ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଜୀବନ

କୁଚିଣ୍ଡା,୫ା୭(ବିରଞ୍ଚି ଦର୍କା): ବିଦ୍ୟୁତ୍‌ ଆଘାତରେ ସମ୍ବଲପୁର ଜିଲା ମହୁଲପାଲି ଥାନା କୁସୁମୀ ଫାଣ୍ଡି ଅଧୀନ ବଡମୁଣ୍ଡାଲୋଇ ଗ୍ରାମର ସଞ୍ଜୟ ବାଘ ଓରଫ ଘଁସିଆ(୪୦)ଙ୍କ ମୃତ୍ୟୁ ଘଟିଛି। ଏ ନେଇ ପୋଲିସ ଏକ ମାମଲା (ନଂ.୭୫/୨୩) ରୁଜୁ କରି ବୁଧବାର ମୃତଦେହ ବ୍ୟବଚ୍ଛେଦ କରାଇ ପରିବାରକୁ ହସ୍ତାନ୍ତର କରିଛି।

ମିଳିଥିବା ସୂଚନା ମୁତାବକ, ସଞ୍ଜୟ ବିଲ ନିକଟ ନାଳକୁ ଶୌଚ ପାଇଁ ଯାଇଥିଲେ। ହେଲେ ସେ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ବଡମୁଣ୍ଡାଲୋଇ ଗ୍ରାମରୁ ପ୍ରାୟ ୧କି.ମି. ଜଙ୍ଗଲ ନିକଟରେ ଅଶୋକ ପଟେଲ ନାମକ ବ୍ୟକ୍ତି ନିଜ ଚାଷ ଜମିରେ ଦେଇଥିବା ତାର ବାଡରେ କରେଣ୍ଟ ଲାଗି ସଞ୍ଜୟ ମରି ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ।

ଅଶୋକ ବୋରୱେଲ ଖୋଲି ଖରାଦିନେ ଚାଷ କରିଥିଲେ ଓ ତାର ବାଡରେ ବିଦ୍ୟୁତ୍‌ କରେଣ୍ଟ ସଂଯୋଗ କରିଥିବା ଜଣାପଡିଛି। କୌଣସି କାରଣରୁ ସଞ୍ଜୟ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଏ ନେଇ ମୃତକଙ୍କ ଭାଇ ସଞ୍ଜୀବ ବାଘଙ୍କ ଅଭିଯୋଗ ଅନୁଯାୟୀ ପୋଲିସ ଏକ ମାମଲା ରୁଜୁ କରିଥିବା ମହୁଲପାଲି ଥାନା ଭାରପ୍ରାପ୍ତ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ମୁଗୁରୀ କହିଛନ୍ତି। ଖବରପାଇ ବିଦ୍ୟୁତ୍‌ ବିଭାଗ ଅଧିକାରୀ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି।

Share