ମୁମ୍ବାଇ,୩।୩: ମହାରାଷ୍ଟ୍ରରେ ଦ୍ୱିତୀୟ କରୋନା ଡୋଜ୍ ନେବା ପରେ ଜଣେ ୪୫ ବର୍ଷ ବୟସ୍କ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଭିଓ୍ବାଣ୍ଡି ବାସିନ୍ଦା ସୁଖଦେବ କିରଦାତ୍ କରୋନା ଟିକାର ଦ୍ୱିତୀୟ ଡୋଜ୍ ନେବାର ୧୫ ମିନିଟ୍ ପରେ ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ ଚିକିତ୍ସା ପାଇଁ ଇନ୍ଦିରା ଗାନ୍ଧୀ ମେମୋରିଆଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଡ୍ରାଇଭର ଭାବେ କାମ କରୁଥିବା ସୁଖଦେବ ଜାନୁୟାରୀ ୨୮ରେ କରୋନା ଟିକାର ପ୍ରଥମ ଡୋଜ୍ ନେଇଥିଲେ। ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଡାକ୍ତର କେ.ଆର୍. ଖାରାତ୍ କହିଛନ୍ତି। ସୁଖଦେବଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଲୋକଙ୍କ ମଧ୍ୟରେ କରୋନା ଟିକାକୁ ନେଇ ଭୟ ସୃଷ୍ଟି ହୋଇଛି।