଅ ଭିତରକୁ ଯାଇ ଅଣନିଃଶ୍ୱାସୀ ହେବା ସହ ପାଣିରେ ବୁଡ଼ିଯାଇଥିଲେ। ଏହାପରେ ତାଙ୍କୁ ଉଦ୍ଧାର କରିବାକୁ ଯାଇ ଶଙ୍କର ଉକ୍ତ କୂଅ ଭିତରକୁ ଯାଇ ସେ ମଧ୍ୟ ଫସିଯାଇଥିଲେ। ଶିବରାମ ଓ ଶଙ୍କର କୂଅ ଭିତରେ ଜୀବନ ସହ ସଂଘର୍ଷ କରୁଥିବା ବେଳେ ଭଜରାମ ମଧ୍ୟ କୂଅ ଭିତରକୁ ପଶି ଫସିଯାଇଥିଲେ। ଏନେଇ ଖବର ପାଇ ମଞ୍ଚେଶ୍ୱର ଅଗ୍ନିଶମ ଟିମ୍‌ ପହଞ୍ଚତ୍ ୩ଜଣଙ୍କୁ ଉଦ୍ଧାର କରିଥିଲେ। ହେଲେ ସେତେବେଳକୁ ଶିବରାମଙ୍କର ମୃତ୍ୟୁ ହୋଇଯାଇଥିଲା।

Share