ମହାକାଳପଡ଼ା, ୧୧ା୭ (ପ୍ରତାପ ଚନ୍ଦ୍ର ସ୍ବାଇଁ): ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନୁସୂଚିତ ଜନଜାତି ସମ୍ପ୍ରଦାୟଙ୍କ ବିକାଶ କଥା କହୁଥିବା ବେଳେ ତୃଣମୂଳ ସ୍ତରରେ ବିକାଶର ବାସ୍ତବ ଚିତ୍ର ଠିକ୍ ଓଲଟା। ବୟସର ଅପରାହ୍ନରେ ଆଖିକୁ ଭଲ ଭାବେ ଦିଶୁନାହିଁ। ପାଦରେ ଆଉ ଚାଲିବାର ଯୁ ନାହିଁ। ତଥାପି ଜୀବନ ଜିଇଁବାକୁ ଅନେକ ସଂଘର୍ଷ କରିବାକୁ ପଡୁଛି। ଏଭଳି ଦେଖିବାକୁ ମିଳିଛି ମହାକାଳପଡ଼ା ବ୍ଲକ ପେଟଛେଲା ପଞ୍ଚାୟତର ଆଦିବାସୀ ଜଙ୍ଗଲଘେରି ଗ୍ରାମରେ ସହଚରୀ ଆହାଡ଼ି (୭୦)ଙ୍କ କ୍ଷେତ୍ରରେ। ସେ ଉକ୍ତ ଗ୍ରାମର ଲକ୍ଷ୍ମୀଧର ଆହାଡ଼ିଙ୍କୁ ବିବାହ କରିଥିଲେ। ହସ ଖୁସିରେ ଦାମ୍ପତ୍ୟ ଜୀବନ କିଛି ବର୍ଷ ଅତିବାହିତ ହେବା ପରେ ସହଚରୀଙ୍କ କୌଣସି ସନ୍ତାନ ସନ୍ତତି ନ ହେବାରୁ ତାଙ୍କୁ ଛାଡ଼ି ସ୍ବାମୀ ଅନ୍ୟତ୍ର ବିବାହକଲେ। ସେହିଦିନଠାରୁ ସହଚରୀ ଏକାକୀ ମୂଲ ମଜୁରି ଲାଗି ଚଳୁଥିଲେ। ଏବେ ବୟସର ଅପରାହ୍ନରେ ପର ଘରେ ମୂଲ ମଜୁରି ଲାଗିବା ସମ୍ଭବ ନ ହେବାରୁ ଜୀବନ ବଞ୍ଚତ୍ବା ଦୁର୍ବିଷହ ହୋଇପଡ଼ୁଛି। ସରକାରୀ ଯୋଜନା କହିଲେ, ମାସକୁ ୫ କିଲୋ ଚାଉଳ ୫ ଶହ ଟଙ୍କା ଭତ୍ତା ଦେଇ ସ୍ଥାନୀୟ ପ୍ରଶାସନ କାମ ସାରି ଦେଉଛି। ଝଡ଼ବାତ୍ୟା ଆସିଲେ ଛିଣ୍ଡା ପଲିଥିନ ତଳେ ମୁଣ୍ଡ ଗୁଞ୍ଜୁଛନ୍ତି ସହଚରୀ। ୫ କିଲୋ ଚାଉଳ ସରିଯିବା ପରେ ଗଁାରୁ ମାଗି ଯାଚି ଆଣିଥିବା ଭାତ ଖାଇ ସାରିବା ପରେ ବାସି ତୋରାଣି ଯତ୍ନ ସହ ସାଇତି ରଖେ ଆଗ ଦିନ ପାଇଁ। ମୁନ୍ଦେ ତୋରାଣି ନଦୀ ପାଶର୍ବ ଚାଷଜମି ହିଡରେ ମଦରଙ୍ଗା ଶାଗକୁ ତୋଳି ଖରଡ଼ି ଖାଏ ବୋଲି ସହଚରୀ କୁହନ୍ତି। ମୁଁ ବୃଦ୍ଧା ହୋଇଯିବା ପରେ ଆଉ କୁଆଡ଼େ ଯାଇପାରୁନାହିଁ। ଏହି ଶାଗ ମୋ ଜୀବନ ବଞ୍ଚାଉଛି। ପାଖରେ କିଛି ପଇସାପତ୍ର ନ ଥିବାରୁ ୨ ବର୍ଷ ହେବ ତରକାରି କି ଡାଲି ଖାଇପାରୁନାହିଁ। ସଞ୍ଜ ହେଲେ ବିଜୁଳି କି କିରୋସିନ ନ ଥିବାରୁ ପଲିଥିନ ଟାଣି ଭିତରେ ରହିଯାଏ। ବର୍ଷାଋତୁରେ ନଦୀ ନିକଟରେ ବସବାସ କରୁଥିବାରୁ ସରୀସୃପ ଭୟ ରହିଛି ବୋଲି ସହଚରୀ କହିଛନ୍ତି। ଆଉ କେତେଦିନ ପଲିଥିନ ତଳେ ବଞ୍ଚତ୍ବି। ସରକାର ଖଣ୍ଡେ ପକ୍କାଘର ଓ ବିଜୁଳି ଯୋଗାଇଦେଲେ ଅବଶିଷ୍ଟ ଜୀବନ ଭଲରେ କଟନ୍ତା।