ରାଉରକେଲା, ୧୫।୬ (ଦିନେଶ ମିଶ୍ର) ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗରିବ ବାସହୀନ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏଥିପାଇଁ ସରକାରୀ ପାଣ୍ଠିରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ରାଉରକେଲା ସ୍ମାର୍ଟସିଟିରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହା ଏମାନଙ୍କ ପାଇଁ ବିଭିନ୍ନ ଯୋଜନା ସତେ ଯେପରି ସାତସପନ ପାଲିଟିଛି। ଏଭଳି ଦୃଶ୍ୟ ସ୍ମାର୍ଟସିଟି ରାଉରକେଲା ଛେଣ୍ଡ ଅଞ୍ଚଳରେ ଥିବା ଇସିଆର ବ୍ଲକ ଘର ନଂ.୧୧୧ ସମ୍ମୁଖରେ ଥିବା ଖୋଲା ପାର୍କ ଭିତରେ ଦେଖିବାକୁ ମିଳିଛି। ଏହି ପାର୍କ ଭିତରେ ଥିବା ଏକ ବେଲଗଛ ମୂଳରେ ଚାରିଖଣ୍ଡ ବାଉଁଶ ପୋତି ତା’ଉପରେ କିଛି ପଲିଥିନ ବାନ୍ଧି ୬୦ ବର୍ଷୀୟା ବୃଦ୍ଧା ଶ୍ରୀମତୀ ଚୌରସିଆ ବାସ କରନ୍ତି। ସ୍ବାମୀ ବବନ ଚୌରସିଆ ଭିନ୍ନକ୍ଷମ ଓ ପକ୍ଷଘାତ ରୋଗରେ ଆକ୍ରାନ୍ତ ହୋଇଥିବାରୁ ସେ ସର୍ବଦା ବିଛଣାରେ ପଡି ରହିଛନ୍ତି। ଫଳରେ ବୃଦ୍ଧା ବୟସରେ ଶ୍ରୀମତୀ ପାର୍କ ଚାରିପଟେ ଥିବା ବିଭିନ୍ନ ଘରକୁ ଯାଇ ବାସନକୁସନ ମାଜି ଯାହା ଦୁଇ ମୁଠା ଆଣନ୍ତି ସେଥିରେ ଦୁଇଜଣ ଖାଇପିଇ ବଞ୍ଚନ୍ତି। ସରକାର ଆବାସ ଯୋଜନାରେ ଗରିବମାନଙ୍କୁ ପକ୍କାଘର ସ୍ବପ୍ନ ଦେଖାଉଥିବାବେଳେ ଏହି ଦମ୍ପତିଙ୍କ ପାଇଁ ମୁଣ୍ଡଗୁଞ୍ଜିବାକୁ ଘର ଖଣ୍ଡେ ନାହିଁ କି ଦୁଇଓଳି ଦୁଇମୁଠା ଖାଇବାକୁ ଦାନା ନାହିଁ। ଏତିକିରେ ଶ୍ରୀମତୀଙ୍କ ଦୁଃଖ ସରିନି। ସ୍ବାମୀଙ୍କ ପକ୍ଷଘାତ ଓ ଭିନ୍ନକ୍ଷମତା ଯୋଗୁ ତାଙ୍କର ବାମଗୋଡ ଓ ଡାହାଣ ହାତ କାମ କରୁନାହିଁ। ଏପରି ଅବସ୍ଥାରେ ଶ୍ରୀମତୀ ପ୍ରତିଦିନ ପେଟକୁ ମୁଠାଏ ଦାନା ଓ ଅଣ୍ଟାକୁ ଖଣ୍ଡେ କନା ପାଇଁ ଜୀବନ ସହ ସଂଘର୍ଷ କରି ଦିନ କାଟୁଛନ୍ତି। ପେଟର ଜ୍ଜାଳାକୁ ସେ ନିଜେ ସମ୍ଭାଳି ପାରୁ ନ ଥିବାବେଳେ ଭିନ୍ନକ୍ଷମ ସ୍ବାମୀଙ୍କ ବା କଣ ଭରଣପୋଷଣ କରିବ ବୋଲି ଶ୍ରୀମତୀ କାନ୍ଦିକାନ୍ଦି ବଖାଣିଛନ୍ତି। ଆଜିକୁ ୨୦ ବର୍ଷ ତଳେ ଶ୍ରୀମତୀ ଛେଣ୍ଡ ସ୍ଥିତ ଏଲସିଆର ବ୍ଲକରେ ଥିବା ଜଣେ ଶିଳ୍ପପତିଙ୍କ ଘରେ ଚାକରାଣୀ ଭାବେ କାମ କରୁଥିଲେ। ସେହି ସମୟରେ ତାଙ୍କ ସ୍ବାମୀ ବବନ ହନୁମାନ ବାଟିକାରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ। ତାଙ୍କ ମାଲିକଙ୍କର ଇସିଆର ବ୍ଲକରେ ଏକ ଛୋଟିଆଘର ଥିବାବେଳେ ଶ୍ରୀମତୀ ଦିନସାରା ମାଲିକ ଘରେ କାମ କରି ରାତିରେ ସ୍ବାମୀଙ୍କ ସହ ଇସିଆର ଘରେ ବାସ କରୁଥିଲେ। ସ୍ବାମୀ ବବନ ୨୦୧୬ ମସିହାରେ ନଭେମ୍ବର ରାତିରେ ହନୁମାନ ବାଟିକାରୁ ଘରକୁ ଫେରୁଥିବାବେଳେ ଏକ ଟ୍ରକ ଧକ୍କା ଦେବାରୁ ତାଙ୍କ ବାମଗୋଡ ଭାଙ୍ଗି ଯାଇଥିଲା। ସେଦିନ ଠାରୁ ତାଙ୍କ ବାମଗୋଡ ଅଚଳ ହୋଇ ପଡିବାରୁ ସେ ଶଯ୍ୟାରେ ପଡି ରହିଥିଲେ ା ସ୍ବାମୀଙ୍କ ଏଭଳି ଅବସ୍ଥା ହେତୁ ଶ୍ରୀମତି ତାଙ୍କ ମାଲିକଙ୍କ ଘରେ ନିୟମିତ କାମ ନ କରିପାରିବାରୁ ତାଙ୍କୁ ଘର ମାଲିକ କାମରୁ ବାହାର କରିଦେବା ସହ ସେ ରହୁଥିବା ଘର ମଧ୍ୟ ତାଙ୍କ ଠାରୁ ଛଡେଇ ନେଇଥିଲେ। ଫଳରେ ଶ୍ରୀମତୀ ଆଉ କୌଣସି ବାଟ ନ ପାଇ ଶେଷରେ ସ୍ବାମୀଙ୍କୁ ଧରି କେତେବେଳ ଛେଣ୍ଡ ବସ୍ଷ୍ଟପ ତ ଆଉ କେତେବେଳେ ରାସ୍ତାକଡ ଗଛତଳେ ଜୀବନ କାଟୁଥିଲେ। ଏଭଳି ପରିସ୍ଥିତିରେ ଛେଣ୍ଡ ଅଞ୍ଚଳରେ ବାସ କରୁଥିବା ସମାଜସେବୀ ଦୀପକ ତିୱାରୀ ତାଙ୍କୁ ଉଦ୍ଧାର କରି ତାଙ୍କ ଘର ପାଖରେ ଥିବା ଇସିଆର ପାର୍କ ଭିତରେ ରହିବାକୁ ସହଯୋଗ କରିଥିଲେ। ଘର ଖଣ୍ଡେ ନ ପାଇ ବାରଦୁଆର ଶୁଣ୍ଢିପିଣ୍ଡା ହେଉଥିବା ଶ୍ରୀମତୀଙ୍କ ପାଇଁ ଏଭଳି ପରିସ୍ଥିତି ତାଙ୍କୁ ମୁଣ୍ଡ ଗୁଞ୍ଜିବାପାଇଁ ଏକ ରାହା ଦେଖାଇଥିଲା। ଶେଷରେ ଶ୍ରୀମତୀ ଉକ୍ତ ପାର୍କ କଣରେ ଥିବା ଏକ ବେଲଗଛ ମୂଳେ କେତେଖଣ୍ଡ ବାଉଁଶ ପୋତି ସେଥିରେ ପଲିଥିନ ଟାଙ୍ଗି ଖରା, ବର୍ଷା ଶୀତକୁ ସାମନା କରି ନିଜର ଦିନ କାଟି ଚାଲିଛନ୍ତି। ଶ୍ରୀମତୀଙ୍କ ପାଖରେ ଯୋଜନା ଭିତରେ କେବଳ ବାର୍ଦ୍ଧକ୍ୟ ଭତ୍ତା ଓ ରାଶନକାର୍ଡରୁ ଚାଉଳ ୧୦ କିଲୋ ପାଇଥିବାବେଳେ ଅନ୍ୟ କୌଣସି ଯୋଜନା ନାହିଁ। ଯଦି ତାଙ୍କୁ ସରକାରୀସ୍ତରରେ ଆବାସ ଯୋଜନାରେ ଘର ଖଣ୍ଡେ ମିଳନ୍ତା’ ତାହେଲେ ସେ ତାଙ୍କ ଭିନ୍ନକ୍ଷମ ସ୍ବାମୀଙ୍କୁ ନେଇ ଯେମିତି ସେମିତି ଚଳିଯାଆନ୍ତେ ବୋଲି କହିଥିଲେ ା ଏନେଇ ରାଉରକେଲା ତହସିଲଦାର ଚନ୍ଦ୍ରକାନ୍ତ ମଲ୍ଲିକଙ୍କୁ ପଚାରିବାରୁ ସେ କହିଥିଲେ, ଏହି ବିଷୟରେ ଆରଏମସି କମିଶନରଙ୍କ ସହ କଥାହୋଇ ସରକାରଙ୍କ ପକ୍ଷରୁ ତିଆରି ହୋଇଥିବା ଆଶୟସ୍ଥଳକୁ ଯଥାଶୀଘ୍ର ସ୍ଥାନାନ୍ତରିତ କରିବୁ। ପରେ ତାଙ୍କ ଲାଗି କଣ ସହାୟତା ହୋଇପାରିବ ଉଦ୍ୟମ କରିବୁ ବୋଲି ମତ ପ୍ରକାଶ କରିଥିଲେ।