Categories: ଜାତୀୟ

ସୁଡ଼ଙ୍ଗ ତଳେ ଜୀବନ: ୪୧ ଶ୍ରମିକ, ୧୪ ଦିନ

ଉତ୍ତରକାଶୀ,୨୬।୧୧: ଉତ୍ତରାଖଣ୍ଡର ଉତ୍ତରକାଶୀସ୍ଥିତ ସୁଡ଼ଙ୍ଗରେ ଗତ ୧୨ ତାରିଖରୁ ଫସି ରହିଥିବା ୪୧ ଶ୍ରମିକ କେବେ ବାହାରର ଆଲୋକ ଦେଖିବେ, ତାହା କହିହେଉ ନାହିଁ। ଖନନ କାର୍ଯ୍ୟରେ ନିୟୋଜିତ ଆମେରିକାର ଓଜନଦାର ମେଶିନ୍‌ର ଡ୍ରିଲିଂ ଯନ୍ତ୍ରାଂଶ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଫଳରେ ଶୁକ୍ରବାର ଖନନ କାର୍ଯ୍ୟ ପୁଣିଥରେ ଅଟକିଛି। ରବିବାରଠାରୁ ହାତରେ ଖନନ ଆରମ୍ଭ ହେବ ବୋଲି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି। ସୁଡ଼ଙ୍ଗ ଭିତରେ ଫିସିଥିବା ଔଗର ମେଶିନ୍‌ର ଯନ୍ତ୍ରାଂଶଗୁଡ଼ିକୁ କାଟି ବାହାର କରିବା ପାଇଁ ହାଇଦ୍ରାବାଦରୁ ଏକ ସ୍ବତନ୍ତ୍ର ମେଶିନ୍‌ ଅଣାଯାଇଛି। ଉଦ୍ଧାର ପାଇଁ ସମସ୍ତ ସମ୍ଭାବ୍ୟ ଦିଗ ଉପରେ ଉଦ୍ୟମ ଜାରି ରହିଛି।
ଫସିଥିବା ଶ୍ରମିକମାନଙ୍କ ପାଖରେ ପହଞ୍ଚତ୍ବାକୁ ଆଉ ମାତ୍ର ୧୦ରୁ ୧୨ ମିଟର ଖନନ ବାକିଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ପରବର୍ତ୍ତୀ ୫ ମିଟର ମଧ୍ୟରେ କୌଣସି ଧାତବ ପ୍ରତିବନ୍ଧକ ଚିହ୍ନଟ ହୋଇ ନ ଥିବା ଗ୍ରାଉଣ୍ଡ-ପେନେଟ୍ରେଟିଙ୍ଗ ରାଡାରରୁ ଜଣାପଡ଼ିଛି। ଫସିଥିବା ଶ୍ରମିକମାନଙ୍କ ପାଇଁ ସେମାନଙ୍କ ଆତ୍ମୀୟ ଓ ସମ୍ପର୍କୀୟମାନେ ସୁଡ଼ଙ୍ଗ ବାହାରେ ପଡ଼ିରହିଥିବାବେଳେ ସେମାନଙ୍କ ପ୍ରତୀକ୍ଷାର ଅନ୍ତ ଘଟୁନାହିଁ। ଦୁଇ ଦିନରେ ଦୁଇଟି ପ୍ରତିବନ୍ଧକ ସେମାନଙ୍କୁ ଧୈର୍ଯ୍ୟହରା କରିଛି। ଖନନ କାର୍ଯ୍ୟ ଅଟକିବା ପୂର୍ବରୁ ୪୬.୮ ମିଟର ପର୍ଯ୍ୟନ୍ତ ପାଇପ୍‌ ଟନେଲ ଭିତରକୁ ଯାଇଥିଲା। ଖନନ କାର୍ଯ୍ୟରେ ନିୟୋଜିତ ୨୫ ଟନ୍‌ ଓଜନର ଡ୍ରିଲିଂ ମେଶିନ୍‌ର ବ୍ଲେଡ୍‌ ଭାଙ୍ଗି ମାଟିତଳେ ରହିଯିବାରୁ ଉଦ୍ଧାର କାର୍ଯ୍ୟ ଅଟକିଛି। ତେଣୁ ହାତରେ ଖନନ ପନ୍ଥା ବାଛିବାକୁ ନିଷ୍ପତ୍ତି ହୋଇଛି। ଏହା ହେଲେ ଉଦ୍ଧାର କାର୍ଯ୍ୟକୁ ଆଉ କେତେକ ସପ୍ତାହ ଲାଗିପାରେ ବୋଲି କୁହାଯାଉଛି। ଶୁକ୍ରବାର ଦିନସାରା କାମ ବନ୍ଦ ରହିଥିଲା। ଔଗର ମେଶିନ୍‌ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଅନ୍ତର୍ଜାତୀୟ ଟନେଲ ବିଶେଷଜ୍ଞ ଆର୍ନୋଲ୍ଡ ଡିକ୍ସ କହିଛନ୍ତି। ଶ୍ରମିକମାନେ ଖାତରେ ୧୦ରୁ ୨୦ ମିଟର ଖୋଳିବା ସହ ଉପରୁ ୮୬ ମିଟର ଗଭୀର ପର୍ଯ୍ୟନ୍ତ ଖନନ ପାଇଁ ଅନ୍ୟ ଏକ ବିକଳ୍ପ ଉପରେ ମଧ୍ୟ ବିଚାର କରାଯାଉଥିବା ସେ କହିଛନ୍ତି।
୬ ଇଞ୍ଚ ଓସାରର ପାଇପ୍‌ ଦେଇ ସୁଡ଼ଙ୍ଗ ଭିତରେ ଥିବା ଶ୍ରମିକମାନଙ୍କ ପାଖକୁ ଖାଦ୍ୟ, ପାଣି ଓ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ପଠାଯାଉଛି। ଫସିଥିବା ଶ୍ରମିକମାନଙ୍କ ପାଖକୁ ଶନିବାର ମୋବାଇଲ୍‌ ଫୋନ୍‌ ଏବଂ ଲୁଡ଼ୁ ପାଲି ପଠାଯାଇଛି। ତାହା ସେମାନଙ୍କ ଟାଇମ୍‌ ପାସ୍‌ରେ ସହାୟକ ହେବା ସହ ଅବସାଦ ଦୂର କରିପାରିବ ବୋଲି ଜଣେ ଅଧିକାରୀ କହିଛନ୍ତି।

Share