ସାପ କାମୁଡ଼ାରେ ଚାଲିଗଲା ମା’ ଝିଅଙ୍କ ଜୀବନ

ହିଞ୍ଜିଳିକାଟୁ,୭।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଅଢେଇବର ଗାଁରେ ଶନିବାର ଏକ ଅଘଟଣ ଘଟିଛି। ସାପ କାମୁଡ଼ାରେ ମା’ କେ.ବାସନ୍ତୀ ପାତ୍ର ଏବଂ ତାଙ୍କର ୨ ବର୍ଷର ଶିଶୁକନ୍ୟା ଦେବସ୍ମିତାଙ୍କ ଅକାଳ ମୃତ୍ୟୁ ଘଟିଛି।

ମିଳିଥିବା ସୂଚନା ମୁତାବକ, ଉଭୟ ମା’ ଓ ଝିଅ ଶୁକ୍ରବାର ରାତିରେ ଖାଇ ଘରେ ଶୋଇଥିଲେ। ଶନିବାର ଭୋରରେ ଏକ ବିଷଧର ସାପ ବାସନ୍ତୀ ଓ ଶିଶୁକନ୍ୟାଙ୍କୁ କାମୁଡି ଦେଇଥିଲା। ଚିତ୍କାର ଶୁଣି ପରିବାର ଲୋକେ ଶୋଇଥିବା କୋଠରୀକୁ ଯାଇଥିଲେ। ଉଭୟ ମା’ ଝିଅଙ୍କୁ ପରିବାର ଲୋକ ଉଦ୍ଧାର କରି ସାପକୁ ମାରି ଦେଇଥିଲେ। ଅଚେତ ଅବସ୍ଥାରେ ସେମାନଙ୍କୁ ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ଉଭୟ ମା’ ଓ ଶିଶୁକନ୍ୟାଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ହିଞ୍ଜିଳି ପୋଲିସ ଡାକ୍ତରଖାନାରେ ପହଞ୍ଚି କବିସୂର୍ଯ୍ୟନଗର ପୋଲିସକୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲା। ପରେ କବିସୂର୍ଯ୍ୟନଗର ପୋଲିସ ହିଞ୍ଜିଳିକାଟୁ ଡାକ୍ତରଖାନାରେ ପହଞ୍ଚି ଉଭୟ ମା’ ଓ ଶିଶୁ କନ୍ୟାଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପୁରୁଷୋତ୍ତମପୁର ଡାକ୍ତରଖାନାକୁ ପଠାଇଛି। ଏନେଇ କବିସୂର୍ଯ୍ୟନଗର ଥାନାରେ ୨ଟି ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

Share