ଭଙ୍ଗା କୁଡ଼ିଆରେ ବିତୁଛି ଜୀବନ

କୋରେଇ,୨୫ା୩(ଚନ୍ଦ୍ରକାନ୍ତ ପତି): ବାସହୀନଙ୍କ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ଯୋଜନା କରୁଛନ୍ତି। ଅଥଚ ଏହିସବୁ ଯୋଜନା ଯୋଗ୍ୟ ବ୍ୟକ୍ତିଙ୍କ ପାଖରେ ପହଞ୍ଚିବା ସମ୍ଭବ ହେଉନାହିଁ। ତଳସ୍ତର ନେତାଙ୍କ ରାଜନୈତିକ ଫାଇଦା ଏବଂ ବିରୋଧୀ ଶାସକ ଟଣାଓଟରା ଯୋଗୁ ଏଭଳି ସମସ୍ୟା ଦେଖାଦେଉଛି। ସେହିପରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନ ନାଁରେ ବ୍ୟାପକ ପିସି ଆଦାୟ କରି ଅଯୋଗ୍ୟ ବ୍ୟକ୍ତିଙ୍କୁ ପକ୍କାଘର ଦେଇ ଯୋଗ୍ୟଙ୍କୁ ତାଲିକାରୁ ବାଦ କରାଯାଉଛି। ଏହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଯାଜପୁର ଜିଲା କୋରେଇ ବ୍ଲକ ଅଧୀନ ହଳଦୀଗଡ଼ିଆ ପଞ୍ଚାୟତର ଶାଳକଣା ଗ୍ରାମରେ। ଏହି ଗ୍ରାମର ଦୋଳଗୋବିନ୍ଦ ନାଥ(୫୨) ଓ ତାଙ୍କ ସ୍ତ୍ରୀ ଜୟନ୍ତୀ ନାଥ(୪୫) ୨ ପୁଅଙ୍କୁ ଧରି ଦୀର୍ଘ ବର୍ଷ ହେବ ଭଙ୍ଗା କୁଡ଼ିଆରେ ଜୀବନ ଅତିବାହିତ କରୁଛନ୍ତି। ହେଲେ ରାଜ୍ୟ ସରକାରଙ୍କ ବିଜୁ ପକ୍କାଘର ଓ କେନ୍ଦ୍ର ସରକାରଙ୍କ ଆବାସ ଯୋଜନା ଏହି ପରିବାର ନିକଟରେ ପହଞ୍ଚି ପାରୁନାହିଁ।
ଫଳରେ ସାମାନ୍ୟ ବର୍ଷା ହେଲେ ଘରେ ପାଣି ଗଳୁଛି। ଶାନ୍ତିରେ ଟିକେ ଶୋଇବା ୪ ପ୍ରାଣୀଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡୁଛି। ଉକ୍ତ ପରିବାର ଅତି ଦୟନୀୟ ଅବସ୍ଥାରେ କାଳାତିପାତ କରୁଥିବା ଦେଖିବାକୁ ମିଳିଛି। ଦୋଳଗୋବିନ୍ଦ ଦିନମଜୁରିଆ ଭାବେ କାର୍ଯ୍ୟ କରି ଯାହା ରୋଜଗାର କରନ୍ତି ସେଥିରେ ପରିବାର ଚଳେ। ୨ପୁଅ ପଢ଼ା ସାରି ଚାକିରି ଅଭାବରୁ ଘରେ ବସିଛନ୍ତି। ଅନ୍ୟପକ୍ଷରେ ଆବାସ ଯୋଜନା ତାଲିକାରେ ବାରମ୍ବାର ଦୋଳଗୋବିନ୍ଦଙ୍କ ନାମ ଆସୁଥିଲେ ମଧ୍ୟ ରାଜନୈତିକ ଛକପଞ୍ଝା ଓ ଅନ୍ୟ କାରଣ ଦର୍ଶାଇ ଏହାକୁ ପଞ୍ଚାୟତ ପ୍ରତିନିଧିମାନେ କାଟି ଦେଉଥିବା ସେ ଅଭିଯୋଗ କରିଛନ୍ତି। ପୂର୍ବରୁ ଏନେଇ ସେ ଅଭିଯୋଗ କରିବାରୁ ଜିଲାପାଳ ତୁରନ୍ତ ତଦାରଖ କରି ଆବାସ ଯୋଗାଇ ଦେବାକୁ ବ୍ଲକ ପ୍ରଶାସନକୁ ଚିଠି କରିଥିଲେ। ହେଲେ ତାହା ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ପାରିନାହିଁ। ତେଣୁ ସରକାର ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦୋଳଗୋବିନ୍ଦ ନିବେଦନ କରିଛନ୍ତି। ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ବିଡିଓ ଅଶୋକ କୁମାର ମାଝିଙ୍କୁ ଫୋନ କରାଯାଇଥିଲେ ମଧ୍ୟ ସେ ଫୋନ୍‌ କଲ ଗ୍ରହଣ କରି ନ ଥିଲେ।

Share