
ଏଣ୍ଡଜାମେନା,୨୧ା୪: ତିନି ଦଶନ୍ଧି ଧରି କ୍ଷମତାରେ ରହିବା ପରେ ବିଦ୍ରୋହୀଙ୍କ ସହ ସଂଘର୍ଷରେ ଚାଦ୍ ରାଷ୍ଟ୍ରପତି ଇଦ୍ରିସ୍ ଡେବି ଇଟ୍ନୋଙ୍କ ଜୀବନ ଯାଇଛି। ୬୮ ବର୍ଷୀୟ ଇଦ୍ରିସ୍ କ୍ଷମତାରେ ଦୀର୍ଘ ସମୟ ଧରି ରହିଥିବା ଆଫ୍ରିକାର ଅନ୍ୟତମ ଶାସକ। ୧୯୯୦ ଦଶକରେ ଏକ ସଶସ୍ତ୍ର ବିଦ୍ରୋହ ପରେ ସେ ଶାସନ ଭାର ହାତକୁ ନେଇଥିଲେ। ଏହି ସାର୍ବଭୌମ ରାଷ୍ଟ୍ରର ସୁରକ୍ଷା ପାଇଁ ଯୁଦ୍ଧଭୂଇଁରେ ଲଢ଼େଇ କରୁଥିବାବେଳେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି ବୋଲି ଜଣେ ସେନା ଜେନେରାଲ ସୂଚନା ଦେଇଛନ୍ତି।
୧୧ରେ ଚାଦ୍ରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସୋମବାର ଆସିଥିବା ଫଳାଫଳ ତାଙ୍କ ସପକ୍ଷରେ ଯାଇଥିଲା। ଇଦ୍ରିସ୍ ୮୦% ଭୋଟ ପାଇଥିବାରୁ ତାଙ୍କ ପାଇଁ ଷଷ୍ଠ ଥର ଲାଗି ଆଉ ୬ ବର୍ଷ ରାଷ୍ଟ୍ରପତି ଆସନ ଅଳଙ୍କୃତ କରିବାର ପଥ ପରିଷ୍କାର ହୋଇଥିଲା। ପଡ଼ୋଶୀ ଲିବ୍ୟାର ବିଦ୍ରୋହୀଙ୍କ ବିରୋଧରେ ଏହାକୁ ଏକ ମହାନ୍ ବିଜୟ ବୋଲି ସେନା ପକ୍ଷରୁ ଘୋଷଣା କରାଯାଇଥିଲା। ତେବେ ଫ୍ରଣ୍ଟ ଫର୍ ଚ୍ୟାଲେଞ୍ଜ ଆଣ୍ଡ କନ୍କର୍ଡ ଇନ୍ ଚାଦ୍ ନାମକ ବିଦ୍ରୋହୀ ଗୋଷ୍ଠୀ ନିର୍ବାଚନ ଦିନ ଏକ ସୀମାନ୍ତ ପୋଷ୍ଟରେ ରାଷ୍ଟ୍ରପତିଙ୍କୁ ଆକ୍ରମଣ କରିଥିଲା। ଶନିବାର ସେନା ସହ ବିଦ୍ରୋହୀଙ୍କ ସଂଘର୍ଷ ଘଟିଥିଲା। ଏଥିରେ ୩୦୦ ବିଦ୍ରୋହୀ ନିହତ ହୋଇଥିବାବେଳେ ୧୫୦ ଜଣଙ୍କୁ ବନ୍ଦୀ କରାଯାଇଥିଲା। ସେହିପରି ୫ ସୈନ୍ୟଙ୍କ ଜୀବନ ଯାଇଥିବାବେଳେ ୩୬ ଜଣ ଆହତ ହୋଇଛନ୍ତିି। ରାଷ୍ଟ୍ରପତିଙ୍କ ପରଲୋକ ପରେ ସରକାର ଓ ପାର୍ଲାମେଣ୍ଟକୁ ଭଙ୍ଗ କରାଯାଇଛି। ଆସନ୍ତା ୧୮ ମାସ ଧରି ଏକ ସାମରିକ ପରିଷଦ ଦେଶକୁ ଶାସନ କରିବ। ରାଷ୍ଟ୍ରପତିଙ୍କ ୩୭ ବର୍ଷୀୟ ପୁଅ ମହମତ ଇଦ୍ରିସ୍ ଡେବି ଇଟ୍ନୋ ଏହାର ନେତୃତ୍ୱ ନେବେ।