ସ୍ତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଚାଲିଗଲା ସ୍ବାମୀଙ୍କ ଜୀବନ

ଅନୁଗୋଳ ଅଫିସ, ୧୯।୮- ଲୁଗା ଶୁଖାଇବା ବେଳେ ବିଦ୍ୟୁତ୍‌ ତାରରେ ଲାଖି ଯାଇଥିବା ସ୍ତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ସ୍ବାମୀଙ୍କ ମୃତ୍ୟୁ ହୋଇଛି। ଗୁରୁବାର ଏଭଳି ଘଟଣା ଘଟିଛି ଅନୁଗୋଳ ଜିଲା ବିକ୍ରମପୁର ଥାନା ଏଫ୍‌ସିଆଇ ମୀନା ବଜାର ଗ୍ରାମରେ। ଉଭୟଙ୍କୁ ପରିବାର ଲୋକେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ହେଁ ସେଠାରେ ଡାକ୍ତର ସ୍ବାମୀଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ସ୍ତ୍ରୀଙ୍କ ଚିକିତ୍ସା ଜାରି ରହିଛି।

ସୂଚନା ଅନୁଯାୟୀ, ମୀନାବଜାର ଗ୍ରାମର ମୁନା ଦେହୁରୀ(୫୫)ଙ୍କ ସ୍ତ୍ରୀ ସଞ୍ଜୁ ଦେହୁରୀ(୪୫) ଗାଧୋଇବା ପରେ ଲୁଗା ଶୁଖାଇବାକୁ ଯାଇଥିଲେ। ଏହି ସମୟରେ ତାଙ୍କୁ ବିଦ୍ୟୁତ୍‌ ଆଘାତ ଲାଗିଥିଲା। ଏହା ଦେଖି ମୁନା ଧାଇଁଯାଇ ସଞ୍ଜୁଙ୍କୁ ଟାଣି ଆଣିବାକୁ ଚେଷ୍ଟା କରିଥିଲେ। ହେଲେ ଦୁହେଁ ବିଦ୍ୟୁତ୍‌ ଆଘାତରେ ଛିଟିକି ପଡ଼ିଥିଲେ। ପରିବାର ଲୋକେ ତୁରନ୍ତ ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ସେଠାରେ ମୁନାଙ୍କୁ ମୃତ ଘୋଷଣା କରାଯାଇଥିଲା। ଖବରପାଇ ଅନୁଗୋଳ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ମୃତଦେହ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

Share