ଜରିପାଲ ତଳେ ଜୀବନ

ପରଜଙ୍ଗ,୧୦।୭(ନିଗମାନନ୍ଦ ଦଳବେହେରା): ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବା ପାଇଁ ଅଛି ସମସ୍ତ ଯୋଗ୍ୟତା। ହେଲେ ରାଜନୀତିର ପରପେଞ୍ଚ ଭିତରେ ଛନ୍ଦି ହୋଇଯାଇଛି ଗରିବଙ୍କ ଭାଗ୍ୟ। ଯୋଗ୍ୟ ହିତାଧିକାରୀ ତାଲିକାରେ ସାମିଲ ହେବା ସତ୍ତ୍ୱେ ଚୂଡ଼ାନ୍ତ ପର୍ଯ୍ୟାୟରୁ ଉଦ୍ଦେଶ୍ୟମୂଳକ ଭାବେ ସେମାନଙ୍କୁ ବାଦ୍‌ ଦିଆଯାଇଛି। ଫଳରେ ଜରିପାଲ ତଳେ ଜୀବନ ବିତାଇବାକୁ ବାଧ୍ୟ ହେଉଛନ୍ତି ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ଖାଲପାଳ ଗ୍ରାମର ୧୫ରୁ ଊର୍ଦ୍ଧ୍ୱ ପରିବାର। କେବଳ ଏତିକି ନୁହେଁ, ଦାବି ଅନୁଯାୟୀ ହାତଗୁଞ୍ଜା ଦେଇ ନ ପାରିବାରୁ ରାଜନେତା ଏବଂ ଦାୟିତ୍ୱରେ ଥିବା ଅଧିକାରୀ ସେମାନଙ୍କ ପ୍ରତି ଏଭଳି ଅନ୍ୟାୟ କରିଥିବା ଅଭିଯୋଗ ହୋଇଛି।
ଆବାସରୁ ବଞ୍ଚତ୍ତ ଖାଲପାଳ ଗ୍ରାମର ବରଦାକାନ୍ତ ରାଉତ, ପଦ୍ମିନୀ ରାଉତ, କପିଳେଶ୍ୱର ବର୍ମା, ଡାକ୍ତର ବର୍ମା, ଆଶିଷ ବର୍ମା, ସନ୍ଧ୍ୟାରାଣୀ ବର୍ମା, ମାନସୀ ବର୍ମା, ଅଞ୍ଜନା ସିଂ ବର୍ମା, ଅମିତା ବର୍ମା, ଗୀତା ବେହେରା ପ୍ରମୁଖ ଅଭିଯୋଗ କରିଛନ୍ତି, ଗ୍ରାମର ସରପଞ୍ଚ ଭାଜପା ସମର୍ଥିତ। ଗତ ନିର୍ବାଚନରେ ହିତାଧିକାରୀଙ୍କ ମଧ୍ୟରୁ ଅନେକେ ବିଜେଡି ଓ କଂଗ୍ରେସକୁ ସମର୍ଥନ କରିଥିଲେ। ତେଣୁ ଉଦ୍ଦେଶ୍ୟମୂଳକ ଭାବେ ଆବାସ ଯୋଜନା ଦାୟିତ୍ୱରେ ଥିବା ପଞ୍ଚାୟତ ଅଧିକାରୀଙ୍କୁ ହାତ କରି ସରପଞ୍ଚ ସେମାନଙ୍କୁ ଚୂଡ଼ାନ୍ତ ତାଲିକାରୁ ବାଦ୍‌ ଦେଇଛନ୍ତି। ଫଳରେ ସେମାନେ ଭଙ୍ଗା ଦଦରା, ଝାଟିମାଟି ଘରେ ଜରିପାଲ, ଟିଣ ପକାଇ ଛୋଟ ଛୋଟ ପିଲାଙ୍କୁ ନେଇ ଅତି ଦୟନୀୟ ଅବସ୍ଥାରେ ରହୁଛନ୍ତି। ସାମାନ୍ୟ ବର୍ଷା ହେଲେ ପାଣି ଗଳୁଛି। ପଞ୍ଚାୟତ ପ୍ରଶାସନଠାରୁ ଆରମ୍ଭ କରି ବ୍ଲକ ପ୍ରଶାସନ ଯାଏ ଗୁହାରି କରି କରି ଥକିଯିବା ସତ୍ତ୍ୱେ ସୁଫଳ ମିଳୁ ନ ଥିବା ସେମାନେ କହିଛନ୍ତି। ଯୋଗ୍ୟ ହିତାଧିକାରୀ ଚିହ୍ନଟ ଲାଗି ସରପଞ୍ଚ ପ୍ରାଥମିକ ତାଲିକା ଦେଇଥାନ୍ତି। ମାନଦଣ୍ଡ ତଦନ୍ତ ପରେ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ କରାଯାଏ। ତେବେ ଯୋଗ୍ୟତା ଥାଇ ଏତେସଂଖ୍ୟକ ହିତାଧିକାରୀ କିପରି ବାଦ୍‌ ପଡ଼ିଲେ ତାହା ତଦନ୍ତ ସାପେକ୍ଷ ବୋଲି ସେମାନେ କହିଛନ୍ତି। ତେଣୁ ପୁନର୍ବାର ଯାଞ୍ଚ କରି ଆବାସ ତାଲିକାଭୁକ୍ତ କରିବାକୁ ସେମାନେ ଦାବି କରିଛନ୍ତି।
ଅନ୍ୟପଟେ ହାତଗୁଞ୍ଜା ପାଇଁ ଆବାସ ଯୋଜନାରୁ ହିତାଧିକାରୀଙ୍କୁ ବାଦ୍‌ ଦିଆଯାଇଥିବା ଅଭିଯୋଗକୁ ସରପଞ୍ଚ ଅଶୋକ କୁମାର ବର୍ମା ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ଏ କଥା ସତ୍ୟ ଯେ କେତେଜଣ ଯୋଗ୍ୟ ହିତାଧିକାରୀ ବାଦ୍‌ ପଡ଼ିଛନ୍ତି। ହେଲେ ଏହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ନୁହେଁ। ତଦନ୍ତକାରୀ ଟିମ୍‌ର ରିପୋର୍ଟ ଅନୁଯାୟୀ ଚୂଡ଼ାନ୍ତ ତାଲିକା ପ୍ରକାଶିତ ହୋଇଥାଏ। ଏଥିରେ ତାଙ୍କର କୌଣସି ଭୂମିକା ନାହିଁ ବୋଲି ସେ କହିଛନ୍ତି। ଉପଜିଲାପାଳ ନାରାୟଣ ଚନ୍ଦ୍ର ନାୟକ କୁହନ୍ତି, ଚଳିତବର୍ଷ ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆବେଦନ ପ୍ରକ୍ରିୟା ଶେଷ ହୋଇଛି। ଯେଉଁ ହିତାଧିକାରୀ ଯୋଗ୍ୟ ବୋଲି ବିବେଚିତ ହୋଇଛନ୍ତି, ସେମାନଙ୍କ ଜମାଖାତାକୁ ଟଙ୍କା ପଠାଯାଉଛି। ତେଣୁ ଆବାସ ଯୋଜନାରେ ସେମାନଙ୍କୁ ସାମିଲ କରିବା ଏବେକାର ସ୍ଥିତିରେ ସମ୍ଭବପର ନୁହେଁ। ବିକଳ୍ପ ସ୍ବରୂପ ସେମାନଙ୍କୁ ‘ମୋ ଘର’ ଯୋଜନାରେ ସାମିଲ କରାଯିବା ଲାଗି କୁହାଯାଇଛି।

Share