ଅନ୍ଧାରରେ ଚାଇଲ୍ଡଲାଇନ କର୍ମଚାରୀଙ୍କ ଜୀବନଜୀବିକା

ଖଇରା, ୨।୯(ଉତ୍କଳବନ୍ଧୁ ପଣ୍ଡା): ସ୍ବେଚ୍ଛାସେବୀ ସଙ୍ଗଠନ ତତ୍ତ୍ୱାବଧାନରେ ଚାଲିଆସୁଥିବା ଚାଇଲ୍ଡଲାଇନ ସଂସ୍ଥା ପାଇଁ କେନ୍ଦ୍ର ସରକାରଙ୍କ ମହିଳା ଶିଶୁ ବିକାଶ ବିଭାଗ ନୂଆ ନିୟମ ଆଣିବା ପରେ ୧ତାରିଖରୁ ଜିଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ନିୟନ୍ତ୍ରଣକୁ ଯାଇଛି। ଫଳରେ ଜିଲାର ଖଇରା ଓ ବାଲିଆପାଳରେ କାର୍ଯ୍ୟକ୍ଷମ ଥିବା ୨ ଚାଇଲ୍ଡଲାଇନ ୟୁନିଟ୍‌ର ୧୦ଜଣ ସଦସ୍ୟ ନିଯୁକ୍ତି ହରାଇଛନ୍ତି। ଏବେ ନିଯୁକ୍ତି ହରାଇବା ପରେ ଏମାନଙ୍କ ଉପରେ ନିର୍ଭର କରି ଚଳୁଥିବା ପରିବାର ସଦସ୍ୟଙ୍କ ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇଯାଇଛି ।
୨୩ବର୍ଷ ଧରି ନିରନ୍ତର ସେବା ଦେଇଆସିଥିବା କେବଳ ଖଇରା ନୁହେଁ ସାରା ରାଜ୍ୟର ୫ଶହ ଯୁବତୀଯୁବକମାନେ ଚାକିରି ହରାଇ ମାନସିକ ଦୁଶ୍ଚିନ୍ତାରେ କାଳାତିପାତ କରୁଛନ୍ତି।
ବିବାହ ରୋକିବା, ଶିଶୁ ଶ୍ରମିକ ଉଦ୍ଧାର ଓ ଥଇଥାନ, ବେଆଇନ ଯୁବତୀ ଚାଲାଣ ରୋକିବା ଆଦି ସମ୍ବେଦନଶୀଳ କାର୍ଯ୍ୟ ଖଇରାର ଏକ ସ୍ବେଚ୍ଛାସେବୀ ସଙ୍ଗଠନ ଦ୍ୱାରା ପରିଚାଳିତ ଚାଇଲ୍ଡଲାଇନ ୟୁନିଟ୍‌କୁ ପ୍ରଦାନ କରାଯାଇଥିଲା । ରାତି ହେଉ କି ଦିନ ହେଉ ଟୋଲ ଫ୍ରି ନମ୍ବର(୧୦୯୮)ରେ ଫୋନ ଆସିବା ମାତ୍ରେ କର୍ମଚାରୀମାନେ ଜୀବନକୁ ବାଜି ଲଗାଇ ଦୂରଦୂରାନ୍ତ ସ୍ଥାନକୁ ଯାଇ ଉଦ୍ଧାର କାର୍ଯ୍ୟରେ ସାମିଲ ହେଉଥିଲେ। ଘଟଣାକ୍ରମେ କେନ୍ଦ୍ର ସରକାର ଚାଇଲ୍ଡଲାଇନ ଇଣ୍ଡିଆ ଫାଉଣ୍ଡେଶନ ନିଷ୍ପତ୍ତିରେ ପରିବର୍ତ୍ତନ କରି ଚାଇଲ୍ଡଲାଇନକୁ ସ୍ବେଚ୍ଛାସେବୀ ସଙ୍ଗଠନ ଅଧୀନରୁ ଆଣି ଜିଲାସ୍ତରର ଶିଶୁ ସୁରକ୍ଷା ଅଧିକାରୀଙ୍କୁ ନ୍ୟସ୍ତ କରିଛନ୍ତି। ପୁରୁଣା କର୍ମଚାରୀଙ୍କୁ ଛଟେଇ କରାଯିବା ନେଇ ଅଗଷ୍ଟ ୩୧ ତାରିଖରେ ପ୍ରକାଶିତ ଚିଠିରେ ଉଲ୍ଲେଖ କରାଯାଇଛି । ନ୍ୟାୟ ପାଇଁ କର୍ମଚାରୀମାନେ ମୁଖ୍ୟମନ୍ତ୍ରୀ, ମହିଳା ଓ ଶିଶୁ ବିଭାଗ ସମେତ ଅଧିକାରୀମାନଙ୍କୁ ଲିଖିତ ଭାବେ ଅବଗତ କରାଯାଇଥିଲେ ହେଁ ଏ ପର୍ଯ୍ୟନ୍ତ ସନ୍ତୋଷଜନକ ପଦକ୍ଷେପ ଗ୍ରହଣ କରାଯାଇନାହିଁ । ସରକାର ଏ ସମ୍ପର୍କରେ ପୁରୁଣାରୁ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ନିଯୁକ୍ତି ପ୍ରଦାନ ନ କରନ୍ତି, ତେବେ କର୍ମଚାରୀମାନେ ପରିବାର ସହ ଧାରଣାରେ ବସିବେ ବୋଲି ଖଇରାରେ କାର୍ଯ୍ୟରତ ଟିମ୍‌ ଲିଡର ତପସ୍ବିନୀ ରାଉତ, ଟିମ୍‌ ସଦସ୍ୟା ସାୟଂପ୍ରଭା ଦଳେଇ, ଜ୍ୟୋତି ପ୍ରକାଶ କର, ପଞ୍ଚାନନ ତ୍ରିପାଠୀ ଓ ଚିତ୍ତରଞ୍ଜନ ପଣ୍ଡା ପ୍ରମୁଖ ଚେତାବନୀ ଦେଇଛନ୍ତି ।

Share