Advertisement

ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ତାଲା ପକାଇଲେ ଲୋକେ

ଦେବଗଡ଼, ୧୨ା୧୦ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା ବାରକୋଟ ବ୍ଲକ ବମ୍ପରଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଗୁରୁବାର ଚିକିତ୍ସା ଅବହେଳାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ କରି ସ୍ଥାନୀୟ ଲୋକେ ସ୍ବାସ୍ଥ୍ୟକେନ୍ଦ୍ରରେ ତାଲା ପକାଇ ଦେଇଥିଲେ।
ମିଳିଥିବା ସୂଚନା ମୁତାବକ, ବମ୍ପରଡା ପଞ୍ଚାୟତ ଝରବାହାଳ ଗ୍ରାମର ଛବିଳ ନାଏକ (୩୨) ବୁଧବାର ସାରେ ଅସୁସ୍ଥ ହୋଇପଡିଥିଲେ। ପରିବାର ଲୋକେ ତାଙ୍କୁ ବମ୍ପରଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେତେବେଳେ ଡାକ୍ତର ଓ ଅନ୍ୟ କୌଣସି କର୍ମଚାରୀ ଉପସ୍ଥିତ ନ ଥିଲେ। ଦୀର୍ଘ ପ୍ରାୟ ୨ଘଣ୍ଟା ଅପେକ୍ଷା କରିବା ପରେ କେହି ନ ଆସିବାରୁ ଛବିଳଙ୍କୁ ପରିବାର ଲୋକେ ବାରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ସେମାନେ ବମ୍ପରଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମୁଖ୍ୟ ଫାଟକରେ ତାଲା ପକାଇ ପ୍ରତିବାଦ କରିଥିଲେ। ମୃତକଙ୍କ ପରିବାରକୁ କ୍ଷତିପୂରଣ ଓ ଡାକ୍ତରଖାନାରେ ଉପଯୁକ୍ତ ସ୍ବାସ୍ଥ୍ୟସେବା ଯୋଗାଇଦେବା ସହ ଅବହେଳା କରିଥିବା ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଥିଲା। ପରେ ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରିଣୀ ଡା. ସାଧନା ଦାଶ, ଏଡିପିଏଚ୍‌ଓ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ବାରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଥିଲେ। ଏଥିସହ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପ୍ରତିଶ୍ରୁତି ଦେବା ପରେ ତାଲା ଖୋଲାଯାଇଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share